ସିଟିଜି ହଷ୍ଟେଲ ଚତୁର୍ଥ ମହଲାରୁ ପଡ଼ି ଛାତ୍ର ମୃତ୍ୟୁ ଘଟଣା
ନ୍ୟାୟ ଓ ଉପଯୁକ୍ତ ତଦନ୍ତ ଦାବି କଲେ ମୃତ ଛାତ୍ରଙ୍କ ବାପା

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ନିୟୁକଲୋନୀସ୍ଥିତ ସିଟିଜି ଶିକ୍ଷାନୁଷ୍ଠାନ ହଷ୍ଟେଲରେ ରହୁଥିବା ପ୍ରଥମବର୍ଷ ବିଜ୍ଞାନ ଛାତ୍ର ଆଦିତ୍ଯ ପଲେଇ ଚତୁର୍ଥ ମହଲାରୁ ଖସିପଡ଼ି ଗୁରୁତର ଆହତ ପରେ ମୃତ୍ୟୁକୁ ନେଇ ବାପା ସୁଧାଂଶୁ ରବିବାର କେନ୍ଦୁଝର ଟାଉନ ଥାନାର ଦ୍ଵାରସ୍ଥ ହୋଇ ଉପଯୁକ୍ତ ତଦନ୍ତ ସହ ପୁଅ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଏହି ଘଟଣା ଏବେ ଉକ୍ତ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ  ଅଭିଭାବକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଘଟଣାରେ ଛାତ୍ରଙ୍କ ପରିବାର ପକ୍ଷରୁ ନ୍ୟାୟ ଓ ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି।


       ସୂଚନା ଅନୁଯାୟୀ, ପାଣ୍ଡପଡ଼ା ଥାନା ଅନ୍ତର୍ଗତ ମସିଣାଯୋଡ଼ି ପଞ୍ଚାୟତର ନଳପଙ୍ଗା ଗ୍ରାମର ସୁଧାଂଶୁ ପଲେଇଙ୍କ ପୁଅ ଆଦିତ୍ୟ ନାରାୟଣ ପଲେଇ କେନ୍ଦୁଝରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତଦୁଇ ବିଜ୍ଞାନ ପ୍ରଥମବର୍ଷରେ ଅଧ୍ୟୟନ କରୁଥିଲେ। ସେ ଅନୁଷ୍ଠାନର ହଷ୍ଟେଲରେ ରହୁଥିଲେ। ଶୁକ୍ରବାର ମଧ୍ୟାହ୍ନଭୋଜନ ସମୟରେ ହଷ୍ଟେଲର ଚତୁର୍ଥ ମହଲାର ଝରକାରୁ ସେ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି।
        ଘଟଣା ପରେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ନିଆଯାଇଥିଲା। ଏହି ଘଟଣାରେ ଛାତ୍ରଙ୍କ ପରିବାର ପକ୍ଷରୁ ଶିକ୍ଷାନୁଷ୍ଠାନର ହଷ୍ଟେଲ ପରିଚାଳନା, ଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥା ଓ ଘଟଣା ସମ୍ପର୍କରେ ଉପଯୁକ୍ତ ତଥ୍ୟ ପ୍ରଦାନକୁ ନେଇ ପ୍ରଶ୍ନ ଉଠାଯାଇଛି।

       ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟତା ଆସିବା ଆବଶ୍ୟକ। ଏଥିସହିତ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ତଦାରଖ ବ୍ୟବସ୍ଥାକୁ ନେଇ ଏହି ଘଟଣା ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ଉନ୍ମୋଚନ ସହ ଦାୟିତ୍ୱରେ ଅବହେଳା ହୋଇଥିଲେ ସମ୍ପୃକ୍ତ ଅନୁଷ୍ଠାନର ଅଧିକାରୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ମୃତ ଛାତ୍ରର ବାପା ସୁଧାଂଶୁ  ଦାବି କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ତଦନ୍ତର ଦିଗ କେଉଁ ମୋଡ ନେଉଛି ନା ମୃତ ଛାତ୍ର ପରିବାରକୁ ଉଚିତ୍ ନ୍ୟାୟ ମିଳୁଛି ।

Leave a Reply

Your email address will not be published. Required fields are marked *