କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ମୁଣ୍ଡରେ ମହିଳା ବିରୋଧୀ କଳଙ୍କ ଲାଗିଲା: ଅନନ୍ତ ନାୟ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଚଳିତମାସ ୧୭ ତାରିଖ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ କଳା ଦିବସ ଥିଲା । ଏହି ଦିନ କଂଗ୍ରେସ ନେତୃତ୍ୱରେ ସମଗ୍ର ବିରୋଧୀ ଦଳ ମିଶି ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି ଦେଇଥିଲେ । ସମ୍ବିଧାନର ୧୩୧ତମ ସଂଶୋଧନକୁ ଲୋକସଭାରେ ପରାଜିତ କରି ହସଖୁସିର ସହ ଉତ୍ସବ ପାଳନ କରିଥିଲେ । ଏହା ଦେଶର ମହିଳାଙ୍କ ପରାଜୟ ନୁହେଁ, ଏହା ବିରୋଧୀଙ୍କ ଅହଙ୍କାରକୁ ଦର୍ଶାଏ । ଏହାର ଉତ୍ତର ଏ ଦେଶର ନାରୀଶକ୍ତି ନିଜ ଭୋଟ ମାଧ୍ୟମରେ ଦେବେ ବୋଲି ଜିଲ୍ଲା କାର୍ଯ୍ୟାଳୟରେ ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅନନ୍ତ ନାୟକ ଏହା କହିଛନ୍ତି ।
ସାଂସଦ ଶ୍ରୀ ନାୟକ କହିଛନ୍ତି ଯେ, ମହିଳାଙ୍କ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଜ୍ଞ କରୁଥିବା ବେଳେ ବିରୋଧୀମାନେ ଏହାକୁ ବିଫଳ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଦେଶର ପ୍ରାୟ ୧୪୦ କୋଟି ଜନସଂଖ୍ୟାର ଅଧା ହେଉଛନ୍ତି କେବଳ ମହିଳା । ମହିଳାଙ୍କ ବିନା ସୃଷ୍ଟିର କଳ୍ପନା ମଧ୍ୟ କରାଯାଇ ନପାରେ । ଆଜି ଦେଶର ଝିଅ ଓ ମହିଳାମାନେ ସବୁ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, କ୍ରିଡା, ବ୍ୟବସାୟ, ପ୍ରଶାସନ ସବୁ କ୍ଷେତ୍ରରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସ୍କୁଲରେ ପାଠ ପଢାଇବାରୁ ଆରମ୍ଭ କରି ଉଡାଜାହାଜ ଉଡାଇବା ତାଙ୍କ ପାଇଁ ଆଜି ସାଧାରଣ କଥା । ଅପରେସନ ସିନ୍ଦୁର ସମୟରେ ଭାରତୀୟ ନାରୀଶକ୍ତିର ଚମତ୍କାର ସାରା ବିଶ୍ୱ ଦେଖିଥିଲା । ମାତ୍ର ବିରୋଧୀଦଳ ମାନଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ଓ ଫେଶନ ।
ଯେତେବେଳେ ନାରୀମାନଙ୍କୁ ପ୍ରକୃତ ସମ୍ମାନ ଏବଂ ଅଧିକାର ଦେବାର ବେଳ ଆସିଲା, ବିଭିନ୍ନ ଆଳ ଦେଖାଇ ସେମାନେ ସେଥିରୁ ଓହରିଗଲେ । ସେମାନଙ୍କ ନାରୀ ସ୍ୱାଧୀନତା ସ୍ଲୋଗାନ ଏବଂ ତାଙ୍କର ଅସଲ ରୂପ ଦୁଇ ଦିନର ଲୋକସଭା ବିତର୍କରେ ପଦାକୁ ଆସିଛି । କଂଗ୍ରେସ ଠାରୁ ଆରମ୍ଭ କରି ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ଡିଏମକେ, ବାମପନ୍ଥୀ ଦଳଗୁଡ଼ିକର ଆଭିମୁଖ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ, ସେମାନେ ହେଉଛନ୍ତି ପ୍ରକୃତରେ ମହିଳା ବିରୋଧୀ । ସେମାନେ କେବଳ ମହିଳା ସଶକ୍ତିକରଣର ମୁଖା ପିନ୍ଧି ଅଭିନୟ କରୁଛନ୍ତି ।
ଯେଉଁମାନେ କହୁଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ମହିଳାଙ୍କୁ ଆରକ୍ଷଣ ପ୍ରଦାନ କରିଛନ୍ତି, ତାହା ସେମାନେ ଏଥିପାଇଁ କରିଛନ୍ତି ଯେ, ପଞ୍ଚାୟତସ୍ତରରେ ଆରକ୍ଷଣ ଦେଲେ ଏହି ନେତାମାନଙ୍କର ବିଧାନସଭା କିମ୍ବା ଲୋକସଭା କ୍ଷେତ୍ରରେ ନିର୍ବାଚନ ଲଢ଼ିବା ପାଇଁ କିଛି କ୍ଷତି ହେଉନାହିଁ । କିନ୍ତୁ ଯେତେବେଳେ ଦେଖିଲେ ଯେ, ବିଧାନସଭା ଓ ଲୋକସଭାରେ ତାଙ୍କ ସ୍ୱାର୍ଥରେ ଆଞ୍ଚ ଆସିପାରେ ସେତେବେଳେ ସେମାନଙ୍କ ମନରେ ଛନକା ପଶିଗଲା । ଏଥିଯୋଗୁଁ ସେମାନେ ଅଧିନିୟମକୁ ଲାଗୁ କରେଇ ଦେଇନଥିଲେ ।
କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳମାନେ ପୂର୍ବରୁ ଦୁର୍ନୀତି ଓ ପରିବାରବାଦ ପାଇଁ ଜଣାଶୁଣା ଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ମୁଣ୍ଡରେ ମହିଳା ବିରୋଧୀ କଳଙ୍କର ଷ୍ଟାମ୍ପ ଲାଗିଗଲା । ପ୍ରଧାନମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ସମ୍ବନ୍ଧରେ ପଦକ୍ଷେପ ସାରା ଦୁନିଆ ଦେଖିଛି । ଏଥିପାଇଁ ପ୍ରମାଣର ଆବଶ୍ୟକତା ନାହିଁ । ଦେଶର ସମଗ୍ର ମହିଳା ସମାଜର ଭରସା ମୋଦୀଙ୍କ ଉପରେ ଅଛି । ଏହି ସାମୟିକ ବିଳମ୍ବ ନାରୀଶକ୍ତିକୁ ରୋକିପାରିବ ନାହିଁ । ତାଙ୍କ ଉଡାଣ କିଛି ଦିନ ପାଇଁ ବିଳମ୍ବିତ ହୋଇଛି, କିନ୍ତୁ ବହୁତ ଶୀଘ୍ର ଦେଶର ନାରୀଶକ୍ତି ନୂଆ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସାଂସଦ ବାଂସୁରୀ ସ୍ୱରାଜ କହିଛନ୍ତି ଯେ, ନାରୀଶକ୍ତି ବନ୍ଦନ ଅଧିନିୟମ ସର୍ବସମ୍ମତିକ୍ରମେ ୨୦୨୩ ସେପ୍ଟେମ୍ବରରେ ପାରିତ ହୋଇଥିଲା । ସେତେବେଳେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଗୁଡ଼ିକ ଏହି ଅଧିନିୟମ ସପକ୍ଷରେ ସହମତି ପ୍ରକାଶ କରିଥିଲେ । ମାତ୍ର ଏହି ଅଧିନିୟମ ଲାଗୁ ହେବାବେଳକୁ କଂଗ୍ରେସ, ଡିଏମ୍କେ, ଟିଏମ୍ସି, ସମାଜବାଦୀ ପାର୍ଟିଙ୍କ ସହ ଇଣ୍ଡି ମେଣ୍ଟରେ ଥିବା ସବୁ ବିରୋଧୀଦଳ ଗୁଡ଼ିକ ମିଳିମିଶି ଏହି ଦେଶର ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀ ସମ୍ବୋଧନରେ ନାରୀମାନଙ୍କ ପ୍ରତି ତାଙ୍କ ବେଦନା ଓ ସମ୍ବେଦନା ଦେଖିବାକୁ ମିଳିଥିଲା ।
ଗତ ୧୬, ୧୭ ଓ ୧୮ ତାରିଖରେ ସଂସଦରେ ଯେତେବେଳେ ଏହି ଅଧିନିୟମ ଲାଗୁ କରିବା ଉପରେ ଚର୍ଚ୍ଚା ହୋଇଥିଲା, ସେତେବେଳେ ବିରୋଧିମାନେ ନିଜ ପୂର୍ବ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ । ପ୍ରଧାନମନ୍ତ୍ରୀ ୨୦୨୯ରୁ ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ଚାହିଁଥିଲେ, ମାତ୍ର ବିରୋଧୀମାନେ ଦେଶର ମାତୃଶକ୍ତି ପୀଠିରେ ଛୁରି ଭୁଷି ଦେଇଛନ୍ତି । କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ନାରୀମାନଙ୍କ ଭୂମିକା କେବଳ ମତଦାନ କେନ୍ଦ୍ରରେ ସୀମିତ ରହୁ ବୋଲି ଚାହୁଁଛନ୍ତି । ସେମାନଙ୍କୁ କେବଳ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରିବାକୁ ଚାହୁଁଥିବା ଏଥିରୁ ସ୍ପଷ୍ଟ ହୋଇଛି ।
ଯେତେବେଳେ ଏହି ଅଧିନିୟମ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ନାରୀମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରାଉଥିଲା ସେତେବେଳେ ବିରୋଧି ଦଳଗୁଡ଼ିକ ମୁହଁ ମୋଡ଼ି ଦେଇଛନ୍ତି । ଦେଶର ମାତୃଶକ୍ତିକୁ ଅଧିକାର ଦେବାକୁ ପ୍ରଧାନମନ୍ତ୍ରୀ ପ୍ରୟାସ କରୁଥିବାବେଳେ କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଣ୍ଟରେ ଥିବା ବିରୋଧୀ ଦଳଗୁଡ଼ିକ ବାଧା ସୃଷ୍ଟି କରିଛନ୍ତି । କଂଗ୍ରେସ ସବୁବେଳେ ଭାରତରତ୍ନ ଡ. ଭୀମରାଓ ବାବାସାହେବ ଆମ୍ବେଦକର ଓ ସମ୍ବିଧାନର କଥା କହୁଥିବା ବେଳେ ନାରୀମାନଙ୍କ ଅଧିକାରର ହିସାବ ଦେବାର ସମୟ ଯେତେବେଳେ ଆସିଲା ସେତେବେଳେ ଏହି ଦଳ ସମ୍ବିଧାନର ତଣ୍ଟି ଚିପିଦେଲା । ଗତ ୪୦ ବର୍ଷ ଧରି ଦେଶର ମାତୃଶକ୍ତି ନିଜର ଅଧିକାର ପାଇଁ ଅପେକ୍ଷା କରିଥିବାବେଳେ ବିରୋଧୀମାନେ ଜାଣିଶୁଣି ବିଭିନ୍ନ ପ୍ରସଙ୍ଗ ଉଠାଇ ହୀନ ରାଜନୀତି କରି ଏହି ଅଧିନିୟମକୁ ଲାଗୁ କରେଇ ଦେଇନାହାନ୍ତି ।
ମହିଳାମାନଙ୍କୁ ରାଜନୀତିରେ ସେମାନଙ୍କ ଅଧିକାର ମିଳୁ ବୋଲି ସେମାନେ ଚାହୁଁ ନ ଥିଲେ ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ମାତୃଶକ୍ତିଙ୍କ ହିତର ବଳି ଚଢ଼େଇବା ପାଇଁ ସେମାନେ ଯେଉଁ ଅବରୋଧ ସୃଷ୍ଟି କରିଛନ୍ତି, ଏଥିପାଇଁ ସେମାନେ ମାତୃଶକ୍ତିର ଆକ୍ରୋଶର ଶୀକାର ହେବା ସୁନିଶ୍ଚତ । ମାତୃଶକ୍ତିର ଆର୍ଶୀବାଦ ପାଇବାକୁ ସେମାନେ ସୁଯୋଗ ପାଇଥିଲେ କିନ୍ତୁ ହାତଛଡ଼ା କରିଦେଲେ । ଯେଉଁମାନେ ନାରୀଶକ୍ତିର ସ୍ୱାର୍ଥକୁ ବଳି ପକାଇଦେଇଛନ୍ତି, ସେମାନଙ୍କୁ ଅଭିଶାପର ଫଳ ନିଶ୍ଚୟ ମିଳିବ ।
ଭାରତୀୟ ଜନତା ପାର୍ଟି ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ଏକ ସଙ୍କଳ୍ପ । ଏହା ନିଶ୍ଚିତ ପୂରଣ ହେବ । ନାରୀମାନଙ୍କୁ ସେମାନଙ୍କ ଅଧିକାର ନିଶ୍ଚୟ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମାତୃଶକ୍ତିକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ସମେତ ବିରୋଧୀ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ । ପଞ୍ଚାୟତରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ସବୁଠି ସ୍ୱର ଉଭୋଳନ କରିବ ବୋଲି ସାଂସଦ ଶ୍ରୀ ନାୟକ ମତବ୍ୟକ୍ତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସାବିତ୍ରୀ ବିଶ୍ୱାଳ, ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଚପଳା ମହାକୁଡ଼ ଉପସ୍ଥିତ ଥିଲେ ।
