କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ଦିନ । ଭାରତର ପ୍ରଥମ ନାଗରିକ ଆମ ମାଟିର ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଇସ୍ପାତ ସହର ରାଉରକେଲାରେ ଆମ ଗହଣରେ ଉପସ୍ଥିତ ଅଛନ୍ତି। ଆଧୁନିକ ଶିଳ୍ପ ବିପ୍ଲବର ପ୍ରାଣକେନ୍ଦ୍ର ସାଜିଥିବା ଇସ୍ପାତ ନଗରୀ ପାଇଁ ଅନେକ ଗୁଡିଏ ବିକାଶମୂଳକ ପ୍ରକଳ୍ପ ରାଷ୍ଟ୍ରପତିଙ୍କ ଦ୍ବାରା ଶୁଭାରମ୍ଭ ହୋଉଛି । ଓଡିଶାର ମିନି ଇଣ୍ଡିଆ କୁହାଯାଉଥିବା ଏହି ରାଉରକେଲା ସହରକୁ ମୁଁ ମହାମହିମ ରାଷ୍ଟ୍ରପତିଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରୁଛି ଏବଂ ମୋର କୃତଜ୍ଞତା ଜଣାଉଛି।
ରାଉରକେଲା କେବଳ ଏକ ଶିଳ୍ପ ସମୃଦ୍ଧ ସହର ନୁହେଁ। ଏହା ସ୍ୱପ୍ନ, ଶୃଙ୍ଖଳା, ବିବିଧତା ଏବଂ ବୈଭବରେ ପରିପୂର୍ଣ୍ଣ ସହର। ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟ ସାରା ଦେଶରେ ସୁନାମ ଅର୍ଜନ କରିଛି। ଏହି ସହର ରାଷ୍ଟ୍ର ନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି, ସୁଯୋଗ ଏବଂ ପରିଚୟ ଦେଇଛି। ଏହା ସହିତ ରାଉରକେଲା ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ଆଦିବାସୀ ସଂସ୍କୃତି ଏବଂ ବିଶେଷକରି ହକି ପାଇଁ ସ୍ବତନ୍ତ୍ରତା ଅର୍ଜନ କରିଛି । ଆଜି ରାଷ୍ଟ୍ରପତିଙ୍କ କରକମଳରେ ପ୍ରାୟ ୪୮ କୋଟି ଟଙ୍କା ବ୍ୟୟରେ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଉଦ୍ଘାଟନ ରାଉରକେଲା ସ୍ମାର୍ଟ ପ୍ରଶାସନକୁ ବିଶ୍ବସ୍ତରୀୟ କରିବା ପାଇଁ ଯାଉଛି । ଏହି ବ୍ୟବସ୍ଥା ରାଉରକେଲାକୁ ସୁରକ୍ଷିତ, ସ୍ମାର୍ଟ ଏବଂ ଅଧିକ ନାଗରିକ-ଅନୁକୂଳ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ୍ ଛାତ୍ରଛାତ୍ରୀ ଏବଂ ଯୁବପୀଢିଙ୍କୁ ଆମ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉତ୍ତମ ନିଦର୍ଶନ ଦେଖାଇବ। ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବିକାଶ କରିବା ସହ ଶିକ୍ଷା ଓ କୌତୁହଳର କେନ୍ଦ୍ର ପାଲଟିବ । ଆଗାମୀ ଦିନରେ ରାଉରକେଲା ଏୟାରପୋର୍ଟର ବିସ୍ତାର କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ। ଆହୁରି ମଧ୍ୟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଖୁବ୍ ଶୀଘ୍ର ସମ୍ପ୍ରସାରିତ ହେବାକୁ ଯାଉଛି। ଏଥିପାଇଁ ଆମ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି ଯେ, “ଚିପ୍ ସେ ଲେକେ ସିପ୍ ତକ୍, ସଭି ମେଁ ଆତ୍ମନିର୍ଭର ବନ୍ନା ହେ“ । ଆନନ୍ଦର କଥା, ସେହି ଚିପ୍ ତିଆରିରେ ଓଡିଶାର ଛାତ୍ରଛାତ୍ରୀଙ୍କର ବିଶେଷ ଅବଦାନ ରହିଛି। ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଏବଂ ରାଉରକେଲା ଏନ୍ଆଇଟି ଛାତ୍ରଛାତ୍ରୀମାନେ ତିନୋଟି ସେମିକଣ୍ଡକ୍ଟର ଚିପ୍ ତିଆରି କରିଛନ୍ତି। ଏହି ଚିପକୁ ସେମିକନ୍ ଇଣ୍ଡିଆ- ୨୦୨୫ ଯଶଭୂମି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଆଇ.ଟି ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମୁଁ ସେହି ଛାତ୍ରଛାତ୍ରୀମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛି। ନିଜର ଗବେଷଣାକୁ ଏହିଭଳି ଭାବେ ଜାରି ରଖନ୍ତୁ । ଦେଶରେ ଓ ବିଶ୍ବରେ ରାଜ୍ୟର ନାମକୁ ଆହୁରି ଉଚ୍ଚକୁ ନିଅନ୍ତୁ। ଆପଣଙ୍କୁ ସବୁ ପ୍ରକାରର ସୁବିଧା ଡବଲ ଇଞ୍ଜିନ ସରକାର ଯୋଗାଇଦେବେ। ଆଜି ରାଷ୍ଟ୍ରପତଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ୪ଟି ପ୍ରକଳ୍ପ ରାଉରକେଲାର ବିକାଶରେ ଅଂଶୀଦାର ସାଜିବ । ଦେଶର ବିକାଶ କେବଳ ଭିତ୍ତିଭୂମି ନୁହେଁ। ପ୍ରକୃତ ବିକାଶ ହେଉଛି ସମାଜର ପ୍ରତ୍ଯେକବର୍ଗ ଲୋକଙ୍କ ସଶକ୍ତିକରଣ। ପ୍ରଧାନମନ୍ତ୍ରୀ ଦେଶର ଶାସନ ଭାର ସମ୍ଭାଳିବା ପରେ ସମାଜର ସବୁ ବର୍ଗ ବିଶେଷ ଭାବେ ଆଦିବାସୀ, ଦଳିତ ଏବଂ ମହିଳାଙ୍କ ସଶକ୍ତିକରଣ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି।
ଆଜି ଆମ ସମ୍ମୁଖରେ ମହିଳା ଓ ଜନଜାତି ସଶକ୍ତିକରଣର ସବୁଠାରୁ ବଡ ଉଦାହରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୋଦୟା ଉପସ୍ଥିତ ଅଛନ୍ତି । ଏହାବ୍ଯତୀତ ଜନଜାତିଙ୍କ ଆଉ ଜଣେ ବିଶିଷ୍ଟ ଜନନେତା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସାରା ଓଡିଶାର ଜନଜାତି ସଶକ୍ତିକରଣର ପ୍ରତୀକ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ନେତୃମଣ୍ଡଳ ଓଡ଼ିଶାରେ ଆଉଜଣେ ଜନଜାତି ସମ୍ପ୍ରଦାୟର ଜନ ପ୍ରତିନିଧିଙ୍କୁ ରାଜ୍ୟର ମୁଖ୍ୟସେବକ ଭାବେ ସେବା କରିବାର ଦାୟିତ୍ବ ଦେଇଛନ୍ତି । ଏହି ସଶକ୍ତିକରଣକୁ ଆହୁରି ବ୍ୟାପକ କରିବା ପାଇଁ ଓ ତୃଣମୂଳସ୍ତରକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନାରୀଶକ୍ତି ବନ୍ଦନ ଅଧିନିୟମର ସଂଶୋଧନ ପାଇଁ ଯେଉଁ ବିଲ ଆଣିଥିଲେ ତାହା ଦେଶର ଗରିବ, ବଞ୍ଚିତ ଓ ସାଧାରଣ ମହିଳାଙ୍କ ସଶକ୍ତିକରଣ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥାଆନ୍ତା। କିନ୍ତୁ, ନିଚ୍ଛକ ରାଜନୈତିକ ଅଭିସନ୍ଧି ରଖି ପାରିତ କରାଇ ଦେଲେନାହିଁ। ଦେଶର ମହିଳା ସମାଜ ଏହି ବିରୋଧୀଦଳଙ୍କୁ କ୍ଷମା ଦେବ ନାହିଁ। ମୁଁ ପୁଣିଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ତାଙ୍କର ସଦୟ ଉପସ୍ଥିତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ନିରନ୍ତର ପ୍ରେରଣା ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ତାଙ୍କର ସଦୟ ଉପସ୍ଥିତି ଆଜିର ଏହି କାର୍ଯ୍ୟକ୍ରମକୁ ଅଧିକ ଗରିମାମୟ କରିଛି। ଶେଷରେ, ମୁଁ ରାଉରକେଲାବାସୀଙ୍କୁ ଅନୁରୋଧ କରୁଛି, ଏହି ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସମୃଦ୍ଧ ସହର କରିବାରେ ସମସ୍ତେ ସହଯୋଗ କରନ୍ତୁ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ ନିଜ ନିଜର ଅବଦାନ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ଵାନ ଦେଇଛନ୍ତି ।
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଖୁବ୍ ଶୀଘ୍ର ସମ୍ପ୍ରସାରିତ-ମୁଖ୍ୟମନ୍ତ୍ରୀ
