କାନପୁର ଡ୍ୟାମ ସମ୍ପୂର୍ଣ ସୁରକ୍ଷିତ

ଧନଜୀବନ ପ୍ରଭାବିତ ଆଶଙ୍କା ନାହିଁ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କାନପୁର ଡ୍ୟାମ୍‌ରେ ଫାଟ ବା ଗଠନମୂଳକ ତ୍ରୁଟି ଦେଖାଦେଇଥିବା ନେଇ ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବିଭ୍ରାନ୍ତିକର ତଥା ଅସତ୍ୟ ଖବର ଉପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ସ୍ପଷ୍ଟ ଭାବେ ଜଣାଇଛି ଯେ, କାନପୁର ଡ୍ୟାମ୍‌ରେ କୌଣସି ପ୍ରକାରର ଫାଟ ବା ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ। ପ୍ରସାରିତ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା ଜନସାଧାରଣଙ୍କ ମଧ୍ୟରେ ବୃଥା ଆତଙ୍କ ସୃଷ୍ଟି ସମ୍ଭାବନା ରହିଛି।

     ସାମ୍ପ୍ରତିକ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ଫଳରେ ଏକ ଅସ୍ଥାୟୀ କଫର ଡ୍ୟାମ ଉପର ଦେଇ ଜଳ ପ୍ରବାହିତ ହେଉଛି। ଏହି କଫର ଡ୍ୟାମ୍‌ଟି ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ମୁଖ୍ୟ ଡ୍ୟାମ୍ ଭିତରେ ତିଆରି କରାଯାଇଥିବା ଏକ ଅସ୍ଥାୟୀ ସହାୟକ ଢାଞ୍ଚା। ଏହା ମୁଖ୍ୟ ଡ୍ୟାମ୍‌ର ଅଂଶବିଶେଷ ନୁହେଁ। ତେଣୁ ଏହି ଅସ୍ଥାୟୀ ବ୍ୟବସ୍ଥା ଉପର ଦେଇ ଜଳ ପ୍ରବାହିତ ହେବା ଦ୍ବାରା ଧନଜୀବନ, ସମ୍ପତ୍ତି କିମ୍ବା କାନପୁର ଡ୍ୟାମ୍‌ର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ।

       ଜୁଲାଇ ୩୦ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୪୩୨.୯୫ ମିଟର ରହିଛି, ଯାହା କଫର ଡ୍ୟାମ୍‌ର ସର୍ବୋଚ୍ଚସ୍ତର (୪୨୮.୦୦ ମିଟର) ଠାରୁ ଅଧିକ ହେଲେ ମଧ୍ୟ ମୁଖ୍ୟ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ୪୪୦.୦୦ ମିଟର ଠାରୁ ଯଥେଷ୍ଟ କମ୍ ଅଛି। ବର୍ତ୍ତମାନ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬୪୮.୪୮୨ କ୍ୟୁମେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୦୪୦ କ୍ୟୁମେକ୍ ଜଳ ନିଷ୍କାସିତ ହେଉଛି। ପ୍ରବେଶ ଅପେକ୍ଷା ଜଳ ନିଷ୍କାସନ ଅଧିକ ପରିମାଣରେ ହେଉଥିବାରୁ ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ନିଷ୍କାସିତ ଜଳ କେବଳ ପ୍ରାକୃତିକ ନଦୀ ଶଯ୍ୟା ମଧ୍ୟରେ ସୀମିତ ରହିବ ଏବଂ ଏହାଦ୍ବାରା କୌଣସି ଗ୍ରାମ ପ୍ରଭାବିତ ହେବା ସମ୍ଭାବନା ନାହିଁ।

      ଏହି ଜଳ ପ୍ରବାହ ଚମ୍ପୁଆ, ଯୋଡ଼ା, ଝୁମ୍ପୁରା, କେନ୍ଦୁଝର ସଦର ଏବଂ ପାଟଣା ଦେଇ ଗତି କରିବ ଏବଂ ଜୁଲାଇ ୩୦ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସୁଦ୍ଧା ଆନନ୍ଦପୁର ବ୍ୟାରେଜ୍‌ରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏକ ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ସମ୍ପୃକ୍ତ ସମସ୍ତ ବିଡିଓ ଏବଂ ତହସିଲଦାର ମାନଙ୍କୁ ଆଲର୍ଟ କରାଯାଇଛି ଏବଂ ମାଇକ୍ ଯୋଗେ ଜନସାଧାରଣଙ୍କୁ ସଚେତନ କରାଯାଇଛି।

         ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ସମେତ ବରିଷ୍ଠ ଜିଲ୍ଲା ଅଧିକାରୀମାନେ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।
ଜନସାଧାରଣଙ୍କ ସୁରକ୍ଷା ସହ ଜଡ଼ିତ ସମ୍ବେଦନଶୀଳ ବିଷୟଗୁଡ଼ିକ ଉପରେ ଖବର ପ୍ରସାରଣ କରିବା ସମୟରେ ସମସ୍ତ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ଅତ୍ୟନ୍ତ ଦାୟିତ୍ବବାନ ହେବା ପାଇଁ ଜିଲ୍ଲା ପ୍ରଶାସନ ନିବେଦନ କରିଛି। ଅସତ୍ୟ ବା ବିଭ୍ରାନ୍ତିକର ତଥ୍ୟ ପ୍ରସାରଣ ଦ୍ବାରା ନାଗରିକଙ୍କ ମଧ୍ୟରେ ଅଯଥା ଭୟ ଓ ମାନସିକ ଚାପ ସୃଷ୍ଟି ହୋଇପାରେ। ତେଣୁ କୌଣସି ଖବର ପ୍ରକାଶ ବା ପ୍ରସାରଣ କରିବା ପୂର୍ବରୁ ସମ୍ପୃକ୍ତ ସରକାରୀ କର୍ତ୍ତୃପକ୍ଷଙ୍କ ଠାରୁ ସତ୍ୟାସତ୍ୟ ଯାଞ୍ଚ କରିବାକୁ ଗଣମାଧ୍ୟମ ଗୁଡ଼ିକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *