ଓଡ଼ିଆ ପକ୍ଷର ତୃତୀୟ ଦିନରେ ‘ଆମ ପୋଷାକ ଆମ ପରିଚୟ’

ସମସ୍ତ କର୍ମଚାରୀ ପରିଧାନ କଲେ ପାରମ୍ପରିକ ପୋଷାକ





କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଏପ୍ରିଲ ପହିଲା ଓଡ଼ିଶା ଦିବସରୁ ଏପ୍ରିଲ ୧୪ ଓଡ଼ିଆ ନବବର୍ଷ ଯାଏଁ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୬’ର ଦ୍ଵିତୀୟ ଦିବସରେ ପାରମ୍ପରିକ ପୋଷାକ ପରିଧାନ ଦିବସ ‘ଆମ ପୋଷାକ ଆମ ପରିଚୟ’ ରୂପେ ପାଳନ ହୋଇଛି।

  ଏହି ଅବସରରେ ଆମ ସ୍ୱାଭିମାନ ଓ ପରିଚୟ ବହନ କରୁଥିବା ସ୍ବଦେଶୀ ପାରମ୍ପରିକ ପୋଷାକର ପ୍ରଚାର ପ୍ରସାର ନିମନ୍ତେ କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ବିଭିନ୍ନ ପାରମ୍ପରିକ ପୋଷାକ ପରିଧାନ କରି ନିଜ ନିଜର କର୍ମକ୍ଷେତ୍ରକୁ ଆସିବା ସହ ନିଜ ମୋବାଇଲରେ ସେଲ୍ଫି ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । 

   ଏଥିସହ ହସ୍ତତନ୍ତ ପୋଷାକ ପରିଧାନକୁ ଅଭ୍ୟାସରେ ପରିଣତ କରି ବୁଣାକାର ଏବଂ ଗ୍ରାମ୍ୟ ଅର୍ଥନୀତିକୁ ଆହୁରି ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାପାଇଁ ସଚେତନତା ଅଭିଯାନରେ ନିଜକୁ ସାମିଲ କରିଛନ୍ତି ।

    ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଵିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ରବୀନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡା, ମହମ୍ମଦ ଫିରୋଜ, ଅଭିଳାଷ ପୁରୋହିତ, ସତ୍ୟବ୍ରତ ସାହୁ, ଲଲାଟେନ୍ଦୁ ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ସହକାରୀ ଜିଲ୍ଲାପାଳ ସନ୍ତୋଷ ଜେନା, ସୁଚିସ୍ମିତା ନାୟକ, ସରୋଜ ମଲ୍ଲିକ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ କରି ସମବେତ ହୋଇ ଫୋଟୋ ଉଠାଇଥିଲେ ।

   ସେହିପରି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ମାନେ ପାରମ୍ପରିକ ପୋଷାକ ପରିଧାନ କରି ଅଫିସ କାର୍ଯ୍ୟ କରିବା ସହ ଏହି ଅଭିଯାନରେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *