ନିଯୁକ୍ତି ସନ୍ଧାନକାରୀ ନୁହେଁ,ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ- ମୁଖ୍ୟମନ୍ତ୍ରୀ

ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ


ପରମାଣୁ ଶକ୍ତି କେନ୍ଦ୍ର ପାଇଁ ଓଡ଼ିଶାରେ ଉଜ୍ଜ୍ୱଳ ସମ୍ଭାବନା-ଥୋରିୟମ ମୁଖ୍ୟ ଆଧାର


ଗତ ୨ ବର୍ଷରେ ୨.୮ ଲକ୍ଷ କୋଟି ବିନିଯୋଗ-ଓଡ଼ିଶାରେ ବୃଦ୍ଧି ପାଉଛି ଶିଳ୍ପ ଓ ଚାକିରି ସୁଯୋଗ

ଇଞ୍ଜିନିଅରିଂ ଓ ମେଡିକାଲ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି ପଛୁଆବର୍ଗଙ୍କ ପାଇଁ ନୂତନ ସୁଯୋଗ


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆଗାମୀ ଭାରତ ବୈଷୟିକ ଜ୍ଞାନ କୌଶଳର ଭାରତ ହେବ। ଗବେଷଣା, କୃତ୍ରିମ ମେଧା (AI) ଓ Innovation ର ସଠିକ୍ ବ୍ୟବହାର ଦ୍ୱାରା ଦେଶର ସମୃଦ୍ଧି ସୁନିଶ୍ଚିତ ହେବ ବୋଲି କେନ୍ଦୁଝରସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥ୍ଵ ଦ୍ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି ।

     ନିଜ ଛାତ୍ରଜୀବନର ସଂଘର୍ଷ ଦିନଗୁଡ଼ିକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୯୫ ମସିହାରେ ଏହି ସଂସ୍ଥା ପ୍ରତିଷ୍ଠା ସମୟରୁ ଆଜି ପର୍ଯ୍ୟନ୍ତ ଏହା ଉତ୍ତର ଓଡ଼ିଶାର ଯୁବପୀଢ଼ି ପାଇଁ ଆଶାର ପ୍ରତୀକ ରହିଛି। ମଧ୍ୟବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ସତ୍ତ୍ଵେ ଲୋକ ମାନଙ୍କର ସମୁହ ଉଦ୍ୟମ ଓ ସଂକଳ୍ପ ଦ୍ୱାରା ୨୦୦୧ ମସିହାରେ ଏହି ସଂସ୍ଥା ପୁନଃଜୀବନ ଲାଭ କରିଥିଲା । ଯାହା ଏକତା ଓ ଦୃଢ଼ ସଙ୍କଳ୍ପର ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଥିଲେ।

    ଏହି ମହାବିଦ୍ୟାଳୟରୁ ପ୍ରାୟ ୬୫୦୦ରୁ ଅଧିକ ଛାତ୍ରଛାତ୍ରୀ ଦେଶ ବିଦେଶରେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ପ୍ଲେସମେଣ୍ଟ ବ୍ୟବସ୍ଥା ସନ୍ତୋଷଜନକ ହେବା ସହିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରିୟାଂଶୁ ପାଲଙ୍କ ସଫଳତାକୁ ସେ ମହାବିଦ୍ୟାଳୟର ଗୌରବ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଜିସିଇକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ଘୋଷଣା କରି ସେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚତ୍ତର ଗବେଷଣା ଓ ଦକ୍ଷତା ବିକାଶରେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ।

      ରାଜ୍ୟର ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟି ବିଷୟରେ ମୁଖ୍ୟମନ୍ତ୍ରୀ ଜଣାଇଥିଲେ ଯେ, ଗତ ୨ ବର୍ଷରେ ପ୍ରାୟ ୨.୮ ଲକ୍ଷ କୋଟି ଟଙ୍କା ବିନିଯୋଗ ହୋଇଥିବା ସହ ୨ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଶିଳ୍ପକୁ ଆଧାର କରି ଓଡ଼ିଶା ଏବେ ରାଜ୍ୟର ଯୁବପୀଢ଼ିମାନଙ୍କ ପାଇଁ ଆକର୍ଷଣ କେନ୍ଦ୍ର ଭାବେ ଉଭା ହେଉଛି ।

   ଇଞ୍ଜିନିଅରିଂ ଓ ମେଡିକାଲ ଶିକ୍ଷାରେ ଆଦିବାସୀ, ଦଳିତ ଓ ଏସଇବିସି ବର୍ଗ ପାଇଁ ସଂରକ୍ଷଣ ବୃଦ୍ଧି କରାଯାଇଛି, ଯାହା ରାଜ୍ୟରେ ପଛୁଆବର୍ଗଙ୍କ ଶିକ୍ଷାର ବିକାଶକୁ ସୁନିଶ୍ଚିତ କରିବ। ସେ ଉଲ୍ଲେଖ କରିଥିଲେ ଯେ, ପରମାଣୁ ଆଧାରିତ ଶକ୍ତି ଉତ୍ପାଦନରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି । ଓଡ଼ିଶାରେ ପ୍ରଚୁର ଥୋରିୟମ୍ ସମ୍ପଦ ଥିବାରୁ ଭବିଷ୍ୟତରେ ଏଠାରେ ପରମାଣୁ ଶକ୍ତି କେନ୍ଦ୍ର ପ୍ରତିଷ୍ଠାର ଉଜ୍ଜ୍ୱଳ ସମ୍ଭାବନା ରହିଛି।

   ଯୁବବର୍ଗଙ୍କୁ ଉପଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେବଳ ଚାକିରି ଖୋଜୁଥିବା ଆଶାୟୀ ନୁହେଁ, ଚାକିରି ସୃଷ୍ଟି କରୁଥିବା ମଣିଷ ହୁଅନ୍ତୁ। ଇନୋଭେସନ ଓ ଏଣ୍ଟ୍ରପ୍ରିନ୍ୟୋର୍‌ସିପ୍ ଦ୍ୱାରା ନୂତନ ସୁଯୋଗ ସୃଷ୍ଟି କରିବାକୁ ସେ ଆହ୍ୱାନ କରିଥିଲେ। ୨୦୩୬ ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ଯୁବଶକ୍ତିର ଭୂମିକା ନିର୍ଣ୍ଣାୟକ ବୋଲି ସେ କହିଥିଲେ।
   ଏହି ଉତ୍ସବରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚଦ୍ର ନାଏକ, ଜିଲ୍ଲାପାଳ ବିଶାଲ ସିଂ,⁠ ବିପିୟୁଟି କୂଳପତି ପ୍ରଫେସର ଅମୀୟ କୁମାର ରଥ, ପରିଚାଳନା ସମିତି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସେନାପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସରୋଜ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *