କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ଏବଂ କ୍ରୁଟର ନିରନ୍ତର ପ୍ରୟାସ ଫଳରେ କେନ୍ଦୁଝର ଆଜି ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଆପଣେଇବାରେ ଆଗୁଆ ହୋଇଛି। ପ୍ରାଥମିକ ଭାବେ ୨୫ଟି ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବସ୍ ସହରର ୬ଟି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଚଳାଚଳ କରିବ। ଏହା ଆମ ଜିଲ୍ଲାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ବିରାଟ ପଦକ୍ଷେପ।
ଏହି ବସ୍ଗୁଡ଼ିକ ଏପରି ଭାବେ ନିର୍ମିତ, ଯାହା ସହରର ଗଳି କନ୍ଦିରୁ ଆରମ୍ଭ କରି ପ୍ରମୁଖ ରାଜପଥ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁଗମ ସଂଯୋଗ ଯୋଗାଇଦେବ। ଆଗାମୀ ୧୦ ବର୍ଷ ପାଇଁ ୧୪୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ସେବା ପରିଚାଳିତ ହେବ। ଏଥିସହ ଡିଏମଏଫ ପାଣ୍ଠି ସହାୟତାରେ ୧୭.୧୨ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ବସ୍ ଡିପୋ ନିର୍ମାଣ କରାଯାଇଛି, ଯେଉଁଠାରେ ଫାଷ୍ଟ ଚାର୍ଜିଂ ଓ ରକ୍ଷଣାବେକ୍ଷଣର ସମସ୍ତ ବ୍ୟବସ୍ଥା ରହିଛି।
ଏହି ବସ୍ଗୁଡ଼ିକ ସମ୍ପୂର୍ଣ୍ଣ ବାତାନୁକୂଳିତ ହେବା ସହ ସିସିଟିଭି, ଲାଇଭ୍ ଟ୍ରାକିଂ ଏବଂ ସଙ୍କଟ ସମୟ ପାଇଁ ପାନିକ୍ ବଟନ୍ ସୁବିଧା ରହିଛି। ବିଶେଷକରି ମାତୃଶକ୍ତି, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବନ୍ଧୁମାନଙ୍କ ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପ ୧୫୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ସବୁଠାରୁ ଗୌରବର ବିଷୟ ହେଉଛି, ଏହି ସେବାରେ ଆମର ନାରୀ ଶକ୍ତି ସାରଥୀ (ଚାଳକ) ଏବଂ ଗାଇଡ୍ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିବେ।

୧୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ମୋଟ ୧୮୭ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର
ମାତ୍ର ୫ ଟଙ୍କାରୁ ଆରମ୍ଭ ହେଉଥିବା ଭଡ଼ା ଏବଂ ଡିଜିଟାଲ ପେମେଣ୍ଟ ସୁବିଧା ସାଧାରଣ ଯାତ୍ରୀ, ଛାତ୍ରଛାତ୍ରୀ ଓ ଶ୍ରମିକ ଭାଇଭଉଣୀମାନଙ୍କ ପାଇଁ ବେଶ୍ ସହାୟକ ହେବ। ଆମର ମୂଳ ଲକ୍ଷ୍ୟ ହେଉଛି କେନ୍ଦୁଝରରୁ କାର୍ବନ ନିର୍ଗମନ ହ୍ରାସ କରିବା। ବାର୍ଷିକ ପ୍ରାୟ ୩୩୦ରୁ ୩୯୦ ଟନ୍ କାର୍ବନ ହ୍ରାସ କରି ଏହି ଇଲେକ୍ଟ୍ରିକ୍ ବସ୍ ସେବା ଆମର ପରିବେଶକୁ ସୁରକ୍ଷିତ ରଖିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ।
ଏହାସହିତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ୭୦୪ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ ୬୨ଟି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ସେହିପରି ଅତି ଆନନ୍ଦର ବିଷୟ ଯେ, ଆଜି ୨୫୦ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ପନ୍ନ ହୋଇଛି, ଯାହା ଆଜିଠାରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ । ଏହା ସହିତ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଉ ୧୦୧ଟି ନୂତନ ପ୍ରକଳ୍ପ ପାଇଁ ୩୭୪ କୋଟି ୯୧ ଲକ୍ଷ ଟଙ୍କାର ଘୋଷଣା ମଧ୍ୟ କରିଛନ୍ତି ।
