କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥା ଇଣ୍ଡିଆନ ବାଏ ବାର୍ଥ କେନ୍ଦୁଝରର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବୁଧବାର ଶଙ୍କରପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ନବଦମ୍ପତି ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା
ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏ, ଜିଲ୍ଲାପାଳ ଵିଶାଲ ସିଂହ, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡ଼ି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ସମାଜର ଅନଗ୍ରସର ବର୍ଗର ଲୋକଙ୍କର ବିବାହ ସମ୍ବନ୍ଧୀୟ ଆର୍ଥିକ ବୋଝ ହ୍ରାସ କରିବା ସହିତ ମହିଳାଙ୍କ ସ୍ୱାଭିମାନ ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଏହି ଯୋଜନା ଅତ୍ୟନ୍ତ ଲୋକପ୍ରିୟ ହୋଇଛି। ଏହା ବିଧବା ପୁନର୍ବିବାହକୁ ପ୍ରୋତ୍ସାହନ ଦେବା ସହିତ ଯୌତୁକ ପ୍ରଥା ନିରାକରଣ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉଭା ହୋଇଛି। ଏହି ଯୋଜନା ଅନୁସାରେ ଝିଅଙ୍କ ବୟସ ୧୮ ରୁ ୩୫ ବର୍ଷ ଓ ପୁଅଙ୍କ ବୟସ ୨୧ ରୁ ୩୫ ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ ୩୯ ଜଣ ବର–କନ୍ୟା ଯୋଡ଼ି ଆଜିର କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଏହି ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ ୪୫,୦୦୦ ଟଙ୍କା ଜମା କରାଯିବା ସହିତ ମୋଟ ୬୦,୦୦୦ ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି। ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସମାଜିକ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିବା ସହ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସବିତା ଦାଶ, ଇଣ୍ଡିଆନ ବାଏ ବାର୍ଥର ପ୍ରତିଷ୍ଠାତା ସୁନୀଲ କୁମାର ବେହେରା, ସହପ୍ରତିଷ୍ଠାତା ଇଂ ସତ୍ୟରଞ୍ଜନ ସାହୁ ଏବଂ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ। ଶେଷରେ ଉପମୁଖ୍ୟମନ୍ତ୍ରୀ ସମସ୍ତ ନବଦମ୍ପତିଙ୍କ ସହ ଏକ ସାମୁହିକ ଫୋଟୋ ଉତ୍ତୋଳନ କରି ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିଥିଲେ ।
