କେନ୍ଦୁଝରରେ ବିଶ୍ୱ ଆଦିବାସୀ ଦିବସ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆଦିବାସୀଙ୍କ ପାଇଁ ଥିବା ସାମ୍ବିଧାନିକ ଅଧିକାର ଓ ସାମାଜିକ ଜୀବନ ଯାପନ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ପ୍ରତି ଓଡ଼ିଶା ସରକାର କରୁଥିବା ଚରମ ଅବହେଳା ତଥା ଅସମାନତା ଏବଂ ଉଦାସ ଭାବ ପ୍ରଦର୍ଶନ କରୁଥିବା ପ୍ରତିବାଦରେ ରବିବାର ବିଶ୍ୱ ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର କାଳିପଡିଆ ଠାରୁ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ତରଫରୁ ଶତାଧୀକ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ୧୮ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ରାଷ୍ଟ୍ରପତି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

            ପେସା ଆଇନ ୧୯୯୬କୁ ରାଜ୍ୟରେ କଡ଼ାକଡ଼ି ଭାବେ ଲାଗୁ କରିବା, ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ପଞ୍ଚମ ଓ ଷଷ୍ଠ ଅନୁସୂଚିକୁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ଠାର ସହ ପାଳନ କରିବା, ସମାନ ନାଗରିକ ସଂହିତା ଅଇନ ପ୍ରଣୟନ କରି ଆମ ଆଦିବାସୀ ମାନଙ୍କୁ ମିଳିଥିବା ପୃଥକ ଆଦିବାସୀ ପରିଚୟକୁ ସମାପ୍ତ କରା ନଯାଉ । ଯୁଗ ଯୁଗରୁ ଆଦିମ କାଳରୁ ଆଦିବାସୀ ମାନଙ୍କର ଥିବା ସେମାନଙ୍କ ମୌଳିକ ଅଧିକାର, ସ୍ୱତନ୍ତ୍ର ଧର୍ମ ଧାରଣ, ବିଶ୍ଵାସ, କୌଳିକ ପ୍ରଥା, ଐତିହ୍ୟ ଓ ପୂଜା ପଦ୍ଧତି ଇତ୍ୟାଦିଙ୍କୁ ଚାପ ଦେଇ ପଥ ଭ୍ରଷ୍ଟ କରାନଯାଉ । ଜଙ୍ଗଲ ଅଧିକାର ଆଇନ-୨୦୦୬କୁ କଡ଼ାକଡ଼ା ଭାବେ ପାଳନ କରାଯାଉ ଓ ପୂର୍ବ ଅଧୁକାର ବଳବତର ରହୁ । ସରକାର ନୂତନ ଜଙ୍ଗଲ ନିୟମ ପ୍ରଣୟନ-୨୦୨୩କୁ ତୁରନ୍ତ ପ୍ରତ୍ୟାହର କରାଯାଉ ।

              ଖଣି ଓ ଶିଳ୍ପ ସ୍ଥାପନ ନାମରେ ଆଦିବାସୀଙ୍କ ଜମିକୁ ଜବରଦସ୍ତି ଅଧିକାର କରିବା ବନ୍ଦ କରାଯାଉ । ଜଙ୍ଗଲ ଜମି ପଟ୍ଟାକୁ ପରିବବର୍ତ୍ତନ କରି ଆଦିବାସୀ ପ୍ରଜାଙ୍କୁ ନିୟମ ମୁତାବକ ସ୍ଥାୟୀ ପଟ୍ଟା ପ୍ରଦନ କରାଯାଉ । ଦୀର୍ଘଦିନ ଧରି ଆଦିବାସୀମାନେ ବସବାସ କରୁଥିବା ଘର ଜାଗା ଓ ଚାଷ ପାଇଁ ଦଖଲ କରୁଥିବା ଜମିକୁ ବିନା ଜରିମାନାରେ ଉକ୍ତ ଜମିର ପଟ୍ଟା ସେମାନଙ୍କୁ ପ୍ରଦାନ କରାଯାଉ । ଆଦିବାସୀ ବସବାସ କରୁଥିବା ଯେଉଁ ଗ୍ରାମ ଗୁଡ଼ିକ ରାଜସ୍ବ ଗ୍ରାମର ମାନ୍ୟତା ପାଇନାହିଁ ସେହି ଗ୍ରାମଗୁଡ଼ିକୁ ତୁରନ୍ତ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଉ । କେନ୍ଦୁଝର ଜିଲ୍ଲା ଖଣି ଖାଦାନ ଓ ଛୋଟ ବଡ଼ ଅନେକ କଳ କାରଖାନା ଭରା ଥିବା ଯୋଗୁ ଖଣି ଖାଦାନର ଆଦାୟ ଉନ୍ନୟନ ଅର୍ଥରାଶି ଡିଏମଏଫ ଓ ଓମ୍ବାଡସି ଅର୍ଥରାଶି ପୂର୍ବରୁ ଜିଲ୍ଲା କ୍ଷମତାରେ ପରିଚାଳିତ ହେଉଥୁଲା ଫଳରେ ଜିଲ୍ଲାରେ ସହସା ଯେକୌଣସି ଉନ୍ନତମୂଳକ କାର୍ଯ୍ୟ ଜିଲ୍ଲା ପ୍ରଶାସନ କରି ପାରୁଥିଲା । କିନ୍ତୁ ଏ କ୍ଷମତା ରାଜ୍ୟ ସରକାର ନିଜ ହାତକୁ ନେବା ଫଳରେ କ୍ରମେ ଜିଲ୍ଲାର ପ୍ରଗତି ପ୍ରତି ସରକାର ଅଣଦେଖା କରୁଥିବା ସ୍ପଷ୍ଟ ଭାବେ ଜଣାପଡ଼ିଲା । ଏଣୁ ଉକ୍ତ ଅର୍ଥ ପରିଚାଳନା କ୍ଷମତା ପୂର୍ବପରି ଚାଲୁ ହେବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଫେରାଇ ଦିଆଯାଉ।

          ଆଦିବାସୀ ଅଧ୍ଯୁଷିତ ଅଞ୍ଚଳମାନଙ୍କରେ ଆଦିବାସୀମାନେ ଆବଶ୍ୟକସ୍ଥଳେ ସେମାନଙ୍କ ନିଜ ନିଜ ବିକ୍ରି କିମ୍ବା ବନ୍ଧକ ଦେବା କ୍ଷେତ୍ରରେ ସରକାର କଟକଣା ନିୟମ ଲାଗୁ କରିଛନ୍ତି ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ । କିନ୍ତୁ ଏହି ଅନ୍ତର୍ଭୁକ୍ତ ଗ୍ରାମ ବା ସହର ମାନଙ୍କରେ ରହୁଥ‌ିବା ଆଦିବାସୀ ମାନଙ୍କ ନିମନ୍ତେ ସେମାନଙ୍କ ଜମିକୁ ସେମାନେ ବିକ୍ରି କରିବା ବା ବନ୍ଧକ ଦେବା କ୍ଷମତା ହରାଇଥିବାରୁ ଆଦିବାସୀମାନେ ବେପାର ବାଣିଜ୍ୟ, ଗୃହ ନିର୍ମାଣ ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଆଦି ପାଇଁ ବ୍ୟାଙ୍କରୁ ଋଣ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ଅଞ୍ଚଳ ମାନଙ୍କରେ ବସବାସ କରୁଥିବା ଆଦିବାସୀମାନଙ୍କ ଜମିଜମାରୁ ବ୍ୟାଙ୍କ ବନ୍ଧକ ରଖୁ ନାହାନ୍ତି ଏଣୁ ସରକାର ଏ କ୍ଷେତ୍ରରେ କୋହଳ ନିୟମ ପ୍ରଣୟନ କରି ରାଜ୍ୟ ସରକାର ତାର ନିଜେ ଜାମିନଦାର ରୁହନ୍ତୁ । ବିଶ୍ବ ଆଦିବାସୀ ଦିବସକୁ କେନ୍ଦ୍ର ଓ ରାଜ୍ୟ ସରକାର ଛୁଟି ଦିବସ ଘୋଷଣା କରନ୍ତୁ ।

        ଏହି ଶୋଭାଯାତ୍ରାରେ ଗଣ୍ଡ, ସାନ୍ତାଳୀ, ଜୁଆଙ୍ଗ, ଶବର ଓ ଭୂୟାଁ ସମାଜର ବ୍ୟକ୍ତି ଯୋଗ ଦେଇଥିଲେ। ମଞ୍ଚ ସଦସ୍ୟ ରାଧାକାନ୍ତ ନାଏକଙ୍କ ସଂଯୋଜନାରେ ମଞ୍ଚ ସଭାପତି ଜନାର୍ଦ୍ଦନ ନାଏକ, ଉପଦେଷ୍ଟା ପ୍ରାଣବଲ୍ଲଭ ନାୟକ, ଗଣ୍ଡ ସମାଜ ସମ୍ପାଦକ  ତହସିଲଦାର ହାଂସଦା, ସମରା ଟୁଡୁ, ମେଘନାଦ ମାଝୀ, ଅଭିମନ୍ୟୁ ଜୁଆଙ୍ଗ, ଇନ୍ଦ୍ରମଣି ଦେହୁରୀ, କୁମ୍ଭକର୍ଣ୍ଣ ଦେହୁରୀ, ଶ୍ୟାମସୁନ୍ଦର ନାଏକ, ତ୍ରିଲୋଚନ ନାୟକ, କାଙ୍ଗାଳି ଚରଣ ନାଏକ, ପ୍ରମୋଦ ଜୁଆଙ୍ଗ, ଜୀବନ ମୁଣ୍ଡା, ରାମରାୟ ମୁନ୍ଦୁୟାଙ୍କ ସମେତ ଶତାଧିକ ଆଦିବାସୀ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *