ଅସହାୟ ପଞ୍ଚୁ ଜୁଆଙ୍ଗକୁ ସହାୟ ହେବ ତ ପ୍ରଶାସନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଗରିବ ଦିନ ମଜୁରିଆ ଆଦିବାସୀ ଲୋକର କରୁଣ କାହାଣୀ କାହା କାନରେ ପଡିଲା ନାହିଁ। ଝାଟିମାଟି ଭଙ୍ଗା ଦଦରା ଛପର ଘର କାହାରି ଦୃଷ୍ଟିକୁ ଆସିଲା ନାହିଁ। ବର୍ଷବର୍ଷ ଧରି ନେହୁରା ହେଲେ ବି ଘର ମରାମତି କେହି କଲେ ନାହିଁ। ଝଡ ବର୍ଷାର ଦାଉ ଭିତରେ ବିତୁଛି ଜୀବନ।

      ବାଂଶପାଳ ବ୍ଲକ କୋଡିପଶା ପଞ୍ଚାୟତ ଅଧିନ କୁଣ୍ଢେଇ ଗାଁ ପଞ୍ଚୁ ଜୁଆଙ୍ଗର ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ଗାଁ ପାଖରେ ନିୟମିତ କାମ ମିଳେ ନାହିଁ ବୋଲି, ପଞ୍ଚୁ କଟକରେ ରହି କାମ କରେ। ଗାଁରେ ସ୍ତ୍ରୀ ପର ଘରେ ମଜୁରୀ କରି ପିଲାଙ୍କୁ ପାଳେ। ଚାଷ ବୋଲି କିଛି ନାହିଁ। ଯାହା ରୋଜଗାର କରନ୍ତି, ସବୁ କିଛି ଖାଇବା ପିନ୍ଧିବାକୁ ନିଅଣ୍ଟ। ଘର ମରାମତି ତାଙ୍କ ତାକତ ବାହାରେ।

     ସ୍ଵାମୀ, ସ୍ତ୍ରୀ ଓ ଦୁଇ ପିଲାଙ୍କୁ ମିଶାଇ ୪ଜଣକୁ ନେଇ ପଞ୍ଚୁର ପରିବାର । ଗୋଟିଏ ବଖରା ଘର। ପୁଣି ଜରିପାଲ ଘୋଡା ଦଦରା ଛପର ତଳେ ପିଲାଙ୍କୁ ନେଇ ରୁହେ। ତୋଫାନ ହେଲେ ଧୂଳି ପଶି ଯାଏ। ଜୋର୍ ବର୍ଷା ହେଲେ ପାଣି ଝରେ। ତା’ରି ସାଙ୍ଗକୁ ବିଛା, ସରିସୃପର ଭୟ। ଏହା କାହା ହୃଦୟକୁ ଛୁଇଁଲା ନାହିଁ। ପଞ୍ଚାୟତ ଅଧିକାରୀ, ବ୍ଲକ ନା ଜିଲ୍ଲା ପ୍ରଶାସନ, କେହି ଏ ଦଦରା ଛପର ଘର ମରାମତି ପାଇଁ ପଦକ୍ଷେପ ନେବାକୁ ଉଚିତ୍ ମଣିଲେ ନାହିଁ।

     ସ୍ୱେଚ୍ଛାସେବୀ ସଙ୍ଗଠନ ଆଶା ଲେଖିଲା ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ, କେନ୍ଦୁଝର ଜିଲ୍ଲାପାଳଙ୍କ ସମସ୍ତଙ୍କୁ ଅଭିଯୋଗପତ୍ର ପଠାଗଲା। ସମସ୍ତେ ପତ୍ର ପାଇଲେ। ହେଲେ, ଦୁଃଖର କଥା, କେହି ଆଜି ପର୍ଯ୍ୟନ୍ତ ସେ ଦଦରା ଛପର ଘରର ମରାମତି ପାଇଁ କିଛିବି କଲେ ନାହିଁ। ସେ ଛପର ଆଜିବି ସେମିତି ଅଛି।‌ ଭାବନ୍ତୁ, କେମିତି ଦିନ କାଟିଥିବେ ଏମାନେ ଝଡ଼ ଆଉ ବର୍ଷାରେ।

       ଏବେ ପଞ୍ଚୁ ପାଇଁ ଏକ ପକ୍କା ଘର ମଞ୍ଜୁର ହୋଇଛି। ସ୍ଵେଚ୍ଛାସେବୀ ସଙ୍ଗଠନ ଆଶା ସଦସ୍ୟ ଡମ୍ବରୁଧର ଘଣା କହିଛନ୍ତି ଏହା ବୟାନ କରୁଛି ପ୍ରଶାସନ କରୁଛି କ’ଣ । ଅସହାୟ ଗରିବ ଆଦିବାସୀଙ୍କ ପ୍ରତି ପ୍ରଶାସନ କେତେ ସମ୍ବେଦନଶୀଳ। ଏକଥା କ’ଣ କହିବା ଏମାନେ ଏମିତି ସଢି ସଢି ବଞ୍ଚିବାକୁ ଜନ୍ମ ହୋଇଛନ୍ତି ? ଭଲ ଘର ଖଣ୍ଡିଏ ପାଇଁ କ’ଣ ଏମାନଙ୍କ ଅଧିକାର ନାହିଁ ? ଗୋଟିଏ ବଖରା ଘରର ଛପର ମରାମତି ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ଯେ, କତୃପକ୍ଷ ଏହା ହାତକୁ ନେଲେ ନାହିଁ ?

    ପଞ୍ଚୁଙ୍କ ଘର ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅଧୀନ।‌ ଦେଖାଯାଉ, ମାନ୍ୟବର ଏ ଗରିବର ଦୁଃଖ କେବେ ବୁଝୁଛନ୍ତି। ଆଶା ସଙ୍ଗଠନ ଆଶା ରଖିଛି, ସରକାର ପଞ୍ଚୁ ଜୁଆଙ୍ଗ ସପକ୍ଷରେ ଯେଉଁ ଘରଟି ମଞ୍ଜୁର ହୋଇଛି, ଅନ୍ତତଃପକ୍ଷେ ତା’ର ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପର୍ଣ୍ଣ କରନ୍ତୁ । ଏଥିସହ ଆକସ୍ମିକ ଝଡବତାସରୁ ରକ୍ଷା ପାଇଁ ବର୍ତ୍ତମାନ ରହୁଥିବା ଘରଟିର ଛପର ତୁରନ୍ତ ମରାମତି କରିବାକୁ ପଦକ୍ଷେପ ନିଅନ୍ତୁ।

Leave a Reply

Your email address will not be published. Required fields are marked *