କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ବାର୍ଷିକ ମାଟ୍ରିକ୍ ସାର୍ଟିଫିକେଟ ପରୀକ୍ଷାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି । କେନ୍ଦୁଝର ଜିଲ୍ଲାରେ ୯୪.୩୫ ପ୍ରତିଶତ ପାସ ହାର ହୋଇଥିବା ବେଳେ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖି ମୋଟ ୬୨ଜଣ ପରୀକ୍ଷାର୍ଥୀ ଏ-୧ ଗ୍ରେଡରେ ସଫଳତାର ସହ ପାସ୍ କରିଛନ୍ତି । ବଣିଆପାଟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ମଧୁଶ୍ମୀତା ମାଝୀ ୫୭୧ ନମ୍ବର ରଖି ଜିଲ୍ଲାର ଟପର ହୋଇ ବିଦ୍ୟାଳୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ମଧୁଶ୍ମତା ଜିଲ୍ଳା ଟପର:ଏ-୧ ଗ୍ରେଡରେ ଜିଲ୍ଲାରୁ ୬୨ଜଣ
ଜିଲ୍ଲାର ମୋଟ ୪୭୯ ହାଇସ୍କୁଲର ୨୫୧୫୯ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିଲେ । ତେବେ ୭୫୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାବେଳେ ୧୧୧୫୧ ଜଣ ଛାତ୍ର ଓ ୧୧୮୭୭ ଜଣ ଛାତ୍ରୀଙ୍କୁ ମିଶାଇ ୯୪.୩୫ ପ୍ରତିଶତ ହାରରେ ମୋଟ ୨୩୦୨୮ଜଣ ପାସ୍ କରିଥିବା ବେଳେ ୧୩୭୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ଏ-୧ ଗ୍ରେଡରେ ୬୨ଜଣ, ଏ-୨ ଗ୍ରେଡରେ ୪୨୬ ଜଣ, ବି-୧ ଗ୍ରେଡରେ ୧୨୬୮ ଜଣ, ବି-୨ ଗ୍ରେଡରେ ୨୮୯୧ଜଣ, ସି ଗ୍ରେଡରେ ୪୯୨୮ ଜଣ, ଡି ଗ୍ରେଡରେ ୭୦୩୨ ଜଣ ଓ ଇ ଗ୍ରେଡରେ ୬୪୨୧ ଜଣ ପାସ୍ କରିଛନ୍ତି ।
