କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିଲ୍ଲା ପ୍ରଶାସନ ଆବାହକତ୍ଵରେ ସ୍ଥାନୀୟ ଅଡିଟୋରିୟମରେ ଆଦର୍ଶ ସମନ୍ଵିତ ଚିକିତ୍ସା ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ୩୮୨୬ ଜଣଙ୍କୁ ସେବା ପ୍ରଦାନ କରାଯାଇଛି। ପୂର୍ବତନ ସୈନିକ, ସେମାନଙ୍କ ପରିବାରର ବୀର ନାରୀ, ବିଧବା, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତି, ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଛି।
କେନ୍ଦୁଝର ଜିଲ୍ଲା ପ୍ରଶାସନ, ପୂର୍ବତନ ସୈନିକ ଲିଗ, ଷ୍ଟେସନ ମୁଖ୍ୟାଳୟ ବାଲେଶ୍ବର (ଚାନ୍ଦିପୁର-ଅନ୍-ସି) ଦ୍ୱାରା ଆୟୋଜିତ ଦୁଇଦିନିଆ ସମନ୍ଵିତ ଚିକିତ୍ସା ଶିବିରରେ ପୂର୍ବତନ ସୈନିକମାନଙ୍କ ପାଇଁ ଏକାଧିକ ସେବା ପ୍ରଦାନ କରାଯାଇଛି। ଏଥିରେ ‘ସ୍ପର୍ଶ’ ମାଧ୍ୟମରେ ପେନସନ ସମ୍ବନ୍ଧୀୟ ଅଭିଯୋଗର ସମାଧାନ, ଇସିଏଚଏ ପଞ୍ଜୀକରଣ, ସିଏସଡି ସୁବିଧା ହାସଲ ପାଇଁ ପଞ୍ଜୀକରଣ, ନିରାମୟ ସ୍ବାସ୍ଥ୍ୟ ବୀମା, ଫିଜିଓଥେରାପି ଓ ମନସ୍ତାତ୍ଵିକ ରୋଗ ପରାମର୍ଶ ଓ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଶଲ୍ଯ ଓ ଭେଷଜ, ଚକ୍ଷୁ, ଦନ୍ତ, ଅସ୍ଥିଶଲ୍ୟ ଚିକିତ୍ସା ସାମିଲ ରହିଛି।
ଏହି ଶିବିରରେ ପ୍ରଥମଥର ପାଇଁ ଦିବ୍ୟାଙ୍ଗଙ୍କ ମାନକ ପରୀକ୍ଷଣ କରାଯାଇ ଅନନ୍ୟ ଅକ୍ଷମତା ପରିଚୟ (UDID) କାର୍ଡ ପ୍ରଦାନ କରାଯାଇଛି। ୧୪ (ଓଡ଼ିଶା) ଏନସିସି ବାଟାଲିୟନ କ୍ୟାଡେଟମାନେ ସ୍ୱେଚ୍ଛାସେବୀ ଭାବେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଚିକିତ୍ସିତଙ୍କ ମଧ୍ୟରେ ୫ଜଣ ବୀର ନାରୀ ରହିଥିବାବେଳେ ୩୦ ଜଣଙ୍କର ନିରାମୟ ସ୍ବାସ୍ଥ୍ୟ ବୀମା, ୧୫୧ ଜଣଙ୍କର ‘ସ୍ପର୍ଶ’ ମାଧ୍ୟମରେ ପେନସନ, ୨୭ ଜଣଙ୍କର ମନସ୍ତାତ୍ଵିକ ସ୍ଥିତି ଆକଳନ କରାଯାଇଛି। ସେହିପରି ୨୭ଜଣ ଯୁଦ୍ଧ ଫେରନ୍ତା ଅବସରପ୍ରାପ୍ତ ସୈନିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଆବାହକ ଭାବେ ଜିଲ୍ଲାପାଳ ବିଶାଳ ସିଂହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରିଥିବାରୁ ବାଲେଶ୍ବର ଷ୍ଟେସନ ମୁଖ୍ୟାଳୟ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଛତିଶଗଡ଼ ଏବଂ ଓଡ଼ିଶା ସବ୍ଏରିଆ କମାଣ୍ଡର ବ୍ରିଗେଡିୟର୍ ଟି.ଏସ୍. ବାୱା ଏହି ଦୁଇଦିନିଆ ଶିବିରକୁ ଉଦଘାଟନ କରିଥିଲେ।
