କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଗୁରୁବାର ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୃଷକ, ବିଭିନ୍ନ ସରକାରୀ ବିଭାଗ ଅଧିକାରୀ ଏବଂ ଅନ୍ୟାନ୍ୟ ସହଭାଗୀ ଯୋଗଦାନ କରିଥିଲେ।
କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ର କେନ୍ଦୁଝରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ସୁକାନ୍ତ କୁମାର ସାହୁ, ଚମ୍ପୁଆ ଓ ଆନନ୍ଦପୁରର ଜିଲ୍ଲା କୃଷି ଅଧିକାରୀ, ସମର ବିଶ୍ୱାଳ ନିର୍ବାହୀ ଯନ୍ତ୍ରୀ କୃଷି ବିଭାଗ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଏବଂ ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ବୈଷୟିକ ଅଧିବେଶନରେ “ଶ୍ରୀ ଅନ୍ନ ଏବଂ ଦେଶୀୟ ବିହନ ପ୍ରଣାଳୀର ସୁଦୃଢ଼ୀକରଣ” ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏଥିସହିତ “ସହଭାଗିତାଭିତ୍ତିକ ବିହନ ପ୍ରଣାଳୀ ଓ ଜୈବ ବିବିଧତା ମାଧ୍ୟମରେ ସହନଶୀଳ ଖାଦ୍ୟ ବ୍ୟବସ୍ଥାର ବିକାଶ” ବିଷୟବସ୍ତୁ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଶ୍ରୀ ଅନ୍ନ ଅଭିଯାନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ଆଲୋଚନା ହେବା ସହିତ ପାରମ୍ପରିକ ମାଣ୍ଡିଆ କିସମର ସଂରକ୍ଷଣ, ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ସ୍ଥାୟୀ ଓ ସହନଶୀଳ ଖାଦ୍ୟ ବ୍ୟବସ୍ଥା ପାଇଁ କୃଷି ଜୈବ ବିବିଧତାର ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସହଯୋଗୀ ସଂସ୍ଥା, କୃଷକ ଉତ୍ପାଦକ ସଙ୍ଗଠନର ପ୍ରତିନିଧି ଏବଂ ବହୁ ସଂଖ୍ୟକ କୃଷକ ଯୋଗଦେଇ ନିଜ ନିଜର ଅଭିଜ୍ଞତା ଓ ମତାମତ ଉପସ୍ଥାପନ କରିଥିଲେ।
ଏହି ଅବସରରେ ମାଣ୍ଡିଆ ଚାଷ ଓ ଏହାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦ଜଣ ଶ୍ରେଷ୍ଠ ମାଣ୍ଡିଆ ଚାଷୀ, ଜଣେ ଶ୍ରେଷ୍ଠ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗୀ ଏବଂ ଜଣେ ଦେଶୀୟ ବିହନ ସଂରକ୍ଷକ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମଟି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କେନ୍ଦୁଝରଙ୍କ ଦ୍ୱାରା ସୁଚାରୁରୂପେ ପରିଚାଳିତ ହୋଇଥିଲା। ଶେଷରେ ନାରାୟଣ ପାଣିଗ୍ରାହୀ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଅନ୍ନ ଅଭିଯାନ କେନ୍ଦୁଝର ଧନ୍ୟବାଦ ଅର୍ପଣ କରିଥିଲେ।
