ଆରମ୍ଭ ହେଲା ପ୍ରସିଦ୍ଧ ଚଇତି ପର୍ବ: ଘଟଗାଁ ମା’ ତାରିଣୀ ପୀଠ ଉତ୍ସବମୁଖର

୭ ଦିନ ଧରି ସୁନାବେଶରେ ଦର୍ଶନ ଦେବେ ମା’



କେନ୍ଦୁଝର ସାଇନ ( ଜ୍ଞାନରଞ୍ଜନ ମିଶ୍ର): ଝଲସି ଉଠୁଛି କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ‘ତାରିଣୀଙ୍କ ପୀଠ । ଗୁରୁବାର ଠାରୁ ୭ ଦିନ ଧରି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମହା ଆଡମ୍ବରରେ ପାଳିତ ହେବ ମା’ ଙ୍କ ୯୦ ତମ ବିଶ୍ଵ ପ୍ରସିଦ୍ଧ ଚଇତି ପର୍ବ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶରେ ପ୍ରଥମ ଦିନରୁ  ଘଟଗାଁ  ତାରିଣୀ ପୀଠ ହୋଇଉଠଛି ଲୋକାରଣ୍ୟ ଓ ଉତ୍ସବମୁଖର ।

   ଏହି ଉପଲକ୍ଷେ ମା’ଙ୍କ ସ୍ଵତନ୍ତ୍ର ନୀତିକାନ୍ତି ଓ ମଙ୍ଗଳ ଆଳତୀ ସଅଳ କରାଯିବା ବିଦ୍ଧିବଦ୍ଧ ବ୍ୟବସ୍ଥା ହୋଇଛି । ଏହି ସମୟରେ ମା’ତାରିଣୀ ଭକ୍ତଙ୍କୁ ରାଜ ରାଜେଶ୍ଵରୀ ବେଶ ବା ସୁନାବେଶରେ ସୁସଜ୍ଜିତ ହୋଇ ଦର୍ଶନ ଦେଇଥାନ୍ତି ‌। ମା’ ତାରିଣୀ ପୀଠରେ ହୋମଯଜ୍ଞ, ଶ୍ରୀ ଶ୍ରୀ ଚଣ୍ଡୀ ପାଠ ଓ ଭାଗବତ ପାଠରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ ।

   ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମଗ୍ର ପୀଠ ପରିସରକୁ ତାର୍ପୋଲିନ୍ ଛାଉଣୀ କରାଯାଇଛି । ଚଇତି ପର୍ବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କାରଣରୁ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଏଥିସହିତ ଶୃଙ୍ଖଳିତ ଦର୍ଶନ, ମା’ଙ୍କ ସାନ୍ନିଧ୍ୟ ଲାଭ କରିବା, ମା’ ଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ପାଇଁ ଅଧିକ ସଂଖ୍ୟାରେ ଦେହୁରୀ ପୂଜକ ନିୟୋଜିତ ହୋଇଛନ୍ତି ।

   ସ୍ଵତନ୍ତ୍ରତା ରହିଛି ମା ‘ଙ୍କ ପଣାସଂକ୍ରାନ୍ତି। ନୀତିକାନ୍ତି ଅନୁଯାୟୀ ଯଥା ପୂଜାବିଧି ସ୍ନାନ ମାର୍ଜନା ହେବାପରେ ମା’ ଙ୍କ ସୁନାବେଶ ଓ ଷୋଡପଚାର ପୂଜା ସହ ପ୍ରତ୍ୟେକ ମଙ୍ଗଳ ଆଳତି ଅନୁଷ୍ଠିତ ହେବ । ଚଇତି ପର୍ବକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଛନ୍ତି କଳାକାର । ଘୋଡା ନାଚ , ଧୁମ୍ , ସମ୍ବଲପୁରୀ ନୃତ୍ୟ ଓ ପାଇକ ଆଖଡ଼ା ରେ ଦୁଲୁକିବ ପୀଠ ।

   ମହାବିଷୁବ ପଣାସଂକ୍ରାନ୍ତି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମା’ଙ୍କ ଉଦ୍ଦେଶ୍ୟରେ ହେବ ଅଖଣ୍ଡ ଭଜନ । କଡ଼ାକଡ଼ି ସୁରକ୍ଷା ପାଇଁ ସିସିଟିଭି ଓ ପୋଲିସ ଫୋର୍ସ ମୂତୟନ ସହ ଜରୁରୀ ଚିକିତ୍ସା ପାଇଁ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ମଧ୍ୟ ଖୋଲାଯାଇଛି । ପ୍ରତ୍ୟେହ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।


   ଏହି ଅବସରରେ ସକାଳୁ ୯ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରେ ଦାସକାଠିଆ ଓ ଆଧ୍ୟାତ୍ମିକ ପ୍ରବଚନ ଏବଂ ରାତିସାରା ଶ୍ରୀ ସତ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ବାଦପାଲା ନେଇ ଉଛୁଳିବ ମା’ ଙ୍କ ପୀଠ । ୭ ଦିନ ଧରି ସୁନାବେଶରେ ଦର୍ଶନ ଦେବେ ମା ।

   ଭକ୍ତଙ୍କ ଯାନବାହାନ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦୁଝର ପଟୁ ଆସୁଥିବା ଗାଡିଗୁଡିକ ଘଟଗାଁ ହାଟ ପଡ଼ିଆ, ଆନନ୍ଦପୁର ଆଡୁ ଆସୁଥିବା ଗାଡି ଶାଳବଣ ବାଙ୍କ ଓ ହରିଚନ୍ଦନପୁର ଆଡୁ ଆସୁଥିବା ଗାଡି ସରସ୍ଵତୀ ଶିଶୁ ମନ୍ଦିର ପଡ଼ିଆରେ ପାର୍କିଂ କରିବେ ।

  ଚଇତି ପର୍ବରେ ଲକ୍ଷ ଲକ୍ଷ ଭକ୍ତ ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିବେ । ଚଇତି ପର୍ବକୁ ନେଇ ଭୋଗ ଦୋକାନୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖା ଦେଇଛି । ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁ ଥିବାରୁ ଏଥର ଭଲ ବ୍ୟବସାୟ ନେଇ ଭୋଗ ଦୋକାନୀ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *