ଖଟିଆରେ ଉଛୁଳା ନଦୀ ପାରି ହେଲେ ରୋଗୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : ନଦୀରେ ପୋଲ ନ ଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ରୋଗୀଙ୍କୁ ନେବା ପାଇଁ ନଦୀ ଆରପଟେ ଅପେକ୍ଷା କରି ରହିଲା ଆମ୍ବୁଲାନ୍ସ। ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗ୍ରାମବାସୀ ବାଧ୍ୟ ହୋଇ ନିଜ ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ରୋଗୀଙ୍କୁ ପାର୍‌ କରାଇଲେ।

      ସୁନ୍ଦରଗଡ଼ ଜିଲାର ଖଣି ସମୃଦ୍ଧ କୋଇଡ଼ା ଅଞ୍ଚଳରୁ ସୋମବାର ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ରୋଗୀଜଣଙ୍କ ହେଲେ, କୋଇଡ଼ା ବ୍ଳକ କେ. ବଲାଙ୍ଗ ଥାନା ଅନ୍ତର୍ଗତ ଗାଢ଼ାଟୋଲା ଗାଁର ତେଲାନ ସାମଦ। ତାଙ୍କୁ ପ୍ରଥମେ କେ.ବଲାଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
      ସୂଚନାନୁଯାୟୀ, ତେଲାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା। ତାଙ୍କୁ ହସ୍ପିଟାଲ ନେବା ଲାଗି ପରିବାର ଲୋକେ ଆମ୍ବୁଲାନ୍ସ ଡକାଇଥିଲେ। କିନ୍ତୁ ସମିଜ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏବଂ ନଦୀ ଉପରେ ପୋଲ ନଥିବାରୁ ଆମ୍ବୁଲାନ୍ସଟି ନଦୀ ଆରପଟେ ଅପେକ୍ଷା କରି ରହିଥିଲା। ବାଧ୍ୟ ହୋଇ ଗ୍ରାମବାସୀ ନିଜ ଜୀବନକୁ ବିପନ୍ନ କରି ସାମଦଙ୍କୁ ଖଟରେ ବୋହି ଉଛୁଳା ନଦୀ ପାରି କରାଇଥିଲେ।

         ଏହି ଅଞ୍ଚଳ ପ୍ରତିବର୍ଷ ୨୦ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ରାଜସ୍ବ ଦେଇଆସୁଛି। କିନ୍ତୁ, ଅଞ୍ଚଳବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ଏପର୍ଯ୍ୟନ୍ତ ଅପହଞ୍ଚ ହୋଇରହିଛି। ପ୍ରତିବର୍ଷ ବର୍ଷା ଋତୁରେ ସମିଜ ନଦୀ ଫୁଲି ଉଠେ। ଏହି କାରଣରୁ କେ.ବଲାଙ୍ଗ ପଞ୍ଚାୟତର ଗାଢ଼ାଟୋଲା ଓ ବାକରଟୋଲା ଗ୍ରାମବାସୀ ବର୍ଷାଋତୁର ୩/୪ ମାସ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାନ୍ତି। ଏହି ନଈ ଉପରେ ପୋଲ ନିର୍ମାଣ କରାଯିବା ପାଇଁ ଅଞ୍ଚଳବାସୀ ଦୀର୍ଘବର୍ଷ ଧରି ଦାବି କରି ଆସୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନାହାନ୍ତି। ବର୍ଷା ଋତୁରେ ରୋଗୀ ଖଟରେ ବୁହାହୋଇ ବିପଜ୍ଜନକ ଅବସ୍ଥାରେ ନଦୀ ପାରି ହୁଅନ୍ତି। ତେବେ, ନଦୀରେ ପାଣି ବଢ଼ି ବନ୍ୟା ପରିସ୍ଥିତି ଆସିଲେ ନଦୀ ପାରି ହୋଇନପାରି ଭାଗ୍ୟକୁ ଆଦରି ରୋଗୀ ଶଯ୍ୟାରେ ପଡ଼ିଥାନ୍ତି ।

Leave a Reply

Your email address will not be published. Required fields are marked *