କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିଲ୍ଲାପାଳ ଵିଶାଲ ସିଂହ ଶୁକ୍ରବାର ମିନିକନଫରେନ୍ସ ହଲ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜିଲ୍ଲାରେ ଲଗାଣବର୍ଷା ଜନିତ ବର୍ତ୍ତମାନର ସ୍ଥିତି, ରିଲିଫ୍ କାର୍ଯ୍ୟ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି ଯେ ଚମ୍ପୁଆ, ସ୍ୱାମପାଟଣା ଏବଂ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଆନନ୍ଦପୁର ଠାରେ ଜଳସ୍ତର ୩୫.୩୫ ମିଟର ରହିଥିଲା, ଯାହା ବିପଦ ସଙ୍କେତ (୩୮.୩୬ ମିଟର)ଠାରୁ ଯଥେଷ୍ଟ ତଳେ ରହିଛି। ସେହିପରି ଚମ୍ପୁଆ ଏବଂ ପାଟଣାରେ ମଧ୍ୟ ନଦୀର ଜଳସ୍ତର ନିଜ ନିଜର ବିପଦସଙ୍କେତ ଠାରୁ ତଳେ ରହିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି।

କାନପୁର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ କଫର ଡ୍ୟାମ୍ ଉପରେ ପାଣି ପ୍ରବାହିତ ହେଉଛି ଏବଂ ସର୍ବାଧିକ ସୁରକ୍ଷିତ ସ୍ତର ୪୪୦.୦୦ ମିଟର ତୁଳନାରେ ଜଳଭଣ୍ଡାରର ଜଳସ୍ତର ୪୩୦.୪୦ ମିଟର ରେକର୍ଡ କରାଯାଇଛି। ଏହି ପ୍ରକଳ୍ପକୁ ପ୍ରତି ସେକେଣ୍ଡରେ ୪୦.୧୬୨ କ୍ୟୁମେକ (ଘନ ମିଟର) ଜଳ ପ୍ରବେଶ କରୁଥିବା ବେଳେ ୫୮୭.୯୮ କ୍ୟୁମେକ ଜଳ ନିଷ୍କାସିତ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନର ଜଳ ନିଷ୍କାସନ ଯୋଗୁଁ କୌଣସି ଗ୍ରାମ ପ୍ରଭାବିତ ହେବା ଆଶଙ୍କା ନାହିଁ ଏବଂ ପ୍ରଶାସନ ପକ୍ଷରୁ ନିମ୍ନମୁଖୀ ବ୍ଲକ ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝରସଦର ଏବଂ ପାଟଣାର ସ୍ଥିତି ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି।
ଜିଲ୍ଲାପାଳ ଦର୍ଶାଇଛନ୍ତି ଯେ, ବିଗତ କିଛି ଦିନର ପ୍ରବଳ ବର୍ଷା ଯୋଗୁଁ ୧୩ଟି ବ୍ଲକର ୯୪ଟି ଗ୍ରାମ ପଞ୍ଚାୟତ ଏବଂ ୭୨୭ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୪୮ଟି ଗ୍ରାମ ଜଳବନ୍ଦୀ ହୋଇ ରହିଥିଲା, କିନ୍ତୁ ବର୍ତ୍ତମାନ କୌଣସି ଗ୍ରାମ ଜଳବନ୍ଦୀ ହୋଇ ରହିନାହିଁ। ଫସଲ କ୍ଷତିର ଆକଳନ ଅନୁଯାୟୀ ୧୮୭ ହେକ୍ଟର ଧାନ ଜମି ଏବଂ ୭୦ ହେକ୍ଟର ଅଣଧାନ ଚାଷ ଜମି ନଷ୍ଟ ହୋଇଛି। ଜିଲ୍ଲାରେ ୫୨୩ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି, ଯେଉଁଥିରେ ୫୨୦ଟି ଆଂଶିକ କ୍ଷତିଗ୍ରସ୍ତ ଏବଂ ୩ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏହା ବ୍ୟତୀତ ୩୮ଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବନ୍ୟାଜନିତ ଦୁର୍ଘଟଣାରେ ଜଣେ କାନ୍ଥ ଭୁଷୁଡ଼ିବା ଯୋଗୁଁ, ୨ ଜଣ ପାଣିରେ ବୁଡ଼ିଯିବା ଯୋଗୁଁ ଏବଂ ଜଣେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି । ଏହାସହିତ ୧୪ଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସୂଚନା ମିଳିଛି।
ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ୧୮ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଥିଲା, ଯେଉଁଥିରୁ ବର୍ତ୍ତମାନ ୨ଟି କାର୍ଯ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ ମୋଟ ୬୯୧୮ଜଣ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଶୁକ୍ରବାର ୬୦ ଜଣଙ୍କୁ ଖାଦ୍ୟ ପରଷା ଯାଇଛି। ପ୍ରଶାସନ ପକ୍ଷରୁ ୧୮୧୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୯୨ଜଣ ଗର୍ଭବତୀଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। ଏହାବ୍ୟତୀତ ଗୋଟିଏ ଆଶ୍ରୟସ୍ଥଳୀ, ୧୦ଟି ଗୋପାଳନ ଶିବିର, ୧୦ଟି ମେଡିକାଲ ଟିମ୍, ୨୬ଟି ମୋବାଇଲ୍ ମେଡିକାଲ୍ ୟୁନିଟ୍ ଏବଂ ୧୦ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ୫୬୯ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି। ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ନିବେଦନ କରି ନାଗରିକମାନେ କେବଳ ଭାରତୀୟ ପାଣିପାଗ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଉଥିବା ସଠିକ୍ ସୂଚନା ଉପରେ ଭରସା କରିବା ସହ କୌଣସି ଗୁଜବ କିମ୍ବା ସାମାଜିକ ଗଣମାଧ୍ୟମର ଅସତ୍ୟ ବାର୍ତ୍ତା ଉପରେ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ତାହା ସେୟାର ନକରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ବଢ଼ି ପାଣି ଥିବା ନଦୀ, ନାଳ, ଡ୍ୟାମ୍ କିମ୍ବା ଅନ୍ୟାନ୍ୟ ଜଳାଶୟ ନିକଟକୁ ନଯିବାକୁ ଏବଂ ବନ୍ୟା ପାଣି ପାଖରେ ସେଲ୍ଫି ନେବା କିମ୍ବା କୌଣସି ବିପଜ୍ଜନକ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଯେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ନାଗରିକମାନଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି କଲେକ୍ଟର (ଜରୁରୀକାଳୀନ) ଅଭିଳାଷ ପୁରୋହିତ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ।
