କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଚଳିତମାସ ୮ରୁ ଆରମ୍ଭ ହେବାକୁ ଯାଉଛି କେନ୍ଦୁଝରର ପ୍ରସିଦ୍ଧ କାଳୀପୂଜା । ଏଥିପାଇଁ ସହରର ୩ ପ୍ରମୁଖ କାଳୀପୂଜା କମିଟି ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ଅନ୍ଧାର ଉପରେ ଆଲୋକର ଏବଂ ଅଧର୍ମ ଉପରେ ଧର୍ମର ଜୟ ଆଲୋକର ପର୍ବ ଦୀପାବଳୀ ସମେତ ମା’ କାଳୀଙ୍କ ପୂଜାତ୍ସୋବ ପାଇଁ ସଜେଇ ହେଲାଣି ସମଗ୍ର କେନ୍ଦୁଝର ସହର ।
ଚଳିତମାସ ୮ ତାରିଖ ରାତିରୁ ଆରମ୍ଭ ହେବାକୁଥିବା ଏହି ପୂଜାତ୍ସୋବକୁ ଧୂମଧାମରେ ପାଳନ ପାଇଁ ମାଧପୁରସ୍ଥିତ ମା’ଙ୍କ ଶକ୍ତପୀଠ ଠାରୁ ଆରମ୍ଭ କରି ୩ ପ୍ରମୁଖ ପୂଜାମଣ୍ଡପ ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ଆଗେଇ ଚାଲିଛି । କେନ୍ଦୁଝର ସହରର ମାଧପୁରସ୍ଥିତ ମା’ କାଳୀଙ୍କ ଶକ୍ତିପୀଠକୁ ବାଦ୍ ଦେଲେ କାଳୀପଡିଆସ୍ଥିତ କାଳୀତୀର୍ଥ ପୂଜା କମିଟି, ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖ ମା’ କାଳୀପୂଜା କମିଟି ଓ କାଶୀପୁର ଶ୍ମଶାନ କାଳୀପୂଜା କମିଟି ଆଦି ପ୍ରମୁଖ ୩ ପୂଜାମଣ୍ଡପରେ ସୁଦୃଶ୍ୟ ତୋରଣ ସାଙ୍ଗକୁ ମା’ଙ୍କ ମୃଣ୍ମୟ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି ।
କେବଳ ଏହି ୩ ପୂଜାମଣ୍ଡପ ନୁହେଁ, ଆଲୋକର ପର୍ବ ଏହି ଦୀପାବଳୀକୁ ଆନନ୍ଦଉଲ୍ଲାସର ସହ ପାଳନ ପାଇଁ ସମଗ୍ର କେନ୍ଦୁଝର ସହରର ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବାସଭବନ ମାନଙ୍କରେ ଆଲୋକମାଳାର ସାଜସଜ୍ଜା କେନ୍ଦୁଝର ସହରକୁ ଏବେଠାରୁ ନବବଧୂ ରୂପରେ ସଜେଇ ହୋଇଥିବା ଦେଖିବାକୁ ମିଳିଛି ।
ରାଜାରାଜୁଡା ଅମଳରୁ କେନ୍ଦୁଝରର ଏକ ପ୍ରମୁଖ ପର୍ବ ଭାବେ କାଳୀତୀର୍ଥ ପୂଜାକମିଟି ପକ୍ଷରୁ କାଳୀପଡିଆରେ ହୋଇଆସୁଥିବା କାଳୀପୂଜା ଚଳିତବର୍ଷ ୮୬ବର୍ଷରେ ପଦାର୍ପଣ କରିଛି । ଏଥନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ କାଳୀପଡିଆରେ ମୀନାବଜାର ଆୟୋଜନ ସହ ଅପେରା ପ୍ରଦର୍ଶିତ ହେବାକୁ ଯାଉଛି । ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖସ୍ଥ ମା’ କାଳୀପୂଜା କମିଟି ପକ୍ଷରୁ ଆୟୋଜିତ ପୂଜା ଚଳିତବର୍ଷ ୫୮ ବର୍ଷରେ ପଦାର୍ପଣ କରିଛି । ରୂପାରେ ନିର୍ମିତ ମା’ଙ୍କ ମୁକୁଟ ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିଥିବା ବେଳେ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲଟେରୀ ଉଠାଣ, ମୀନାବଜାର ଓ ଫେସନବଜାର, ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ସମେତ କେନ୍ଦୁଝର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ହୋଟେଲ ବ୍ୟବସାୟୀଙ୍କ ପକ୍ଷରୁ ଆଇଟିଡିଏ କଲୋନୀ ସମ୍ମୁଖରେ ଖାଦ୍ୟମେଳାର ଅୟୋଜନ ପୂଜା ବଜାରକୁ ଅଧିକ ଆକର୍ଷଣୀୟ କରିବ ବୋଲି ପୂଜା କମିଟି କର୍ମକର୍ତ୍ତା ସୁରେଶ ଚନ୍ଦ୍ର ରାଉତ କହିଛନ୍ତି ।
କାଶୀପୁର ଶ୍ମଶାନ କାଳୀପୂଜା ଚଳିତବର୍ଷ ୩୯ବର୍ଷରେ ପଦାର୍ପଣ କରିଥିବା ବେଳେ ପୂଜାକୁ କିଭଳି ଅଧିକ ଆକର୍ଷଣୟ ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ସୁଦୃଶ୍ୟ ତୋରଣ ସାଙ୍ଗକୁ ବିଭିନ୍ନ ଆଲୋକମାଳାରେ ସାଜସଜ୍ଜା କାର୍ଯ୍ୟ ଆଗେଇ ଚାଲିଛି । ପ୍ରମୁଖ ଏହି ୩ ପୂଜା କମିଟି ପକ୍ଷରୁ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କାଳୀତର୍ଥ ଓ ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖସ୍ଥ ମା’ କାଳୀପୂଜା କମିଟି ପକ୍ଷରୁ ନଭେମ୍ବର ୧୯ତାରିଖରେ ଭସାଣ ଉତ୍ସବ ବେଶ୍ ଧୂମଧାମରେ ଆୟୋଜନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା କାଳୀତୀର୍ଥ ପୂଜା କମିଟି ସମ୍ପାଦକ ଦୀପକ କୁମାର ମିଶ୍ର କହିଛନ୍ତି । ତେବେ କାଶୀପୁର ଶ୍ମଶାନକାଳୀ ପୂଜା ଭସାଣ ଉତ୍ସବ ଚଳିତ ମାସ ୨୦ତାରିଖରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।
