ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ମାରି ପଥର ବାନ୍ଧି କୁଅରେ ଫିଙ୍ଗିଦେଲେ ଦୁର୍ବୁତ୍ତ: ୫ ଗିରଫ

କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର):  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଲୋମହର୍ଷକ ଘଟଣା । ଗତ ଜୁନ ୨୭ରୁ ନିଖୋଜ ଦମ୍ପତିଙ୍କ ଗଳିତ ଶବ ବଳିପର୍ବତ ସ୍କୁଲ ନିକଟସ୍ଥ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୁଅରୁ ଉଦ୍ଧାର ହୋଇଛି ।  ଉକ୍ତ ଦମ୍ପତି ହେଉଛନ୍ତି ଦୈତାରୀ ଥାନା ବଳିପର୍ବତ ହୁର୍ଲାବାହାଳି ସାହିର ଖଗେଶ୍ୱର ସୋରେନ (ଲେଢ଼ା) ଓ ପତ୍ନୀ ଟୁନି ସୋରେନ (ପାର)  ।

       ଉଭୟ ଗତ ୨୭ ତାରିଖ ଶନିବାର ଠାରୁ ନିଖୋଜ ଥିଲେ ।  ଘର ଲୋକେ ବହୁ ଖୋଜା ଖୋଜି ପରେ ଉଭୟଙ୍କ ପତ୍ତା ନ ମିଳିବାରୁ ସ୍ଥାନୀୟ ଦୈତାରୀ ଥାନାରେ ଅଭିଯୋଗ କରିଥିଲେ।  ଦୈତାରୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।  ଉକ୍ତ ଘଟଣାରେ ପରିବାର ଲୋକେ ୫ ଯୁବକଙ୍କୁ ସନ୍ଦେହ କରିଥିବା ବେଳେ ପୋଲିସ ୫ଜଣ ଯୁବକଙ୍କୁ ନିଜ ହେପାଜତକୁ ଆଣି ପଚରା ଉଚାରା କରିବାରୁ ସେମାନେ ସତ ମାନିଥିଲେ । ଶନିବାର ଉଭୟ ଦମ୍ପତିଙ୍କ ମରଶରୀରକୁ ଯେଉଁଠାରେ ପକାଇଥିଲେ ସେହି ସ୍ଥାନକୁ ପୋଲିସକୁ ଦେଖାଇଥିଲେ । 

               ଦୈତାରୀ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁରକୁ ପଠାଇଛନ୍ତି । ଖଗେଶ୍ୱରଙ୍କ ଭାଇ ଲକ୍ଷ୍ମଣଙ୍କ କହିବା ଅନୁସାରେ କିଛି ବର୍ଷ ବ୍ୟବଧାନରେ ଖଗେଶ୍ୱର କଠିନ ପରିଶ୍ରମ ବଳରେ ବାଇକ୍ ଓ ଭଲ ଘରଟିଏ କରିଥିବା ବେଳେ ଗ୍ରାମର ୫ଜଣ ଯୁବକ ଇର୍ଷାନ୍ଵିତ ହୋଇ ଏଭଳି  ଘଟଣା ଭିଆଇ ଥାଇପାରନ୍ତି ।  କିନ୍ତୁ ପୋଲିସ ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡଟି ଗୁଣିଗାରେଡି ସନ୍ଦେହକୁ ନେଇ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଦୈତାରୀ ପୁଲିସ୍ ଅଟକ ଥିବା ୫ ଅଭିଯୁକ୍ତ ଶିବ ମୁଣ୍ଡା( ୩୦), ରେଙ୍ଗ ବାନରା (୨୯), ଘନଶା ହାଁସଦା(୪୯), ଅନୁପ ହେମ୍ବ୍ରମ ( ୩୮) ଓ ଅନ୍ତୁଷ କୁମାର ତପନ (୨୯)କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାସ୍ଥଳରେ ଆନନ୍ଦପୁର ଏସଡିପିଓ, ଦୈତାରୀ ଓ ହରିଚନ୍ଦନପୁର ଥାନା ଅଧିକାରୀଙ୍କ ସମେତ ଫରେନସିକ୍ ଟିମ୍ ମିଳିତ ଭାବେ ଘଟଣାର ଅଧିକତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *