କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମ ଅଧୀନରେ ରବିବାର କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ କ୍ଷୁଦ୍ର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଶାଳ ସିଂହଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସିଂହ ଏସଆଇଆର ସମ୍ବନ୍ଧିତ ସୂଚନା ଉପସ୍ଥାପିତ କରିଥିଲେ।
ଜିଲ୍ଲାର ୧୯୧୫ଟି ବୁଥ୍ ପାଇଁ ଚିଠା ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଅଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରି ବାଦ୍ ଦେବା। ପରିଗଣନା ପର୍ଯ୍ୟାୟରେ ମୋଟ ୧୩,୦୮,୭୬୨ ଜଣ ଡିଜିଟାଇଜ୍ଡ୍ ଇଏଫ୍ ଚିହ୍ନଟ ହୋଇଥିବାବେଳେ, ମୃତ୍ୟୁ, ସ୍ଥାୟୀ ଭାବେ ସ୍ଥାନାନ୍ତରଣ ଏବଂ ଅନ୍ୟାନ୍ୟ କାରଣରୁ ୬୪,୩୭୫ ଜଣ ଭୋଟରଙ୍କୁ ବାଦ୍ ଦିଆଯାଇଛି। ଏହି କାର୍ଯ୍ୟରେ ୨,୯୬୬ ଜଣ ବୁଥସ୍ତରୀୟ ଏଜେଣ୍ଟ ସହଯୋଗ କରିଛନ୍ତି।
ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜୁଲାଇ ୫ ତାରିଖରୁ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଯେଉଁ ନାଗରିକମାନେ ନିଜ ନାମ ସଂଶୋଧନ କରିବାକୁ ଚାହୁଁଛନ୍ତି କିମ୍ବା ତାଲିକା ନେଇ କୌଣସି ଆପତ୍ତି ରହିଛି, ସେମାନେ ଜୁଲାଇ ୫ ତାରିଖ ଠାରୁ ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ନିଜର ଦାବି ଓ ଆପତ୍ତି ଦାଖଲ କରିପାରିବେ। ନିର୍ବାଚନ କମିଶନଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ଦାଖଲ ହୋଇଥିବା ଦାବି ଓ ଆପତ୍ତିଗୁଡ଼ିକର ଶୁଣାଣି ଏବଂ ଯାଞ୍ଚ ଜୁଲାଇ ୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ପ୍ରକାଶ ପାଇବ।
ତେଣୁ ସମସ୍ତ ଯୋଗ୍ୟ ଭୋଟରମାନେ ନିଜ ନାମ ତାଲିକାରେ ଠିକ୍ ଅଛି କି ନାହିଁ, ତାହା ଯାଞ୍ଚ କରିନେବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି ଯେ, ସ୍ଥାନୀୟ ବୁଥସ୍ତରୀୟ ଅଧିକାରୀ, ECINET ମୋବାଇଲ୍ ଆପ୍ କିମ୍ବା voters.eci.gov.in ୱେବସାଇଟ୍ ମାଧ୍ୟମରେ ନିଜ ନାମ ଯାଞ୍ଚ କରନ୍ତୁ। ଯଦି କାହାର ନାମ ନଥିବ ତେବେ ସେମାନେ ଫର୍ମ-୬ ପୂରଣ କରି ନାମ ସାମିଲ ପାଇଁ ଆବେଦନ କରିପାରିବେ। ଏହି କାର୍ଯ୍ୟର ସୁପରିଚାଳନା ପାଇଁ ୬ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ୩୬ଜଣ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ନିୟୋଜିତ ହୋଇଛନ୍ତି।
ଏସଆଇଆର ନିର୍ଦ୍ଦେଶାବଳୀର ପାରା ୫(ଖ) ଅନୁଯାୟୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ/ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ବିନା ନୋଟିସ୍ ଏବଂ ସ୍ପଷ୍ଟ ଆଦେଶରେ ପ୍ରକାଶିତ ଚିଠା ତାଲିକାରୁ କୌଣସି ନାମ ବାଦ୍ ଦିଆଯାଇପାରିବ ନାହିଁ। କୌଣସି କ୍ଷତିଗ୍ରସ୍ତ ଭୋଟର ଜନପ୍ରତିନିଧିତ୍ୱ ଆଇନ ୧୯୫୦ ର ଧାରା ୨୪ ଅଧୀନରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ତା’ପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅପିଲ୍ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
