କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଚାରିଆଡ଼େ ଝଲମଲ ଆଲୋକର ମାୟା, ରଙ୍ଗବେରଙ୍ଗ ତୋରଣର ଆକର୍ଷଣ, ମା’ଙ୍କ ମନୋମୁଗ୍ଧକର ମୃଣ୍ମୟ ପ୍ରତିମା ସାଙ୍ଗକୁ ଭକ୍ତି ଓ ଉତ୍ସବର ଅପୂର୍ବ ପରିବେଶ। କେଉଁଠି ମା’ଙ୍କ ଆରାଧନାରେ ଭକ୍ତିମୟ ପରିବେଶ ତ ଆଉ କେଉଁଠି ମୀନାବଜାରରେ କିଣାକିଣିର ମଜା, ଖାଦ୍ୟମେଳାରେ ସୁସ୍ୱାଦୁ ବ୍ୟଞ୍ଜନର ଆସର ଓ ଯାତ୍ରା ମଞ୍ଚରେ ମନୋରଞ୍ଜନର ମହାମେଳା। ଏମିତି ଏକ ଉତ୍ସବମୁଖର ପରିବେଶ ମଧ୍ୟରେ ଆରମ୍ଭ ହୋଇଛି କେନ୍ଦୁଝରର ପ୍ରସିଦ୍ଧ କାଳୀପୂଜା ମହୋତ୍ସବ। ଦୀର୍ଘ ୧୨ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ନେଇ ସହରବାସୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି।

ରବିବାର ବିଳମ୍ବିତ ରାତିରେ ପାରମ୍ପରିକ କଳସ ଶୋଭାଯାତ୍ରା ପରେ ନିଶାର୍ଦ୍ଧରେ ଆରମ୍ଭ ହୋଇଥିଲା ମା’ଙ୍କ ପୂଜାର୍ଚ୍ଚନା। ମାଧପୁରସ୍ଥିତ ମା’ କାଳୀଙ୍କ ଶକ୍ତିପୀଠ, ସହର ଉପକଣ୍ଠ ସରାସସ୍ଥିତ ଶକ୍ତିପୀଠ, କାଳୀପଡ଼ିଆସ୍ଥିତ କାଳୀତୀର୍ଥ, ଟେଲିଫୋନ ଏକ୍ସଚେଞ୍ଜ ଛକ ଏବଂ କାଶୀପୁରସ୍ଥିତ ଶ୍ମଶାନ କାଳୀ ପୀଠରେ ମା’ଙ୍କ ଆରାଧନା ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ସହ ମା’ଙ୍କ ଦର୍ଶନ କରି ଭକ୍ତମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି।

କେନ୍ଦୁଝରର କାଳୀପୂଜା ପରମ୍ପରାରେ କାଳୀପଡ଼ିଆସ୍ଥିତ କାଳୀତୀର୍ଥର ସ୍ଥାନ ସ୍ୱତନ୍ତ୍ର। ଚଳିତବର୍ଷ ଏହି ପୂଜା କମିଟି ୮୬ ବର୍ଷର ଗୌରବମୟ ଯାତ୍ରା ପୂରଣ କରିଛି। ଦୀର୍ଘଦିନର ପରମ୍ପରାକୁ ବଜାୟ ରଖି ଏଥର ମଧ୍ୟ ମା’ଙ୍କ ପୂଜା ସହ ମୀନାବଜାର ଓ ଯାତ୍ରା ମହୋତ୍ସବର ଆୟୋଜନ କରାଯାଇଛି। ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ‘ଯାତ୍ରା କେଶରୀ’ ଏବଂ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ‘ତୁଳସୀ ଗଣନାଟ୍ୟ’ର ନାଟକ ପରିବେଷଣ ହେବ। ଯାତ୍ରାପ୍ରେମୀଙ୍କ ପାଇଁ ଏହି ଦୁଇ ନାଟ୍ୟାନୁଷ୍ଠାନର ମଞ୍ଚ ପରିବେଷଣ ମହୋତ୍ସବର ଅନ୍ୟତମ ପ୍ରମୁଖ ଆକର୍ଷଣ ପାଲଟିବାକୁ ଯାଉଛି।

ମୀନାବଜାର ଓ ଖାଦ୍ୟମେଳାର ମହକ ଟେଲିଫୋନ ଏକ୍ସଚେଞ୍ଜ ଛକସ୍ଥିତ ମା’ କାଳୀ ପୂଜା କମିଟି ଚଳିତବର୍ଷ ୫୮ ବର୍ଷରେ ପଦାର୍ପଣ କରିଛି। ଏଠାରେ ଧାର୍ମିକ ଉତ୍ସବ ସହ ବାଣିଜ୍ୟିକ ଓ ମନୋରଞ୍ଜନଭିତ୍ତିକ ଆୟୋଜନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଲଟେରୀ ଉଠାଣ, ମୀନାବଜାର, ଫେସନ ବଜାର, ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଆକର୍ଷଣୀୟ ଷ୍ଟଲ ଖୋଲାଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହୋଟେଲ ଓ ଖାଦ୍ୟ ବ୍ୟବସାୟୀଙ୍କ ପକ୍ଷରୁ ଆୟୋଜିତ ଖାଦ୍ୟମେଳାରେ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନର ପସରା ଖୋଲିଛି। ପରିବାର ସହ ମେଳା ବୁଲିବା, ପସନ୍ଦର ସାମଗ୍ରୀ କିଣିବା ଓ ନାନା ସ୍ୱାଦର ଖାଦ୍ୟର ମଜା ନେବା ପାଇଁ ସନ୍ଧ୍ୟା ହେଲେ ଏଠାରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି

ସେହିପରି କାଶୀପୁରସ୍ଥିତ ଶ୍ମଶାନ କାଳୀ ପୂଜା କମିଟି ଚଳିତବର୍ଷ ୩୯ ବର୍ଷରେ ପଦାର୍ପଣ କରିଛି। ଏଠାରେ ନିର୍ମିତ ସୁଉଚ୍ଚ ଓ ମନୋରମ ତୋରଣ ପୂଜାର ଆକର୍ଷଣକୁ ଦ୍ୱିଗୁଣିତ କରିଛି। କାଶୀପୁରଠାରୁ ମଣ୍ଡୁଆ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ରଙ୍ଗବେରଙ୍ଗ ଆଲୋକମାଳାର ସାଜସଜ୍ଜା ସହରବାସୀଙ୍କ ସମେତ ବାହାରୁ ଆସୁଥିବା ଦର୍ଶକଙ୍କୁ ମଧ୍ୟ ଆକୃଷ୍ଟ କରୁଛି। ଆଲୋକର ଏହି ଚିତ୍ତାକର୍ଷକ ସାଜସଜ୍ଜା ରାତିରେ ସମଗ୍ର ଅଞ୍ଚଳକୁ ଏକ ଭିନ୍ନ ରୂପରେ ସଜାଇ ଦେଇଛି

କାଳୀପୂଜା ମହୋତ୍ସବର ଅନ୍ୟତମ ଆକର୍ଷଣ ହେବାକୁ ଯାଉଛି ଭସାଣ ଶୋଭାଯାତ୍ରା। ଆସନ୍ତା ୧୯ ତାରିଖରେ ଟେଲିଫୋନ ଏକ୍ସଚେଞ୍ଜ ଛକ ଓ କାଳୀପଡ଼ିଆସ୍ଥିତ କାଳୀତୀର୍ଥ ପୂଜା କମିଟି ପକ୍ଷରୁ ଭସାଣ ଉତ୍ସବ ମହାସମାରୋହରେ ପାଳନ କରାଯିବ। ସେହିପରି ୨୦ ତାରିଖରେ କାଶୀପୁର ଶ୍ମଶାନ କାଳୀଙ୍କ ଭସାଣ ଶୋଭାଯାତ୍ରା ଧୁମଧାମରେ ଆୟୋଜିତ ହେବ। ୧୨ ଦିନବ୍ୟାପୀ ଏହି ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ସମସ୍ତ ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁ ଓ ଦର୍ଶକଙ୍କୁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ ପୂଜାମଣ୍ଡପ ଓ ମେଳା ପରିସରରେ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି।
ଧର୍ମୀୟ ଆସ୍ଥାରୁ ଆରମ୍ଭ କରି ଲୋକସଂସ୍କୃତି, ବାଣିଜ୍ୟ ଓ ମନୋରଞ୍ଜନ ପର୍ଯ୍ୟନ୍ତ ସବୁକିଛିର ଅପୂର୍ବ ସମାହାର ହେଉଛି କେନ୍ଦୁଝରର କାଳୀପୂଜା। ଏହା କେବଳ ଏକ ପୂଜା ନୁହେଁ, ବରଂ ପୀଢ଼ି ପରେ ପୀଢ଼ି ଧରି ବଞ୍ଚି ରହିଥିବା ପରମ୍ପରା, ସାମୂହିକ ଉତ୍ସାହ ଓ ସାଂସ୍କୃତିକ ଏକତାର ଏକ ଅନନ୍ୟ ପରିଚୟ।
