ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସରକାରୀ ଚାକିରି ବୟସ ସୀମା ୪୨କୁ ବୃଦ୍ଧି

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗଠାରେ ଆଜି ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହିତ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।


       ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଛନ୍ତି ଯେ, ଏଣିକି ଅଷ୍ଟମଶ୍ରେଣୀ ପରି ନବମ ଓ ଦଶମଶ୍ରେଣୀ ପିଲାମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଶିକ୍ଷାର ପ୍ରସାର ପାଇଁ ଉପାନ୍ତ ଜିଲ୍ଲାଗୁଡ଼ିକରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଏବଂ ୪ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ।
ସେହିପରି ରାଜ୍ୟର ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ସର୍ବାଧିକ ବୟସ ସୀମାକୁ ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେବା ପାଇଁ ଥିବା ୬ଟି ସୁଯୋଗ ବା ଆଟେମ୍ପ୍ଟ କଟକଣାକୁ ହଟାଇ ଦିଆଯାଇଛି। ବର୍ତ୍ତମାନ ପ୍ରାର୍ଥୀ ସର୍ବୋଚ୍ଚ ବୟସ ସୀମା ପର୍ଯ୍ୟନ୍ତ ଏହି ପରୀକ୍ଷା ଦେଇପାରିବେ। ଏହାବ୍ୟତୀତ ଅନୁକମ୍ପାମୂଳକ ନିଯୁକ୍ତି ନିୟମକୁ ମଧ୍ୟ କୋହଳ କରାଯାଇଛି। ପରୀକ୍ଷା ପରିଚାଳନାରେ ଦୁର୍ନୀତି ରୋକିବା ପାଇଁ ସାମାନ୍ୟତମ ତ୍ରୁଟି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

୩୧ ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ନିର୍ମାଣ ହେବ ‘ନମୋ ଏକ୍ସପ୍ରେସ ୱେ’ ଏବଂ ‘ଅଟଳ ଏକ୍ସପ୍ରେସ ୱେ’। ଧାନକିଣାରେ ଏଗ୍ରି-ଷ୍ଟାକ୍ ପଞ୍ଜିକରଣ ସହ ପି-ପାସ୍‌ର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟୀକରଣ। ଚାଷୀମାନଙ୍କ ମନରେ ଥିବା ସନ୍ଦେହକୁ ଦୂର କରି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଧାନକିଣା ପାଇଁ ପି-ପାସ୍ (P-Pass) ପଞ୍ଜିକରଣର ଏଗ୍ରି-ଷ୍ଟାକ୍ ସହ କୌଣସି ସମ୍ପର୍କ ନାହିଁ। ଚାଷୀମାନେ ପୂର୍ବଭଳି ପି-ପାସ୍ ମାଧ୍ୟମରେ ନିଜ ଧାନ ବିକ୍ରି କରିପାରିବେ।

       ରାଜ୍ୟର ସବୁ ଅଞ୍ଚଳକୁ ସଂଯୋଗ କରିବା ପାଇଁ ୩୧ ହଜାର କୋଟି ଟଙ୍କା ବ୍ୟୟରେ ୩ଟି ପ୍ରମୁଖ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରାଯିବ। ବ୍ରହ୍ମପୁରରୁ ଜୟପୁର, ପାରଳାଖେମୁଣ୍ଡିରୁ ଆମ୍ବାଭୋନା ପର୍ଯ୍ୟନ୍ତ ‘ନମୋ ଏକ୍ସପ୍ରେସ ୱେ’ ଏବଂ ମୋଟୁରୁ ତିରିଙ୍ଗି ପର୍ଯ୍ୟନ୍ତ ‘ଅଟଳ ଏକ୍ସପ୍ରେସ ୱେ’ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

Leave a Reply

Your email address will not be published. Required fields are marked *