କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲାର ଅନନ୍ୟ ସାଂସ୍କୃତିକ ପରିଚୟ, ୧୬୦୦ ବର୍ଷର ସର୍ବପ୍ରାଚୀନ ‘ଅସନପାଟ ଛଉ’ ନୃତ୍ୟକଳା ତା’ର ଅସ୍ତିତ୍ୱ ହରାଇବାକୁ ବସିଛି । ଭାରତବର୍ଷର ଛଉ ନୃତ୍ୟର ଏନ୍ତୁଡିଶାଳ ଭାବେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅସନପାଟ ଛଉ ସର୍ବପୁରାତନ । ତେବେ ଜନଜାତିଙ୍କ ଏହି କଳା ଓ ସାମରିକ କଳାକୁ ନୃତ୍ୟ ମାଧ୍ୟମରେ ଲୋକଲୋଚନକୁ ଆସିଥିବା ଆସନପାଟ ଛଉ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ପ୍ରୋସାହନ ଅଭାବରୁ ଏହା ଏବେ ଲୁପ୍ତ ହେବାକୁ ବସିଛି ।
ଏଭଳିସ୍ଥିତିରେ ଜନଜାତିଙ୍କ ଲୁପ୍ତପ୍ରାୟ ଐତିହ୍ୟ, ପ୍ରଥା, ପରମ୍ପରା, ସଂସ୍କୃତି ଓ କଳାକୁ ଉଜ୍ଜିବୀତ କରିବା ପାଇଁ ଆଗେଇ ଆସିଛି ସ୍ୱେଚ୍ଛାସେବୀ ସଙ୍ଗଠନ ‘ଆଦିମ ସଂସ୍କୃତି’ । ଇତିହାସ ଅନୁଯାୟୀ, ଭାରତର ଅନ୍ୟ ୩ ପ୍ରସିଦ୍ଧ ଛଉ ନୃତ୍ୟ ପଡୋଶୀ ଝାରଖଣ୍ଡ ରାଜ୍ୟର ଷଢ଼େଇକଳା ୪୦୦ ବର୍ଷ, ପଶ୍ଚିମବଙ୍ଗର ପୁରୁଲିଆ ୩୦୦ ବର୍ଷ ଏବଂ ମୟୂରଭଞ୍ଜ ୧୫୦ ବର୍ଷର ହୋଇଥିବା ବେଳେ କେନ୍ଦୁଝରର ଅସନପାଟ ଛଉ ପ୍ରାୟ ୧୬୦୦ ବର୍ଷରୁ ଉର୍ଦ୍ଧ୍ଵ ସର୍ବପ୍ରାଚୀନ ।
ସଠିକ୍ ପୃଷ୍ଠପୋଷକତା ଏବଂ ପ୍ରଚାର ପ୍ରସାର ଅଭାବରୁ ଏହି ପ୍ରାଚୀନତମ କଳା ଆଜି ଜରାଜୀର୍ଣ୍ଣ ଅବସ୍ଥା ଦେଇ ଗତି କରୁଛି। ଅସନପାଟି ଛଉକୁ ବାଦ୍ ଦେଲେ ଅନ୍ୟ ୩ଟି ସ୍ଥାନର ଛଉ ଯଥେଷ୍ଟ ପ୍ରଚାର ଓ ସରକାରୀ ପ୍ରୋତ୍ସାହନ ଯୋଗୁଁ ୨୦୧୦ରୁ ୟୁନେସ୍କୋ ମାନ୍ୟତାପ୍ରାପ୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି । ଛଉ ନୃତ୍ୟ ଶୈଳୀର ଜନକ ବାଥୁଡ଼ି ଜନଜାତିର ‘ଅସନପାଟ ଛଉ’ କେବଳ କେନ୍ଦୁଝର କିମ୍ବା ଓଡ଼ିଶାର ଅସ୍ମିତା ନୁହେଁ, ବରଂ ନିର୍ବିବାଦ ଭାବେ ଏହା ସମଗ୍ର ରାଷ୍ଟ୍ରୀୟ ସଂସ୍କୃତିର ଏକ ଗୌରବମୟ ପ୍ରତୀକ।
ଏହି ପ୍ରାଚୀନ କଳାର ପୁନରୁଦ୍ଧାର ଏବଂ ସୁରକ୍ଷା ପାଇଁ ରାଷ୍ଟ୍ରୀୟସ୍ତରରେ କେବଳ ଜନଜାତି କଳା ଓ ସଂସ୍କୃତି ଉପରେ କାର୍ଯ୍ୟ କରୁଥିବା ସଙ୍ଗଠନ ‘ଆଦିମ୍ ସଂସ୍କୃତି’ ଅଣ୍ଟା ଭିଡ଼ିଛି। ଏହି ସଙ୍ଗଠନ ନିଜସ୍ଵ ଉଦ୍ୟମରେ ପ୍ରଥମଥର ପାଇଁ ଅସିନପାଟ ଗ୍ରାମରେ ଚଳିତବର୍ଷ ‘ଅସନପାଟ ଛଉ ମହୋତ୍ସବ-୨୦୨୬’ ଆୟୋଜନ କରିବାକୁ ଯାଉଛି । ଏହି ମହାତ୍ସବ ଅବସରରେ ଛଉ ନୃତ୍ୟ କଳାର ସଂରକ୍ଷଣ ଓ ପ୍ରସାର ନିମନ୍ତେ କର୍ମଶାଳା ଆୟୋଜନ ସହ ଅସନପାଟ ଛଉ ନୃତ୍ୟ ଶୈଳୀକୁ ୟୂନୋସ୍କୋ ମାନ୍ୟତା ନିମନ୍ତେ ଐତିହାସିକ ଦସ୍ତାବିଜକରଣ ସଂଗ୍ରହ କରାଯିବ ବୋଲି ଆଦିମ୍ ସଂସ୍କୃତି ସଂସ୍ଥାପକ ଡ. ରୁଦ୍ରମଣି ପାତ୍ର ପ୍ରେସ୍ ବାର୍ତ୍ତାରେ ଏହା କହିଛନ୍ତି ।
୨୦୦୧ରେ ଆଦିମ୍ ସଂସ୍କୃତିର ସଂସ୍ଥାପକଙ୍କ ଦ୍ୱାରା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ‘ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳାକେନ୍ଦ୍ର’ ଅଧୀନରେ କରାଯାଇଥିବା ‘ଅସନପାଟ ଭିଲେଜ୍ ଷ୍ଟଡି ପ୍ରୋଜେକ୍ଟ’ କୁ ଆଧାରକରି ସଂସ୍ଥା ଏହାକୁ ଏକ ‘ମିସନ ପ୍ରୋଜେକ୍ଟ’ ଭାବେ ଗ୍ରହଣ କରିଛି। କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ସହଯୋଗ, ପିପିପି ମଡେଲ୍ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶୈଳୀର ପ୍ରଚାର, ପ୍ରସାର, ବିକାଶ ଓ ପୁନରୁଦ୍ଧାର ପାଇଁ ସଂସ୍ଥାପକ ଡ. ପାତ୍ର ଦୃଢ଼ ସଙ୍କଳ୍ପ ପ୍ରକାଶ କରିଛନ୍ତି। ଅସନପାଟ ଛଉର ହଜିଯାଉଥିବା ଗୌରବକୁ କେବଳ ସ୍ଥାନୀୟ କିମ୍ବା ଜାତୀୟସ୍ତରରେ ସୀମିତ ନରଖି ଏହାକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଏଥିନିମନ୍ତେ ଡ. ପାତ୍ର ନିବେଦନ କରିଛନ୍ତି । ସମସ୍ତେ ସଙ୍କଳ୍ପବଦ୍ଧ ହୋଇ କେନ୍ଦୁଝରର ଏହି ଲୁପ୍ତପ୍ରାୟ ଐତିହାସିକ ଆଦିବାସୀ କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଉଜ୍ଜିବୀତ କରିବା।
