କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଏକ ହତ୍ୟା ମାମଲାର ବିଚାର କରି ଜିଲ୍ଲା ଓ ଦୌରାଜଜ କେନ୍ଦୁଝର ସମସ୍ତ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ହତ୍ୟାକରି ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି ।
ନୟାକୋଟ ଥାନା କାଦକଳା ବଜାରରେ କୁକୁଡା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ମାୟାଧର ବେହେରା ସହ ୨୬ ଫେବୃୟାରୀ ୨୦୨୨ ସନ୍ଧ୍ୟା ପ୍ରାୟ ୮ଟାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଉତ୍ତମ କୁମାର ମହାକୁଡ ସହ ପ୍ରଥମେ ଝଗଡା ହୋଇଥିଲା । ପରେ ଉତ୍ତମ ସେଠାରୁ ଚାଲିଯାଇ ଅଧଘଣ୍ଟା ପରେ ଅର୍ଥାତ୍ ରାତି ପ୍ରାୟ ସାଢେ ୮ ଟାର ନିଜେ ଏକ ଲୁହାଛଡ ଧରି ଏବଂ ସହଯୋଗୀ ନବକିଶୋର ମହାକୁଡ ଓ ଉପେନ୍ଦ୍ର ବେହେରାଙ୍କ ସହ ଠେଙ୍ଗା ଓ ଭୁଜାଲି ଧରି ମାୟାଧରଙ୍କ ଦୋକାନରେ ପହଞ୍ଚିଥିଲେ ।
ଏହାପରେ ପ୍ରଥମେ ଉତ୍ତମ ଧରିଥିବା ଲୁହାରଡରେ ମାୟାଧରଙ୍କ ମୁଣ୍ଡକୁ ଆକ୍ରମଣ କରିବାରୁ ମାୟାଧର ତଳେ ପଡି ଯାଇଥିଲେ । ଏହାପରେ ନବ କିଶୋର ଓ ଉପେନ୍ଦ୍ର ହାତରେ ଧରିଥିବା ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରି ମାୟାଧରଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲେ । ଏ ସମ୍ପର୍କରେ ଖବର ପାଇ ମାୟାଧରଙ୍କ ବଡଭାଇ ଦୟାନିଧି ନୟାକୋଟ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତ ଉତ୍ତମ ମହାକୁଡ, ନବକିଶୋର ମହାକୁଡ ଓ ଉପେନ୍ଦ୍ର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ଏହି ମାମଲାରେ ମୋଟ ୧୫ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଜିଲ୍ଲା ଓ ଦୌରାଜଜ କେନ୍ଦୁଝର ଗୋପାଳ ଚନ୍ଦ୍ର ବେହେରା ସମସ୍ତ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଜିଲ୍ଲା ଓ ଦୌରାଜଜ୍ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାକୁ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ପରିଚାଳନା କରୁଥିବା ବେଳେ ପ୍ରୋସିକ୍ୟୁଟର ଉପନିର୍ଦ୍ଦେଶକ ପ୍ରକାଶ ଚୌଧୁରୀ ମହାନ୍ତିଙ୍କ ଦ୍ୱାରା ତଦାରଖ କରିଥିଲେ ।
