କେନ୍ଦୁଝରରେ ନିଗମ ଆଶାୟୀଙ୍କ ଲମ୍ବା ଧାଡି

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : ଆଉ କିଛି ଦିନ ପରେ ରାଜ୍ୟରେ ବିଜେପି ସରକାର ଗଠନ ଦୁଇବର୍ଷ ପୁରିବାକୁ ଯାଉଛି । ସରକାର ଗଠନ ପରେ ସଦ୍ୟ ନିର୍ବାଚନରେ ପରାଜିତ କେତେକ ନେତା ଏବଂ ଦଳର ବରିଷ୍ଠ ନେତା ନିଗମ ଅଧ୍ୟକ୍ଷ ପଦରେ ଆସୀନ ହେବାନେଇ ଅଣ୍ଟାଭିଡିବା ଆରମ୍ଭ କରିଦେଇଥିଲେ । ଏମିତିକି କେନ୍ଦୁଝର ଜିଲାର କେତେକ ନେତା ରାଜଧାନୀ ଭୁବନେଶ୍ବରରେ ଡେରା ପକାଇ ନିଗମ ଅଧ୍ୟକ୍ଷ ପଦ ନେଇ ଲବି ମଧ୍ୟ ଆରମ୍ଭ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

     ନିକଟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୁର୍ବରୁ ନିଗମ ଅଧ୍ୟକ୍ଷ ପଦ ପୁରଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦୁଝର ମୁଖ୍ୟମନ୍ତ୍ରୀଙ୍କ ଜିଲା ହୋଇଥିବାରୁ ଏହି ଜିଲାରୁ ଅତିକମରେ ଦୁଇଜଣ ନେତା ନିଗମ ପଦର ଥଇଥାନ ହେବାନେଇ ଆଲୋଚନା ହେଉଛି । ତେବେ କେନ୍ଦୁଝରରୁ କିଏ ନିଗମ ପଦ ହାତେଇବେ ସେ ନିଷ୍ପତି ଖୋଦ୍ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବାକୁ ଥ‌ିବାରୁ କେନ୍ଦୁଝର ଜିଲାର ଆଶାୟୀ ଏବେ ପୁଣିଥରେ ରାଜଧାନୀରେ ଡେରା ପକାଇବା ଆରମ୍ଭ କରିଛନ୍ତି ।

        ଏହି ଦୌଡରେ ସର୍ବାଗ୍ରେ ଅଛନ୍ତି ଆନନ୍ଦପୁରର ପୂର୍ବତନ ନଗରପାଳ ରାମଚନ୍ଦ୍ର ସାହୁ ଓ ପୂର୍ବତନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ । ଏହି ଦୁଇନେତା ମୁଖ୍ୟମନ୍ତ୍ରୀ ମୋହନଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅତି ନିକଟତମ ହୋଇଥିବାରୁ ଏମାନେ ନିଗମ ପଦ ପାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ବିଜେପି ମୁଖପାତ୍ର ତଥା ଟାଣୁଆ ନେତା ସତ୍ୟବ୍ରତ ପଣ୍ଡାଙ୍କୁ ମଧ୍ୟ ନିଗମ ପଦରେ ଆସୀନ କରାଯାଇପାରେ ବୋଲି ଆଲୋଚନା ହେଉଛି ।

            ସେହିଭଳି ଜିଲା ବିଜେପିର ସାଧାରଣ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀଙ୍କ ବାଲ୍ୟବନ୍ଧୁ ଅନୁବ୍ରତ ବେହେରାଙ୍କୁ ମଧ୍ୟ ନିଗମ ପଦରେ ଥଇଥାନ କରାଯାଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି । ନିକଟରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ପଦକୁ ପ୍ରତ୍ୟାଖାନ କରିଥିବା ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ସୁକେଶୀ ଓରାମଙ୍କୁ ନିଗମ ପଦରେ ଥଇଥାନ କରାଯାଇ ତାଙ୍କର ମଧ୍ୟ ମାନଭଞ୍ଜନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

         ଏମାନଙ୍କୁ ବାଦ୍ ଦେଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ତେଲକୋଇର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରେମାନନନ୍ଦ ନାୟକ, ୨୦୨୪ ସାଧାରଣ ନିର୍ବାଚନରେ ଜିଲାରେ ଦଳର ମଙ୍ଗ ସମ୍ଭାଳି ୩ ବିଧାୟକ ଓ ଏକମାତ୍ର ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୂର୍ବତନ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମା, ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତ,ଆନନ୍ଦପୁରର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ, ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷା କିରଣବାଳା ନାଏକ, ବରିଷ୍ଠ ଆଇନଜୀବୀ ବିରଜା ମିଶ୍ର, ପୂର୍ବତନ ବଡବିଲ ନଗରପାଳ ଦିଲ୍ଲୀପ କୁମାର ମିଶ୍ର, ଜିଲା ବିଜେପିର ବରିଷ୍ଠ ନେତା ତଥା ଉପସଭାପତି ଦେବପ୍ରସାଦ ମିଶ୍ରଙ୍କ ନାମ ମଧ୍ୟ ନିଗମ ପଦ ନେଇ ଚର୍ଚ୍ଚାରେ ରହିଛି ।

     ତେବେ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଅତି ସତର୍କତା ଅବଲମ୍ବନପୂର୍ବକ ନିଗମ ପଦ ପୁରଣ କରାନଗଲେ ନିଗମ ପଦରୁ ବଞ୍ଚିତ ଆଶାୟୀ ନେତାଏ ଯେ ଦଳ ପାଇଁ ବୁମେରାଂ ହେବେ ସେହି ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏହି କାରଣରୁ ପଞ୍ଚାୟତ ଓ ପୌର ନିର୍ବାଚନ ପରେ ନିଗମ ପଦ ପୁରଣ କରାଯିବା ନେଇ ବିଶ୍ବସ୍ତ ମହଲରୁ ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *