ଆନ୍ଦୋଳନରୁ ଓହରିଲା ପାଚିକା ସଂଘ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର):  ପାଚିକାମାନଙ୍କ ଦୀର୍ଘଦିନର ଦାବି ଉପରେ ଶେଷରେ ସକାରାତ୍ମକ ପଦକ୍ଷେପ ନେଲେ ରାଜ୍ୟ ସରକାର । ୭ ଦଫା ଦାବି ମଧ୍ୟରୁ ବକେୟା ଟଙ୍କା ପ୍ରଦାନ, ପରିଚୟପତ୍ର ଯୋଗାଣ ଏବଂ ଯଥୋଚିତ ଦରମା ପ୍ରଦାନ ଆଦି ୩ ପ୍ରମୁଖ ଦାବିକୁ ମାନିନେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏହି ପ୍ରତିଶ୍ରୁତି ପରେ ପାଚିକା ସଂଘ ଆନ୍ଦୋଳନରୁ ଓହରି ଯାଇଛି । ଗତ ୪ ଦିନ ଧରି ଦିବାରାତ୍ରି ଧାରଣାରେ ବସି ରହିଥିବା ପାଚିକାମାନେ ନିଜ ଅଧିକାର ପାଇଁ ଆନ୍ଦୋଳନକୁ ବ୍ୟାପକ କରିଥିଲେ । ସରକାରଙ୍କ ସହିତ ଆଲୋଚନା ପରେ ଏହି ୩ ଦାବି ପୂରଣ ନେଇ ସକାରାତ୍ମକ ସଙ୍କେତ ମିଳିବାରୁ ସେମାନେ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି ।

ପ୍ରକାଶଯୋଗ୍ୟ ଯେ, ୪ ଦିନ ଧରି ଧାରଣାରେ ବସିଥିବା ହଜାର ହଜାର ପାଚିକା ଟାଣଖରା ସହିତ ରାତିର କାକରରେ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କୁ ନ୍ୟାୟ ମାଗି ଆସୁଥିଲେ । ଦୀର୍ଘ ୩୦ ବର୍ଷ ଧରି ମଧ୍ୟାହ୍ନଭୋଜନ ଯୋଜନାରେ କାମ କରିଲେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ସୁଧାର ହୋଇନାହିଁ ବୋଲି ଅଭିଯୋଗ କରିଥିଲେ । ଦିନକୁ ମାତ୍ର ୮୦ ଟଙ୍କା ମଜୁରୀ, ମାସକୁ ପ୍ରାୟ ୩ ହଜାର ଟଙ୍କା ଓ ବର୍ଷକୁ ୩୦ ହଜାର ଟଙ୍କାରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ଏଥିସହ ୩ ମାସର ଦରମା ବକେୟା ରହିଥିବା ଅଭିଯୋଗ କରିଥିଲା ପାଚିକା ସଂଘ । ରୋଷେଇ, ସଫାସୁତୁରା, ପିଲାଙ୍କୁ ଖୁଆଇବା ଭଳି ଅନେକ କାମ କରୁଥିବା ସତ୍ତ୍ୱେ କୌଣସି ପରିଚୟପତ୍ର କିମ୍ବା ସାମାଜିକ ସୁରକ୍ଷା ନଥିବା କହିଥିଲା ସଂଘ ।

Leave a Reply

Your email address will not be published. Required fields are marked *