କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ଜେଏସଡବ୍ଲ୍ୟୁ ନାରାୟଣପୋଷି ଖଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅଜ୍ଞଳବାସୀ I ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦିନ ଲୁହାପଥର ପରିବହନ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଜେଏସଡବ୍ଲ୍ୟୁ ଖଣିକୁ ଆସୁଥିବା ଶହ ଶହ ଟ୍ରକ ଏବଂ ଟ୍ରଲର ଜାତୀୟ ରାଜପଥ ୫୨୦ ରାସ୍ତାର ଉଭୟ ପାର୍ଶ୍ଵରେ ଠିଆ ହୋଇ ରହିବା ଫଳରେ ଭୟଙ୍କର ଟ୍ରାଫିକ୍ ସମସ୍ୟା ଦୀର୍ଘ ଦିନ ହେଲାଣି କୋଇଡା ଏବଂ କାଲଟା ପଞ୍ଚାୟତ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l
କୋଇଡାରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ, ସ୍କୁଲ, କଲେଜ ଥିବାରୁ ଦୈନନ୍ଦିନ କାର୍ଯ୍ୟ ପାଇଁ କୋଇଡାକୁ ଆସୁଥିବା ଜନସାଧାରଣ ଯାତାୟାତ ପାଇଁ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I କୋଇଡାରେ ଅବସ୍ଥିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କ ଠାରୁ ଆରମ୍ଭ କରି କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଆସୁଥିବା ରୋଗୀ ଏବଂ ପ୍ରସୂତି, ସ୍କୁଲ ବସ ଯୋଗେ ଦୈନନ୍ଦିନ ସ୍କୁଲ କଲେଜକୁ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀଙ୍କ ବସ ଏବଂ ମେଡିକାଲକୁ ଯିବା ପାଇଁ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ସମସ୍ତ ଜରୁରୀକାଳୀନ ସେବା ଠପ୍ ହୋଇପଡିଛି l
ସରକାରଙ୍କ ନିୟମ ଅନୁଯାୟୀ ଖଣି କମ୍ପାନୀ ନିଜସ୍ୱ ପାର୍କିଂ ନିର୍ମାଣ କରିବା କଥା । କିନ୍ତୁ ଜେଏସଡବ୍ଲ୍ୟୁ ଖଣି କମ୍ପାନୀ ସରକାରଙ୍କ ନିୟମକୁ ଖିଲାପ କରି ସର୍ବସାଧାରଣ ରାସ୍ତାକୁ ଅବରୋଧ କରି ବେଆଇନ ଗାଡି ପାର୍କିଂ କରି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l
କେନ୍ଦୁଝର ଜିଲ୍ଲା ସୀମାନ୍ତ କୋଇଡାରେ ଅବସ୍ଥିତ ଜେଏସଡବ୍ଲ୍ୟୁ ଖଣିର ବେଆଇନ ପାର୍କିଂ ଯୋଗୁଁ ଶହଶହ ଭାରିଯାନ କୁସୁମଡ଼ିହି ଛକ ଠାରୁ ନାରାୟଣପୋଷି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ରାସ୍ତାକୁ ଦିନମୋମ ଅବରୋଧ କରି ରଖୁଛନ୍ତି l ଯାହାଫଳରେ ଦୁଇଚକିଆ ଯାନର ମଧ୍ୟ ଯାତାୟାତ ଅସମ୍ଭବ ହୋଇପଡୁଛି ।
ଜନସାଧାରଣଙ୍କ ଏହି ସମସ୍ୟାକୁ ବିଗତ ଦିନରେ ବିଧାନସଭାସଭାରେ ଆଲୋଚନା ଏବଂ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖେଇ ଟ୍ରାଫିକ୍ ସମସ୍ୟାର ସାମୟିକ ସମାଧାନ କରିଥିବା ବେଳେ କିନ୍ତୁ ପରବର୍ତ୍ତୀ ସମୟରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ଦେଖିବାକୁ ମିଳିଛି I ଯଥାଶୀଘ୍ର ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ପରିବହନ ବିଭାଗ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ନିମନ୍ତେ ଅଜ୍ଞଳବାସୀ ଦାବି କରିଛନ୍ତି ।
