କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସି ଗୁରୁବାର ଅପରାହ୍ନରେ ପଦ୍ମପୁର ଠାରେ ପହଞ୍ଚିବା ପରେ ଜିଲା ପ୍ରଶାସନ ଏବଂ ବିଜେପିର ବହୁ ଦଳୀୟ ନେତା ଓ କର୍ମୀ ପୁଷ୍ପଗୁଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତଃ ଯୋଗେନ୍ଦ୍ରନାଥ ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

ଗୁରୁବାର କେନ୍ଦୁଝରରେ ରାତ୍ରିଯାପନ ପରେ ୬ ଓ ୭ ତାରିଖ ଦୁଇ ଦିନ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ବିକାଶ ସମ୍ବନ୍ଧୀୟ ଅନେକ ପ୍ରକଳ୍ପର ଉଦଘାଟନ ଓ ଭୂମିପୂଜନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମିଲ ହେବେ । ପ୍ରଶାସନ ପକ୍ଷରୁ ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶୁକ୍ରବାରୁ ସକାଳ ୯ଟା ୩୦ମି.ରେ ଧରଣୀଧର ବିଶ୍ୱବିଦ୍ୟାଳୟ ଦକ୍ଷିଣ କ୍ୟାମ୍ପସ ଏକାଡେମିକ ବିଲଡିଂ ଓ ଛାତ୍ରାବାସ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ, ସକାଳ ୯ଟା ୫୫ରେ ମାଳିଗାଁ ଟେକ୍ ବିଜନେସ୍ ପାର୍କ ଭୂମିପୂଜନ, ସକାଳ ୧୦ଟା ୨୦ରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କେନ୍ଦୁଝରର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, କର୍କଟ ସ୍କ୍ରିନିଂ ୟୁନିଟ୍, ମଡ୍ୟୁଲାର ଅପରେସନ ଥିଏଟର, ମଲ୍ଟି ୟୁଟିଲିଟି ସେଣ୍ଟର ଓ ପୋଲିସ ଆଉଟପୋଷ୍ଟର ଉଦଘାଟନ ସହିତ ଡେଣ୍ଟାଲ ଓ ନର୍ସିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ, ସକାଳ ୧୧ଟାରେ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆ ଉତ୍ତର କ୍ୟାମ୍ପସରେ GMAPV ଫେଜ୍-୩ (୬୨୭ସ୍କୁଲ) ସମେତ ଜିଲ୍ଲାର ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ ।

୭ ତାରିଖ ଶନିକାର ସକାଳ ୯ଟା ୩୦ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଝୁମ୍ପୁରାର ନୂତନ ଗୃହ ଉଦଘାଟନ, ସକାଳ ୧୦ଟା ୧୦ମି. ରେ ପମ୍ପହାଉସ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପକ୍ଷରୁ ରାଇକଳାରେ ୩ଟି ମେଗା ଉଠା ଜଳସେଚନ ପ୍ରକଳ୍ପର ଭୂମିପୂଜନ, ସକାଳ ୧୦ଟା ୩୫ ମି. ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ରାଇକଳା ଶାଖା ଉଦଘାଟନ, ସକାଳ ୧୧ଟାରେ ରାଇକଳାରେ ୩ଟି ମେଗା ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ସାଧାରଣ ସଭାକୁ ସମ୍ବୋଧିତ କରିବା ସ୍ଥିରିକୃତ ହୋଇଛି ।
