ଖଣି ବିଭାଗରେ ୧୨୨ କୋଟି ଷ୍ଟାମ୍ପ ଶୁଳ୍କ ଓ ପଞ୍ଜିକରଣ ଫି ହୋଇନି ଆଦାୟ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଇସ୍ପାତ ଓ ଖଣି ବିଭାଗରେ ରୟାଲିଟି, ପ୍ରିମିୟମ, ଡିଏମଏଫ, ଏନଏମଇଟି ଏବଂ ଡେଡ ରେଣ୍ଟର ବିଳମ୍ବିତ ଦେୟ ଉପରେ ୯୦.୬୧ କୋଟି ଟଙ୍କା ସୁଧ ଆଦାୟ କରାଯାଇ ନଥିଲା। କେବଳ ସେତିକି ନୁହେଁ, ଖଣି ଯୋଜନାରେ ଉତ୍ପାଦନ ସୀମା ବୃଦ୍ଧି ପରେ ଖଣି ଉପନିର୍ଦେଶକ ଯୋଡ଼ା ଲିଜ୍‌ ଡିଡ୍‌ ଚୁକ୍ତି ସଂଶୋଧନ କରିନଥିଲେ। ଫଳରେ, ୧୨୨କୋଟି ଟଙ୍କାର ଷ୍ଟାମ୍ପ ଶୁଳ୍କ ଏବଂ ପଞ୍ଜୀକରଣ ଫି’ ଆଦାୟ ହୋଇନଥିଲା। ଖଣି ଉପ ନିର୍ଦେଶକମାନେ ୨.୫୫କୋଟି ଟଙ୍କାର ଡେଡ ରେଣ୍ଟ ଏବଂ ୯୩.୭୧ଲକ୍ଷ ଟଙ୍କାର ପୃ‌ଷ୍ଠ ଭଡ଼ା ପାଇଁ ଦାବି ଉଠାଇ ନଥିଲେ। ଫଳରେ ରାଜସ୍ବ ଆଦାୟ ହୋଇପାରିଲା ନାହିଁ।
    ପରିବେଶଗତ ମଞ୍ଜୁରୀ ଅନୁଯାୟୀ, ଅନୁମୋଦିତ ପରିମାଣଠାରୁ ଅଧିକ ଖଣିଜ ପଦାର୍ଥର ମୂଲ୍ୟ ଆଦାୟ ନକରିବା ଫଳରେ ଲିଜ୍‌ଧାରୀଙ୍କୁ ୪୦.୬୭ କୋଟି ଟଙ୍କାର ଅହେତୁକ ଲାଭ ମିଳିଥିଲା। ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ କାର୍ଯ୍ୟଦକ୍ଷତା ଓ ଅନୁପାଳନ ସମୀକ୍ଷାରେ ଏହା ସ୍ପଷ୍ଟ କରିଛନ୍ତି ।

      ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି । ପରେ ସିଏଜି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ରିପୋର୍ଟ ପ୍ରକାଶ କରାଯାଇଛି । ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି, ପୂର୍ତ୍ତ ବିଭାଗରେ ପଥର ଉତ୍ପାଦ ପରିବହନ ପାଇଁ ମିଶ୍ରଣ ପ୍ଲାଣ୍ଟରୁ କାର୍ଯ୍ୟସ୍ଥଳକୁ ଅତିରିକ୍ତ ଦୂରତା ଦେୟ ଅନ୍ତର୍ଭୁକ୍ତ ହେବା ଦ୍ବାରା ଆକଳନ ମୂଲ୍ୟ ୧.୫୨ କୋଟି ଟଙ୍କା ବୃଦ୍ଧି ପାଇଥିଲା। ଆନ୍ତଃରାଜ୍ୟ ଚୁକ୍ତିନାମାର ସର୍ତ୍ତାବଳୀ ଉଲ୍ଲଙ୍ଘନ ଯୋଗୁଁ ଏକ ଚେକ୍ ଡ୍ୟାମ ନିର୍ମାଣ ଚୁକ୍ତିନାମାକୁ ଅଧାରୁ ବନ୍ଦ କରିବାକୁ ପଡ଼ିଲା, ତେଣୁ ୧.୧୪ କୋଟି ଟଙ୍କା ଅଯଥା ଖର୍ଚ୍ଚ ହୋଇଥିଲା।

    ଆଇଆର୍‌ସି ବ୍ୟବସ୍ଥାର ବିଚ୍ୟୁତିରେ ପକ୍କା ଚଟାଣ ସହିତ ଏକ ୨ ଲେନ୍ ସଡ଼କ ନିର୍ମାଣ ଫଳରେ ୫.୦୩କୋଟି ଟଙ୍କାର ପରିହାର୍ଯ୍ୟ ଅତିରିକ୍ତ ଖର୍ଚ୍ଚ ହୋଇଥିଲା। ଜିଏସ୍‌ବି ନିର୍ମାଣ ପାଇଁ ଉଚ୍ଚ ମୂଲ୍ୟ ପଦ୍ଧତି ଗ୍ରହଣ କରିବା ଦ୍ବାରା ଠିକାଦାରଙ୍କୁ ୧.୪୯କୋଟି ଟଙ୍କାର ଅହେତୁକ ଲାଭ ହୋଇଥିଲା।
     ଆପ୍ରୋଚ୍ ରୋଡ୍ ପାଇଁ ଜମି ଅଧିଗ୍ରହଣରେ ଅତ୍ୟଧିକ ବିଳମ୍ବ ଯୋଗୁଁ ୪.୫୧ କୋଟି ଟଙ୍କା ନିରର୍ଥକ ଖର୍ଚ୍ଚ ହୋଇଥିଲା। ରାଜ୍ୟ ଦର ବିଶ୍ଳେଷଣକୁ ପାଳନ ନକରି ସଡ଼କ କାର୍ଯ୍ୟରେ ଶୁଷ୍କ ଲିନ୍ କଂକ୍ରିଟ୍ ଯୋଗାଣ ଆକଳନ ଖର୍ଚ୍ଚକୁ ବୃଦ୍ଧି କରିଥିଲା, ଫଳରେ ୧.୯୮କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହୋଇଥିଲା।

     ଜିଏସବି ସାମଗ୍ରୀ ପରିବହନରେ ଭୁଲ ପରିବହନ ଖର୍ଚ୍ଚ ଗ୍ରହଣ କରିବା ଦ୍ବାରା ଠିକାଦାରମାନଙ୍କୁ ୮.୦୬ କୋଟି ଟଙ୍କାର ଅଯଥା ଆର୍ଥିକ ଲାଭ ମିଳିଥିଲା। ୬ଟି ସେତୁ ନିର୍ମାଣ ପାଇଁ ଇସ୍ପାତର ଆବଶ୍ୟକତାର ଭୁଲ ମୂଲ୍ୟାୟନ ଯୋଗୁଁ ଚୁକ୍ତିନାମା ବାଜ୍ୟାପ୍ତ ହୋଇଥିଲା। ବଳକା କାର୍ଯ୍ୟର ପୁନଃ ଟେଣ୍ଡରିଂ ଫଳରେ ୫.୮୯କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ହୋଇଥିଲା। ସେହିପରି ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗରେ ଜଙ୍ଗଲ ଜମି ହସ୍ତାନ୍ତର ନୂତନ ଉପଭୋକ୍ତା ସଂସ୍ଥାରୁ ୨୦.୮୬ କୋଟି ଟଙ୍କା କ୍ଷତିପୂରଣ ଦେୟ ଆଦାୟ ହୋଇନଥିଲା।

Leave a Reply

Your email address will not be published. Required fields are marked *