ବ୍ୟାଙ୍କ ସମୁଖରେ ଭଉଣୀର ଶବ ରଖିବା ଘଟଣା:ପ୍ରଶାସନର ତ୍ଵରିତ ପଦକ୍ଷେପ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପାଟଣା ବ୍ଲକ ଡିଆନାଳୀ ଗ୍ରାମରେ ଘଟିଥିବା ଅଭାବନୀୟ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଗମ୍ଭୀର। ଜନସାଧାରଣଙ୍କ ଅଧିକାର ଓ ସମ୍ମାନ ରକ୍ଷା କରିବା ଜିଲ୍ଲା ପ୍ରଶାସନର ମୂଳ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ ପ୍ରକୃତ ସତ୍ୟାସତ୍ୟ ଓ ପ୍ରଶାସନିକ ତତ୍ପରତା ସମ୍ପର୍କରେ ମଙ୍ଗଳକାର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ତ୍ଵରିତ ପଦକ୍ଷେପ ଗ୍ରହଣ କରାଯାଇଛି ।
  ଘଟଣା ସମ୍ପର୍କରେ ଅବଗତ ହେବା ମାତ୍ରେ, ଜିଲ୍ଲା ପ୍ରଶାସନ ନିୟମ ଅପେକ୍ଷା ମାନବିକତାକୁ ଗୁରୁତ୍ୱ ଦେଇଛି। ସ୍ବର୍ଗତା କାଲରା ମୁଣ୍ଡାଙ୍କ ଭାଇ ଜିତୁ ମୁଣ୍ଡାଙ୍କ ଦୁଃଖଦ ସ୍ଥିତିକୁ ହୃଦବୋଧ କରି ମୁଖ୍ୟମନ୍ତ୍ରୀଙ୍କ ଲୋକ ସେବା ଆଭିମୁଖ୍ୟ ଅନୁଯାୟୀ, ତାଙ୍କୁ ତୁରନ୍ତ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୩୦୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏଥିସହ ପରିବାରର ଅସହାୟତାକୁ ଦୃଷ୍ଟିରେ ରଖି ପ୍ରଶାସନ ଶ୍ରୀ ମୁଣ୍ଡାଙ୍କୁ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଆବେଦନ କରିବାରେ ସାହାଯ୍ୟ କରିଛନ୍ତି ।

     ପ୍ରଦାନ ପ୍ରକ୍ରିୟାକୁ ଫାଷ୍ଟ ଟ୍ରାକ୍ ମୋଡ୍‌ରେ କାର୍ଯ୍ୟକାରୀ କରି ମେଡିକାଲ ଅଫିସର ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ଯୋଗାଇଛନ୍ତି। ବ୍ୟାଙ୍କରେ ଜମା ଥିବା ୧୯୩୦୦ ଟଙ୍କା ଯେପରି ବିନା ବାଧାରେ ଶ୍ରୀ ମୁଣ୍ଡାଙ୍କୁ ମିଳିପାରିବ ସେଥିପାଇଁ ତହସିଲଦାର ନିଜେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ସୁଧ ସହ ସର୍ବମୋଟ ୧୯୪୦୨ ଟଙ୍କା ତୁରନ୍ତ ଶ୍ରୀ ମୁଣ୍ଡାଙ୍କୁ ପ୍ରଦାନ କରିଛନ୍ତି ।
ଏହି ଘଟଣା ବ୍ୟାଙ୍କିଙ୍ଗ୍ ସଚେତନତାର ଅଭାବ ଯୋଗୁଁ ଘଟିଥିଲେ ହେଁ, ଭବିଷ୍ୟତରେ ଯେପରି କୌଣସି ନିରୀହ ବ୍ୟକ୍ତି ଏଭଳି ସ୍ଥିତିର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ଦୃଢ଼ ସଂକଳ୍ପବଦ୍ଧ। ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ସରକାରୀ ଓ ବ୍ୟାଙ୍କିଙ୍ଗ୍ ସୁବିଧା ସହଜରେ ଯୋଗାଇଦେବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ସମ୍ବେଦନଶୀଳ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

      ଏହି ଘଟଣାରେ ପ୍ରଶାସନର କୌଣସିସ୍ତରରେ ଅବହେଳା ଅଛି କି ନାହିଁ ତାହାର ବିସ୍ତୃତ ତଦନ୍ତ କରାଯାଉଛି। କୌଣସି ବି ଅସୁବିଧା ସମୟରେ ଲୋକେ ଭୟଭୀତ ନହୋଇ ସିଧାସଳଖ ଜିଲ୍ଲା ପ୍ରଶାସନ ବା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସହ ଯୋଗାଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ଆସ୍ଥାଭାଜନ ହେବା ଏବଂ ଶେଷ ଧାଡ଼ିର ମଣିଷ ପାଖରେ ସେବା ପହଞ୍ଚାଇବା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଜିଲ୍ଲା ପ୍ରଶାସନ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହା କହିଛନ୍ତି ।

Leave a Reply

Your email address will not be published. Required fields are marked *