ଡାକ୍ତରଙ୍କ ଆନ୍ଦୋଳନ ଆଗରେ ହାର ମାନିଲା ମାନବିକତା: ହୋଇପାରୁନି ଶବ ବ୍ୟବଚ୍ଛେଦ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ହୋଇପାରୁନି ଶବ ବ୍ୟବଚ୍ଛେଦ । କେନ୍ଦୁଝର ଜିଲ୍ଲା ଯୋଡ଼ା ଟାଟା ଷ୍ଟିଲ୍ ହସ୍ପିଟାଲରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ି ରହିଛି ଶବ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ମାଲଦା ସଂରକ୍ଷିତ ଜଙ୍ଗଲରେ ଚୋରା ମାଙ୍ଗାନିଜ୍ ଉତ୍ତୋଳନ ବେଳେ ଅତଡ଼ା ଧସି ୧୮ ବର୍ଷୀୟ ଯୁବକ କ୍ରିସ କଚ୍ଛପଙ୍କ ମୃତ୍ୟୁ ଘଟିଥିଲା ।

            ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ମାଲଦା ସଂରକ୍ଷିତ ଜଙ୍ଗଲରେ ଚାଲିଥିଲା ଚୋରା ମାଙ୍ଗାନିଜ୍ ଉତ୍ତୋଳନ । ମାଙ୍ଗାନିଜ୍ ଉତ୍ତୋଳନ ବେଳେ ମାଟି ଅତଡ଼ା ଖସି ଗତ ବୁଧବାର  ଶ୍ରମିକ କ୍ରିସ କଚ୍ଛପଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ ମୁଣ୍ଡା ନାମକ ଜଣେ ନାବାଳକ ଗୁରୁତର ଆହତ ହୋଇ ଯୋଡ଼ାସ୍ଥିତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

      ତେବେ ବିଡ଼ମ୍ବନାର ବିଷୟ, ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ୪୮ ଘଣ୍ଟା ହେଲା ଯୋଡ଼ା ଟାଟା ହସ୍ପିଟାଲ୍ ଶବ ଗୃହରେ ପଡ଼ିରହିଛି ଶ୍ରମିକର ମୃତଦେହ । ଗୁରୁବାର ବ୍ୟବଚ୍ଛେଦ ପାଇଁ ମୃତଦେହ ବଡ଼ବିଲ୍ ନେଇଥିଲେ ପରିବାର ଲୋକେ । ହେଲେ, ଆନ୍ଦୋଳନ ପାଇଁ ଶବ ବ୍ୟବଛେଦ ହୋଇପାରି ନଥିବା ସୂଚନା ମିଳିଛି । ବ୍ୟବଚ୍ଛେଦ ହୋଇ ନପାରିବାରୁ ପୁଣି ଥରେ ଯୋଡ଼ା ଟାଟା ହସ୍ପିଟାଲ୍ ଶବ ଗୃହକୁ ଫେରିଲା ଶ୍ରମିକର ଶବ । ଡାକ୍ତରୀ ଆନ୍ଦୋଳନ ଆଗରେ ହାର୍ ମାନିଲା ମାନବିକତା । ଶବ ବ୍ୟବଚ୍ଛେଦ ହୋଇ ନପାରିବାରୁ ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ  ।

Leave a Reply

Your email address will not be published. Required fields are marked *