ଆମାନିଆ ସାବଧାନ: ୨୦ନଂ ଜାତୀୟ ରାଜପଥରେ ନଭେମ୍ବର ୧ରୁ କଟିବ ଇ-ଚାଲାଣ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : ଯାଜପୁର ଓ କେନ୍ଦୁଝର ଜିଲା ଦେଇ ଯାଇଥିବା ପାଣିକୋଇଲି-ରିମୁଳି ୨୦ନଂ ଜାତୀୟ ରାଜପଥରେ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ (ଆଇଇଏମ୍‌ଏସ୍‌) କାର୍ଯ୍ୟକ୍ଷମ କରାଯାଇଛି। ନଭେମ୍ବର ୧ତାରିଖରୁ ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସ୍ୱୟଂକ୍ରିୟ ଇ-ଚାଲାଣ ଜାରି ପ୍ରକ୍ରିୟା ଆରମ୍ଭ ହେବ। ସଡ଼କରେ ଗାଡ଼ି ଚାଳକଙ୍କ ଗତିବିଧି, ସୁରକ୍ଷା ନିୟମର ପାଳନ ଏବଂ ବେଆଇନ ଗାଡ଼ିଚାଳନା ଉପରେ ୨୪ଘଣ୍ଟା କଡ଼ା ନଜର ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ପୁଲିସ କିମ୍ବା ପରିବହନ ବିଭାଗର ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ସଡ଼କ କଡ଼ରେ ଠିଆ ହୋଇ ଯାଞ୍ଚ କରୁଥିଲେ। ଏବେ ସ୍ୱୟଂକ୍ରିୟ କ୍ୟାମେରା ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ସାହାଯ୍ୟରେ ନିୟମ ଖିଲାପକାରୀଙ୍କୁ ସିଧାସଳଖ ଚିହ୍ନଟ କରାଯାଇପାରିବ।

      ଆଇଇଏମ୍‌ଏସ୍‌ ସିଷ୍ଟମରେ ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା, ସେନ୍ସର ଏବଂ ସ୍ପିଡ୍ ଡିଟେକ୍ଟର ଲଗାଯାଇଛି। ଏହା ଗାଡ଼ିର ନମ୍ବର ପ୍ଲେଟ୍‌କୁ ସ୍ପଷ୍ଟ ଭାବେ ପଢ଼ିପାରିବ। ବିଶେଷକରି,  ୪ଟି ମୁଖ୍ୟ ସଡ଼କ ସୁରକ୍ଷା ଉଲ୍ଲଘଂନ ଉପରେ ଏହି ସିଷ୍ଟମ କଡ଼ା ନଜର ରଖିବ ଏବଂ ସଙ୍ଗେସଙ୍ଗେ ସ୍ୱୟଂକ୍ରିୟ ଇ-ଚାଲାଣ କାଟିବ। ମୁଖ୍ୟତଃ ରାଜପଥରେ ନିର୍ଦ୍ଧାରିତ ବେଗ ସୀମାଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ, ଦୁଇଚକିଆ ଯାନରେ ୩ଜଣ ବସି ଯାତ୍ରା କଲେ, ବାଇକ୍/ସ୍କୁଟର ଚାଳକ କିମ୍ବା ସହ-ଯାତ୍ରୀ ହେଲମେଟ୍ ପିନ୍ଧି ନଥିଲେ, ରାଜପଥର ନିର୍ଦ୍ଧାରିତ ଦିଗର ବିପରୀତ ପାର୍ଶ୍ୱରେ ଗାଡ଼ି ଚଳାଇଲେ, ଆଇଇଏମ୍‌ଏସ୍‌ ଆପେଆପେ ଚାଲାଣ କାଟିବ। 

    ପାଣିକୋଇଲି-ରିମୁଳି ରାଜପଥରେ ଯାତାୟାତ କରୁଥିବା ବିଭିନ୍ନ ପ୍ରକାରର ଯାନବାହନ ପାଇଁ ପରିବହନ ପ୍ରାଧିକରଣ ପକ୍ଷରୁ ସର୍ବାଧିକ ବେଗ ସୀମା ନିର୍ଦ୍ଧାରିତ କରାଯାଇଛି। ନିୟମ ନମାନିଲେ ତଣ୍ଡ ଗଣିବାକୁ ପଡ଼ିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଚେତାବନୀ ଦିଆଯାଇଛି। ଓଡ଼ିଶାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି ଓ ପ୍ରଯୁକ୍ତି ବିଦ୍ୟାଭିତ୍ତିକ କରିବା ପାଇଁ ଇଣ୍ଟେଲିଜେଣ୍ଟ ଏନ୍‌ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଇଏମ୍ଏସ୍) ର ସମ୍ପ୍ରସାରଣ କରାଯାଇଛି। ଏହି ବ୍ୟବସ୍ଥା ଅଧୀନରେ ପାଣିକୋଇଲି-ରିମୁଳି ରାଜପଥରେ ଏହା କାର୍ଯ୍ୟକ୍ଷମ ହୋଇ ଆଇଇଏମ୍ଏସ୍ ନଭେମ୍ବର ୧ରୁ ସ୍ବୟଂକ୍ରିୟ ଇ-ଚାଲାଣ ପ୍ରକ୍ରିୟା କରାଯାଇଛି।

          ନଭେମ୍ବର ପହିଲାରୁ ଏହି ସିଷ୍ଟମ୍ ମାଧ୍ୟମରେ ନିୟମ ଉଲଂଘନକାରୀଙ୍କ ବିରୋଧରେ ସିଧାସଳଖ ଇ-ଚାଲାଣ ଜାରି କରାଯିବ। ବିଭିନ୍ନ ଯାନବାହନ ପାଇଁ ନିର୍ଦ୍ଧାରିତ ସର୍ବାଧିକ ବେଗ ସୀମା ଅନୁଯାୟୀ ୨ଚକିଆ ଯାନ ପାଇଁ ଘଣ୍ଟା ପ୍ରତି ୬୦ କିଲୋମିଟର, ୪ଚକିଆ ହାଲୁକା ଯାନ ପାଇଁ ଘଣ୍ଟା ପ୍ରତି ୧୦୦ କିଲୋମିଟର ଏବଂ ଭାରୀଯାନ ପାଇଁ ଘଣ୍ଟା ପ୍ରତି ୮୦ କିଲୋମିଟର ନିର୍ଦ୍ଧାରିତ ହୋଇଛି। ସମସ୍ତ ଗାଡ଼ି ଚାଳକ ଓ ସଡ଼କ ବ୍ୟବହାରକାରୀଙ୍କୁ ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *