ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ  ଏକ ଗୁରୁତ୍ୱପୂର୍ଣ୍ଣ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ଆର୍ଥିକ ପ୍ରଦର୍ଶନ, କ୍ୟାବିନେଟ୍ ନିଷ୍ପତ୍ତିର ସମୟବଦ୍ଧ କାର୍ଯ୍ୟାନ୍ୱୟନ, ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଏବଂ ‘ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭’ ଲକ୍ଷ୍ୟରେ ଗଜପତି ଜିଲ୍ଲାର ସାମଗ୍ରିକ ବିକାଶ ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।
    ବୈଠକ ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ପୁରୀ ରଥଯାତ୍ରାର ସଫଳ ଆୟୋଜନ ଏବଂ ସାମ୍ପ୍ରତିକ ଲଗାଣ ବର୍ଷାଜନିତ ବନ୍ୟା ପରିଚାଳନା ପାଇଁ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ। ବନ୍ୟା ପରବର୍ତ୍ତୀ ରିଲିଫ୍, ଘାଇ ମରାମତି ଓ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ରାଜ୍ୟର ଆର୍ଥିକ ସ୍ଥିତି ଉପସ୍ଥାପନ କରିଥିଲେ। ଗତବର୍ଷ ତୁଳନାରେ ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ରାଜସ୍ୱ ଆଦାୟ ବୃଦ୍ଧି ପାଇବା ସହ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିବ୍ୟୟ ୨୦.୨ ପ୍ରତିଶତ ଏବଂ ସାମାଜିକ କ୍ଷେତ୍ରରେ ୧୬.୧ ପ୍ରତିଶତ ବୃଦ୍ଧି ପାଇଥିବା ବୈଠକରୁ ଜଣାପଡ଼ିଛି।

         ‘ବିକଶିତ ଓଡ଼ିଶା’ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଜିଲ୍ଲାର ବିକାଶ ପାଇଁ ୨୫ଟି ପ୍ରମୁଖ ପ୍ରକଳ୍ପର ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ। ଏଥିରେ ଜିରାଙ୍ଗ ବୌଦ୍ଧପୀଠ, ମହେନ୍ଦ୍ରଗିରି ଇକୋଟୁରିଜିମ୍, ପାରଳାଖେମୁଣ୍ଡି ‘ବୃନ୍ଦାବନ ରାଜପ୍ରାସାଦ’, ଜାତୀୟ ରାଜପଥ-୩୨୬ ସମ୍ପ୍ରସାରଣ ଏବଂ ୨୦୨୭ ସୁଦ୍ଧା ମେଗା ପାନୀୟଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

       ଶିକ୍ଷା କ୍ଷେତ୍ରରେ ‘ପ୍ରୟାସ ସୁପର-୩୦’ କାର୍ଯ୍ୟକ୍ରମ ଯୋଗୁଁ ୨୦୨୫ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ୯୯.୩୫% ପାସ୍ ହାର ହାସଲ କରିବା ସହ NIEPA ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଜିଲ୍ଲା ପ୍ରଶାସନର ପ୍ରୟାସକୁ ବୈଠକରେ ପ୍ରଶଂସା କରାଯାଇଥିଲା।

.          ରାଜ୍ୟ କ୍ୟାବିନେଟ୍‌ରେ ନିଆଯାଉଥିବା ନିଷ୍ପତ୍ତିଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ, ନିୟମିତ ଫଲୋଅପ୍ ଏବଂ ଅନୁପାଳନ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସଚିବମାନଙ୍କ ନିୟମିତ ଜିଲ୍ଲାଗସ୍ତ, ସାଇବର ଅପରାଧ ନିୟନ୍ତ୍ରଣ ଏବଂ ନିଶାମୁକ୍ତ ଅଭିଯାନର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

Leave a Reply

Your email address will not be published. Required fields are marked *