ଟାଟା ଷ୍ଟିଲ ଯୋଡାର ଲୌହ ଓ ମାଙ୍ଗାନିଜ ଖଣି ପୁରସ୍କୃତ
ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ପାଇଁ ଆଇବିଏମ ଦ୍ଵାରା ପୁରସ୍କୃତ


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶାରେ ଟାଟା ଷ୍ଟିଲର ଥିବା ଲୌହ ଓ ମାଙ୍ଗାନିଜ ଖଣି ଗୁଡିକୁ ଭୁବନେଶ୍ୱର ଠାରେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ) ତତ୍ତ୍ୱାବଧାନରେ ଶନିବାର ଆୟୋଜିତ ୨୭ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମସି) ସପ୍ତାହ ୨୦୨୫-୨୬ ପୁରସ୍କାର ବିତରଣ ଉତ୍ସବରେ ୧୪ଟି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏହି ଅବସରରେ ଟାଟା ଷ୍ଟିଲର ଯୋଡ଼ା ପୂର୍ବ ଲୌହ ଖଣିକୁ ବିଭାଗ-କ ଅନ୍ତର୍ଗତ ଖଣିଜ ପ୍ରକ୍ରିୟାକରଣ ଏବଂ ଖଣିଜ ପୁନଃ ଉଦ୍ଧାର ପାଇଁ ପୃଥକ ଭାବେ ଦ୍ଵିତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଏହାବ୍ୟତୀତ ଏହି ଖଣିକୁ ବିଭାଗ-କ ଅନ୍ତର୍ଗତ ସାମଗ୍ରିକ ପ୍ରଦର୍ଶନ ପାଇଁ ମଧ୍ୟ ଦ୍ୱିତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ବିଭାଗରେ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ ଖଣିକୁ ଖଣିଜ ପ୍ରକ୍ରିୟାକରଣ ଏବଂ ଖଣିଜ ପୁନଃ ଉଦ୍ଧାର ପାଇଁ ପୃଥକ ଭାବେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି I

   ଅନୁରୂପ ଭାବେ କIଟାମାଟି ଲୌହ ଖଣିକୁ ବ୍ୟବସ୍ଥିତ ବୈଜ୍ଞାନିକ ପଦ୍ଧତି ପାଇଁ ପ୍ରଥମ ଏବଂ ଖଣିଜ ସଂରକ୍ଷଣ ପାଇଁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି I ବିଭାଗ-ଖ ଅନ୍ତର୍ଗତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ନୀଳାଚଳ ଖଣିକୁ ଖଣିଜ ପୁନଃ ଉଦ୍ଧାର ପାଇଁ ଦ୍ଵିତୀୟ ପୁରସ୍କାର ପ୍ରଦାନ କରାଯାଇଛି I ବିଭିନ୍ନ ଖଣିର ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିବା ଆଇବିଏମ୍ କଣ୍ଟ୍ରୋଲର ଜେନେରାଲ ଅଫ ମାଇନ୍ସ ପଙ୍କଜ କୁଳଶ୍ରେଷ୍ଠଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

   ସେହିଭଳି ପଶ୍ଚିମ ଯୋଡା ଲୌହ ଖଣିକୁ ବନୀକରଣ, ବ୍ୟବସ୍ଥିତ ବୈଜ୍ଞାନିକ ପଦ୍ଧତି ଏବଂ ସମୂହ ପାରଦର୍ଶିତା ପାଇଁ ପୃଥକ ଭାବେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି I ବାମେବାରି ଖଣିକୁ ପ୍ରକ୍ରିୟାକରଣ ଏବଂ ଖଣିଜ ପୁନଃ ଉଦ୍ଧାର ଓ ସ୍ଥାୟୀ ବିକାଶ ପଦ୍ଧତି ପାଇଁ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ମିଳିଛି I ଏହି ଉତ୍ସବରେ କମ୍ପାନୀର ତିରିଙ୍ଗପାହାଡ଼ ଖଣି ବନୀକରଣ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛି I

    ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇବିଏମ୍ ଚିଫ୍ କଣ୍ଟ୍ରୋଲର ଅଫ୍ ମାଇନ୍ସ ଜି କାଲେ, କଣ୍ଟ୍ରୋଲର ଅଫ୍ ମାଇନ୍ସ (ଇଷ୍ଟ ଜୋନ୍) ପୁଖରାଜ ନେନିଭIଲ, ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର, ଏଫ୍ଏଏମଡି ମୁଖ୍ୟ ଶମ୍ଭୁନାଥ ଝା, ନୀଳାଚଳ ଇସ୍ପାତ ଖଣି ମୁଖ୍ୟ ରାହୁଲ କିଶୋର, ଖଣ୍ଡବନ୍ଧ ଖଣି ମୁଖ୍ୟ ଜି.ଭି ସତ୍ୟ ନାରାୟଣ, ସମସ୍ତ ଖଣିର ଅପରେସନ୍ସ ବିଭାଗ ମୁଖ୍ୟ, କର୍ମଚାରୀ ସଂଘ କର୍ମକର୍ତ୍ତା ଏବଂ ରାଜ୍ୟର ବିଭିନ୍ନ ଖଣିର ପ୍ରତିନିଧି ଉପସ୍ଥିତ ଥିଲେ ।

    ଟାଟା ଷ୍ଟିଲ ସମଗ୍ର ବିଶ୍ୱରେ ଏହାର କାର୍ଯ୍ୟକ୍ଷେତ୍ରରେ ଦୀର୍ଘସ୍ଥାୟୀ ଖନନ ପାଇଁ ପ୍ରତିବଦ୍ଧ ରହିଛି । କମ୍ପାନୀ ଉଚ୍ଚମାନର ଅନ୍ତର୍ଜାତୀୟ ମାନକ ବଜାୟ ରଖିବା ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ରମ୍ୟାଟେରିଆଲର ଗୁଣବତ୍ତା ଓ ସଂରକ୍ଷଣକୁ ସୁନିଶ୍ଚିତ କରୁଛି ।

Leave a Reply

Your email address will not be published. Required fields are marked *