ବିଦ୍ୟୁତ ସଂସ୍ପର୍ଶରେ ଆସି ଅଗ୍ନିଶମ କର୍ମଚାରୀ ମୃତ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପାଣି ନିଷ୍କାସନ ସମୟରେ ବିଜୁଳି କରେଣ୍ଟ ଲାଗି ଚାଲିଗଲା ଅଗ୍ନୀଶମ ବାହିନୀ କର୍ମଚାରୀଙ୍କ ଜୀବନ । କେନ୍ଦୁଝରରେ ଗତ ୨ ଦିନ ଧରି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ରାସ୍ତା ଘାଟ ଘର ଦ୍ୱାର ଚାରିଆଡେ ପାଣି ଭର୍ତ୍ତି । ମଙ୍ଗଳବାର ଠାରୁ ସହରର ବିଭିନ୍ନ ସ୍ଥାନରେ ଜଳ ନିସ୍କାସନ କରିବା ପାଇଁ କେନ୍ଦୁଝରଗଡ ପୌରପାଳିକା ଓ ଅଗ୍ନିଶମ ବାହିନୀର ୧୦ଟି ଟିମ୍ ଜଳ ନିସ୍କାସନ କରି ଚାଲିଥିଲେ। ଆଜି ସକାଳେ  ସରକାରୀ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପୋଲିସ କ୍ଲବ୍ ଏଵଂ ପାଖରେ ଥିବା ବିଭିନ୍ନ ଘର ଭିତରେ ଥିବା ଜଳ ନିସ୍କାସନ ଆରମ୍ଭ ହୋଇଥିଲା ।

      ସକାଳୁ ସଦଳ ବେଳେ ପହଞ୍ଚି ଥିଲା ଅଗ୍ନୀଶମ ବାହିନୀର ଦୁଇଟି ଟିମ୍। ଗୋଟିଏ ଟିମ୍ ପୋଲିସ କ୍ଲବରେ ଜଳ ନିସ୍କାସନ କରୁଥିବା ବେଳେ ଅନ୍ୟ ଟିମଟି ନିକଟରେ ଥିବା ଘରୁ ପାଣି ନିଷ୍କାସନ କରୁଥିଲେ। ସେହି ଟିମରେ ସାମିଲ ଥିଲେ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକ। ଆଣ୍ଠୁଏ ପାଣିରେ ପଶି ଘର ଭିତରେ ପାଇପ୍ ପକାଇବା ସହ ଜଳ ନିସ୍କାସନ କାର୍ଯ୍ୟ ଆରମ୍ଭ କରିଥଲେ। ଘର ମାଲିକଙ୍କ ଲୁଗା ଶୁଖାଇବା ପାଇଁ ଏକ ଜିଆଇ ତାର ଘର ଅଗଣାରୁ ଅନ୍ୟ ଅଗଣାକୁ ବନ୍ଧା ହୋଇଥଲା। ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ସେହି ତାରଟିରେ ବିଜୁଳି କରେଣ୍ଟ ସଂଯୋଗ ହୋଇଯାଇଥିଲା। ସେହି ସମୟରେ ଚନ୍ଦନ ପଟ୍ଟନାୟକଙ୍କ ହାତ ପାଣି ଭିତରେ ଥିବା ସମୟରେ ଭୁଲ୍ବଶତଃ ପଡ଼ି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ କରେଣ୍ଟ ଖାଇ ସେ ତଳେ ପଡ଼ି ଯାଇଥିଲେ। ଅନ୍ୟ ସହକର୍ମୀ ମାନେ କରେଣ୍ଟ ଲାଗି ଥିବା ଜାଣି ପାରି ସଙ୍ଗେ ସଙ୍ଗେ ଅନ୍ୟ ଏକ ପ୍ଲାଷ୍ଟିକ ପାଇପ୍ ଯୋଗେ ତାରଟିକୁ ଟାଣି ଛିଣ୍ଡାଇ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *