ମା’ ତାରିଣୀଙ୍କ ଅଷାଢି ପର୍ବ ପାଇଁ ଗୁରୁବାର ବନ୍ଦ ରହିବ ମନ୍ଦିର

ପ୍ରଜାଙ୍କ ମଙ୍ଗଳ ପାଇଁ ଉପବାସରେ ରହିବେ ମା’

ସନ୍ଧ୍ୟା ୭ଟାରେ ଖୋଲିବ ପହଡ


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆସନ୍ତା ୧୬ ତାରିଖ ଆଷାଢ ମାସ ଶେଷ ଗୁରୁବାରରେ ଜିଲ୍ଲାର ଆରାଧ୍ୟା ଦେବୀ
ମା’ ତାରିଣୀଙ୍କ ପ୍ରସିଦ୍ଧ ଅଷାଢି ପର୍ବ ସ୍ୱତନ୍ତ୍ର ବିଧିବିଧାନ ଓ ରୀତିନୀତି ଅନୁଯାୟୀ ପାଳିତ ହେବ । ଏହି ଉପଲକ୍ଷେ ଦିନସାରା ମା’ ତାରିଣୀଙ୍କ ଦର୍ଶନ ଓ ମନ୍ଦିର ବେଢା ପରିସର ବନ୍ଦ ରହିବ ବୋଲି ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦେଇ ସମସ୍ତ ଭକ୍ତଙ୍କୁ ନିବେଦନ କରାଯାଇଛି ।

         ଏଥିପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ ଆୟୋଜନ ମଧ୍ୟ କରାଯାଇଛି। ମା’ ତାରିଣୀଙ୍କ ଅଷାଢି ପର୍ବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବା ନେଇ ଟ୍ରଷ୍ଟ ବୋର୍ଡ ବୈଠକରେ ଆଲୋଚନା ହୋଇଥିବା ବେଳେ ଏହି ପର୍ବରେ ପ୍ରତି ବର୍ଷ ପରି ଘଟଗାଁ ଅଞ୍ଚଳର ୨୨ଖଣ୍ଡ ମୌଜାର ମୁଖ୍ୟ ଓ ଗ୍ରାମ ଦେବତୀଙ୍କ ପୂଜକମାନଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଛି ।

        ଦିନତମାମ୍ ମନ୍ଦିର ବନ୍ଦ ରହିବା ପରେ ସନ୍ଧ୍ୟା ୭ଟାରେ ମା’ଙ୍କ ପହଡ ଖୋଲିବ । ଏହାପରେ ସ୍ୱତନ୍ତ୍ର ରୀତିନୀତିରେ ମା’ ପୂଜା ପାଇବେ । ମା’ ତାରିଣୀଙ୍କୁ ସୁନାବେଶରେ ସଜ୍ଜିତ କରାଯିବା ପରେ ଅଷାଢିପର୍ବର ବିଶେଷ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରିତ ଗାଁ ମୁଖିଆ ଓ ପୂଜକମାନେ ମନ୍ଦିର ଭିତରକୁ ଯିବେ । କିମ୍ବଦନ୍ତୀ ଅନୁଯାୟୀ, ଅଷାଢ ମାସର ଶେଷ ଗୁରୁବାରରେ ମା’ଙ୍କ ଅଷାଢି ପର୍ବ ପାଳନ କରାଯାଇଥାଏ । ଦିନସାରା ମନ୍ଦିର ବନ୍ଦ ରହିବା କାରଣରୁ ଏହି ଦିନ
ସାଧାରଣ ଦର୍ଶନ ବନ୍ଦ ରହିବା ସହ ମା’ ଙ୍କ କୌଣସି ନୀତିକାନ୍ତି ହୋଇ ନଥାଏ । ଏହି ଦିନ ମା’ ତାରିଣୀ ପ୍ରଜାଙ୍କ ମଙ୍ଗଳ, ବର୍ଷର ଚାଷ-ଫସଲ ଓ ସୁଖଶାନ୍ତି ପାଇଁ ମା’ ନିଜେ ସମ୍ପୁର୍ଣ୍ଣ ଉପବାସ ରହି ଭଗବାନ ଶ୍ରୀବିଷ୍ଣୁଙ୍କୁ ଆରାଧନା କରିଥାନ୍ତି ବୋଲି ଲୋକକଥା ରହିଛି ।

      ଏହି ପର୍ବରେ ମା’ଙ୍କ ପୀଠରେ ନିଶାର୍ଦ୍ଧରେ ମଧ୍ୟ ପ୍ରତିବିମ୍ବ ସୂତ୍ରେ ବଳି ପୂଜା ହୋଇଥାଏ । ବିଳମ୍ବିତ ରାତିରେ ବରିଷ୍ଠ ପୂଜକମାନେ ସ୍ଵତନ୍ତ୍ର ବିଧିବିଧାନ ଅନୁସାରେ ମା’ ଙ୍କ ଅଷାଢି ପର୍ବର ପୂଜାର୍ଚ୍ଚନା କରିଥାନ୍ତି । ସନ୍ଧ୍ୟା ୭ଟା ସମୟରେ ସେଦିନ ମନ୍ଦିର ଖୋଲିଲେ ଶ୍ରଦ୍ଧାଳୁଙ୍କ ଭିଡ ଓ ଜନସମାଗମ ହୋଇଥାଏ । ସ୍ଥାନୀୟ ପୋଲିସ ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଧ୍ୟାନ ରଖି ଭକ୍ତଙ୍କ ଭିଡ ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରିଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଲଛି ।

Leave a Reply

Your email address will not be published. Required fields are marked *