ହାତୀପଲଙ୍କ ଫଟୋ-ଭିଡିଓ ଉଠାଇ ଯୁବକ ଗିରଫ

େନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର ): ଶୋଇଥିବା ହାତୀପଲଙ୍କ ନିକଟକୁ ଯାଇ ଭିଡିଓ ଓ ଫଟୋ ଉଠାଇବା ସହ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ବନ ବିଭାଗ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଯୁବକଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଭୁଲଦା (ବାଘମାରା) ଗ୍ରାମର ହିମାଂଶୁ ଶେଖର ମହାନ୍ତ (୧୮)।

             ମିଳିଥିବା ସୂଚନା ଅନୁଯାୟୀ, ପାଟଣା ରେଞ୍ଜ ଚିନାମାଳିପୋଷି ଅଞ୍ଚଳରେ ହାତୀପଲ ଶୋଇଥିବା ସମୟରେ ହିମାଂଶୁ ସେମାନଙ୍କ ଅତି ନିକଟକୁ ଯାଇ ଫଟୋ ଓ ଭିଡିଓ ଉତ୍ତୋଳନ କରି ସେହି ଫଟୋ ଓ ଭିଡ଼ିଓଗୁଡ଼ିକୁ ହ୍ୱାଟସଆପ୍ ଗ୍ରୁପରେ ପୋଷ୍ଟ କରି ଅନ୍ୟ ଲୋକଙ୍କୁ ମଧ୍ୟ ଘଟଣାସ୍ଥଳକୁ ଆସିବା ପାଇଁ ଆହ୍ୱାନ ଦେଉଥିଲେ। ବନ କର୍ମଚାରୀ ତାଙ୍କୁ ଏପରି ବିପଜ୍ଜନକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ବାରଣ କରିବାରୁ, ସେ ବନସାଥୀ ଓ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ସହ ଦୁର୍ବ୍ୟବହାର କରିଥିଲେ।

     ସୂଚନାଯୋଗ୍ୟ ଯେ, ଏଭଳି ବେପରୁଆ ବ୍ୟବହାର ଓ ହାତୀଙ୍କୁ ଉତ୍ତ୍ୟକ୍ତ କରିବା କାରଣରୁ କେନ୍ଦୁଝର ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ବୃଦ୍ଧି ପାଇବା ସହ ଅନେକ ଧନଜୀବନ ହାନି ହେଉଥିବା ବନ ବିଭାଗ ଦର୍ଶାଇଛି। ଏହାକୁ ଗମ୍ଭୀରତାର ସହ ନେଇ ଗୁରୁବାର ରାତିରେ ବନ ବିଭାଗ ଚଢ଼ଉ କରି ଅଭିଯୁକ୍ତ ହିମାଂଶୁଙ୍କୁ ଗିରଫ କରିଛି। ଏଭଳି ବେଆଇନ ଓ ବିପଜ୍ଜନକ କାର୍ଯ୍ୟରୁ ଦୂରେଇ ରହିବାକୁ ବନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି।

Leave a Reply

Your email address will not be published. Required fields are marked *