ଶିକ୍ଷା ହିଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, ଯାହା ବିଶ୍ୱକୁ ପରିବର୍ତ୍ତନ କରିପାରିବ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଚମ୍ପୁଆ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ବି.ଏନ୍.କେ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଗୌରବମୟ ଯାତ୍ରାକୁ ପ୍ରଶଂସା କରିବା ସହ ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବି.ଏନ୍.କେ ଉଚ୍ଚ ବିଦ୍ୟାଳୟକୁ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଭାବେ ଉନ୍ନତିକରଣ କରିବା ପାଇଁ ୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିବା ସହିତ କୁଟାରୀପଶି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କଠିନ ପରିଶ୍ରମ ଓ ନିରନ୍ତର ଅଧ୍ୟୟନ ହିଁ ତୁମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ। ଶିକ୍ଷା ହିଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, ଯାହା ବିଶ୍ୱକୁ ପରିବର୍ତ୍ତନ କରିପାରିବ। ଆମ ସରକାରଙ୍କ ପାଇଁ ଶିକ୍ଷା କେବଳ ଭିତ୍ତିଭୂମି ନୁହେଁ, ବରଂ ଶିଶୁର ସାମଗ୍ରିକ ବିକାଶ ଓ ମୌଳିକ ଜ୍ଞାନ ବୃଦ୍ଧି ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

          ବି.ଏନ୍.କେ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ
ଗତ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ୨୫ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ଏବଂ ୧୩ ହଜାର ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିଛନ୍ତି। ଆଗାମୀ ଦିନରେ ଆହୁରି ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ୫-ଟି ମଡେଲ ସ୍କୁଲରେ କେବଳ ରଙ୍ଗ ମରା କାମ ବୋଲି ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ପ୍ରକୃତ ଭିତ୍ତିଭୂମି ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୨୦୦ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରିବେ, ଯାହା ପାଇଁ ବଜେଟରେ ୫୦ କୋଟିର ବ୍ୟବସ୍ଥା ହୋଇଛି। ରାଜ୍ୟର ୮୦୦ ସ୍କୁଲକୁ ପିଏମଶ୍ରୀ ଯୋଜନାରେ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ।

ଶିକ୍ଷା ହିଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, ଯାହା ବିଶ୍ୱକୁ ପରିବର୍ତ୍ତନ କରିପାରିବ: ମୁଖ୍ୟମନ୍ତ୍ରୀ

  ନିପୂଣ ଓଡ଼ିଶା ମିଶନ ଜରିଆରେ ମୌଳିକ ସାକ୍ଷରତା ଓ ମାତୃଭାଷାଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଭାରତୀୟ ବୈଜ୍ଞାନିକ ପରମାଣୁ ଶକ୍ତି କ୍ଷେତ୍ରରେ ହାସଲ କରିଥିବା ସେକେଣ୍ଡ ଷ୍ଟେଜ୍ କ୍ରିଟିକାଲିଟି ସଫଳତାକୁ ମୁଖ୍ୟମନ୍ତ୍ରୀ ଦେଶ ପାଇଁ ଏକ ଗର୍ବର ବିଷୟ ବୋଲି ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ସହରାଇ ଓରାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବି.ଏନ୍.କେ ଉଚ୍ଚ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

     ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ସ୍ମରଣିକା ଉନ୍ମୋଚନ କରିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ। ପୁରୁଷୋତ୍ତମପୁର ଅଞ୍ଚଳର ଶିକ୍ଷା ଭିତ୍ତିଭୂମି ପାଇଁ ଅତିରିକ୍ତ ଅନୁଦାନ ଯୋଗାଇ ଦେବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଚମ୍ପୁଆ ବିଧାୟକ ସନାତନ ମହାକୁଡ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ  ଅଖିଳ ଚନ୍ଦ୍ର ନାଏକ ଏବଂ ଜିଲ୍ଲାପାଳ ବିଶାଳ ସିଂହ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *