କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରବିବାର ଛୁଟି ଦିବସ ସାଙ୍ଗକୁ ଦୀପାବଳି ଛୁଟି। ତଥାପି ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବାରେ ବ୍ୟତିକ୍ରମ ଦେଖାଇନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଗସ୍ତର ଚତୁର୍ଥ ଦିବସରେ ସ୍ଥାନୀୟ ସର୍କିଟହାଉସ୍ ଠାରେ ସେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ଗୁହାରି ଓ ସମସ୍ୟା ଧୈର୍ଯ୍ୟର ସହ ଶୁଣିଥିଲେ।
ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ତ୍ୱରିତ ତଥା ସୁବିଚାରିତ ସମାଧାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବା ସହ ଅଭିଯୋଗ ଗୁଡ଼ିକର ଉପଯୁକ୍ତ ଅନୁଧ୍ୟାନ ଓ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂହଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକର ସମାଧାନ ଦିଗରେ ଆଲୋଚନା କରିଥିଲେ। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଓ ସମାଧାନ ପାଇଁ ଛୁଟି ଦିନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଜନସେବା ପ୍ରତି ତାଙ୍କର ଗୁରୁତ୍ୱକୁ ପ୍ରତିଫଳିତ କରିଛି।
