କୁଆଝରଣରୁ ଅଭିଯୁକ୍ତଙ୍କୁ ଗିରଫ କଲା ପଣ୍ଡାପଡା ପୁଲିସ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ମାର୍ଚ୍ଚ ୨୬ ତାରିଖ ସନ୍ଧ୍ୟା ୬ଟା ୧୧ ମିନିଟରେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ପତଣ୍ଡା ଗ୍ରାମର ଅଭିଯୁକ୍ତ ଦୀପଙ୍କର ପଣ୍ଡା ଏବଂ ରାଜେଶ ପଣ୍ଡା ଓଡି-୧୪ବିଏଚ-୬୦୭୦ ନମ୍ବର ଏକ ହୁଣ୍ଡାଇ କାରରେ ପଣ୍ଡାପଡାର ମା’ କାଳୀ ଫିଲିଂ ଷ୍ଟେସନକୁ ଯାଇଥିଲେ।
ସେଠାରେ ଉକ୍ତ କାରରେ ୧୫୦୦ ଟଙ୍କାର ପେଟ୍ରୋଲ ଗାଡ଼ିରେ ପକାଇ ୧୬୦୦୦ ଟଙ୍କାର ତେଲ ପ୍ଲାଷ୍ଟିକ ଜାରରେ ଭର୍ତ୍ତି କରିଥିଲେ। ଏହାପରେ ସେମାନେ ବିଲ ମାଗିଥିଲେ ଏବଂ ବିକ୍ରୟକାରୀ ବିଲ୍ କରିବାକୁ ଯାଇଥିବା ସମୟରେ ସେମାନେ ଟଙ୍କା ନ ଦେଇ ପଳାଇ ଆସିଥିଲେ।
ଏ ସମ୍ପର୍କରେ ଥାନାରେ ସ୍ଥାନୀୟ ପଣ୍ଡାପଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଏଏସଆଇ ବି.ଏନ.ମାରାଣ୍ଡିଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶୁକ୍ରବାର ଭୋର ସମୟରେ ସୂଚନା ପାଇ କୁଆଝରଣ ଜଙ୍ଗଲରେ ପୁଲିସ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି। ବ୍ୟକ୍ତିଗତ ତଲାସୀ ସମୟରେ ସେମାନଙ୍କଠାରୁ ଦୁଇଟି ଖେଳନା ବନ୍ଧୁକ, ୯୯୦୦ ଟଙ୍କା, ଦୁଇଟି ମୋବାଇଲ୍ ଫୋନ୍, ପ୍ରାୟ ୫୦୦ ଲିଟର ପେଟ୍ରୋଲ ଭର୍ତ୍ତି ଥିବା ୧୧ଟି ପ୍ଲାଷ୍ଟିକ ଜାର ଏବଂ ୮ଟି ନକଲି ପଞ୍ଜିକରଣ ହୋଇଥିବା ନମ୍ବର ପ୍ଲେଟକୁ ପୁଲିସ ଜବତ କରିଛି।
ପଚରାଉଚରା ସମୟରେ ଅଭିଯୁକ୍ତ ମାନଙ୍କ ବିରୋଧରେ କେନ୍ଦୁଝର ଜିଲ୍ଲାର ଘଟଗାଁ ଥାନା ଘଟଗାଁ, ହରିଚନ୍ଦନପୁର ଓ ନନ୍ଦିପଦା ଥାନାରେ ମାମଲା ରହିଥିବା ଜଣାପଡ଼ିଛି। ଏହା ବ୍ୟତୀତ ଅଭିଯୁକ୍ତମାନେ ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଦେବଗଡ଼, କଟକ ଜିଲ୍ଲାର ଅନେକ ସ୍ଥାନରେ ସମାନ ମାମଲାରେ ଜଡିତ ଅଛନ୍ତି ବୋଲି ପୁଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଅଭିଯୁକ୍ତ ଦୀପଙ୍କର ପଣ୍ଡା, ରାଜେଶ ପଣ୍ଡା ଉଭୟ କଟକ ଜିଲ୍ଲା ନରସିଂହପୁର ପତଣ୍ଡା ଗ୍ରାମର ବୋଲି ଜଣାପଡିଛି।
