କ୍ରୀଡା କ୍ଷେତ୍ରରେ ନିରନ୍ତର ପ୍ରୋତ୍ସାହନ ପାଇଁ ଆଜି ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ
ଗ୍ରାମୀଣ ପ୍ରତିଭା ବିଶ୍ବସ୍ତର ପାଇଁ ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ ୧୧ତମ ଶୁଭାଶିଷ ସ୍ମାରକୀ ଦିବାରାତ୍ର କ୍ରିକେଟ ପ୍ରତିଯୋଗିତାରେ ରାଉରକେଲା ୟୁଥ କ୍ରିକେଟ କ୍ଳବ ରାଇଜିଂ ସ୍ଟୁଡେଣ୍ଟସ କଟକକୁ ୩୪ ରନରେ ପରାସ୍ତ କରି ଚମ୍ପିୟାନ ହୋଇଛି। ଏହି ଫାଇନାଲ ମ୍ୟାଚ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ବିଜୟୀ ଏବଂ ରନର୍ସଅପ ଦଳକୁ ପୁରସ୍କୃତ କରିଥିଲେ ।
ଦେଶର ଗ୍ରାମୀଣ ପ୍ରତିଭାମାନଙ୍କୁ ଚିହ୍ନଟ ଚିହ୍ନଟ କରି ସେମାନଙ୍କୁ ବିଶ୍ବସ୍ତରୀୟ ସ୍ବୀକୃତି ଆଣିଦେବା ହେଉଛି ଆମ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଏଥିପାଇଁ ପ୍ରତି ପଞ୍ଚାୟତ ଏବଂ ବ୍ଲକରେ ଷ୍ଟାଡିମୟ ନିର୍ମାଣ କରି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ସରକାର ପ୍ରତିଭା ଚିହ୍ନଟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ।
କ୍ରୀଡ଼ା କ୍ଷେତ୍ରରେ ଆମର ନିରନ୍ତର ପ୍ରୋତ୍ସାହନ ପାଇଁ ଓଡ଼ିଶା ଆଜି ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ । ଓଡ଼ିଶା ଆଜି ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଛି । ପ୍ରତ୍ୟେକ ସଫଳତା ସହ ଓଡ଼ିଶା ନିଜକୁ କ୍ରୀଡ଼ା ଜଗତର ଏକ ଉଦୀୟମାନ ଶକ୍ତି ଭାବେ ପ୍ରମାଣିତ କରୁଛି ।

ଆସନ୍ତା ୨୦୨୮ ମସିହାରେ ହେବାକୁ ଥିବା ବିଶ୍ଵ ଆଥଲେଟିକ୍ସ ଇନ୍ଡୋର ଚାମ୍ପିୟନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାହେବ। ଓଡିଶା ଏହାର ଆୟୋଜନ କରିବ, ଯାହା ଆମ ପାଇଁ ଗୌରବର କଥା। ଏଥିରେ ବ୍ଳକଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ୟ୍ୟନ୍ତ ଫୁଟବଲ, ଆଥଲେଟିକ୍ସ, ହକି ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଲକ୍ଷାଧିକ ଆଥଲେଟ୍ ଅଂଶଗ୍ରହଣ କରିବେ । ଗ୍ରାମୀଣ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଶ୍ବସ୍ତରୀୟ ସ୍ବୀକୃତି ଆଣିଦେବା ହେବ ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବର୍ତ୍ତମାନ ଉଦୀୟମାନ ଖେଳାଳି ଛୋଟ ଛୋଟ ସହରରୁ ଆସି ନିଜକୁ ପ୍ରତିଷ୍ଠିତ କରି ପାରୁଛନ୍ତି। ଧୋନୀ, ଜାଡେଜା, ରିଙ୍କୁ ସିଂ, ସୁରେଶ ରାଇନା, ଶୁଭମନ ଗିଲ, ଯଶସ୍ଵୀ ଜୟଶ୍ବାଲ ଦେଖାଇଛନ୍ତି ଯେ, ଯଦି ପ୍ରତିଭା ଅଛି ତେବେ ସଫଳତା ଦୂର ନୁହେଁ। କେବଳ କ୍ରିକେଟ ନୁହେଁ, ଅନ୍ୟ ଖେଳରେ ମଧ୍ୟ ଆମ ଖେଳାଳି ନିଜ ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି ସବୁ ପ୍ରତିଭାବାନ ଖେଳାଳିଙ୍କୁ ଆବଶ୍ୟକ ଭିତ୍ତିଭୂମି, କିଟ୍ସ, ଖେଳ ପଡିଆ ପ୍ରଦାନ କରିବା ହେଉଛି ସରକାରଙ୍କ କାମ।

ତେଣୁ ଆମ ସରକାର ଏହି ଦିଗରେ ଅଧିକ ଯତ୍ନବାନ ଅଛନ୍ତି ଏବଂ ଏହି ଦିଗରେ କାର୍ଯ୍ୟ ମଧ୍ଯ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କ୍ରିକେଟ ଆମ ପାଇଁ ଗୋଟିଏ ଅନ୍ତର୍ନିହିତ ଆନନ୍ଦ, ଏହି ଖେଳ ଆମକୁ ଏକତା, ଉତ୍ସାହ ଓ ଆଶା ଦିଏ । ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ଧୋନି, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଖେଳ ଦେଖି ଅନେକ ଯୁବକ ପ୍ରେରିତ ହୁଅନ୍ତି।
କେନ୍ଦୁଝର ଷ୍ଡାଡିୟମଠାରେ ଆୟୋଜିତ ଏହି ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ଡାକ୍ତର ଫକୀର ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଜିଲ୍ଲାପାଳ ବିଶାଲ ସିଂହ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ଅଧ୍ୟକ୍ଷା ମମିତା ନାଏକ, କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁ, ବିଜେପି ଜିଲା ସଭାପତି ଶୁକଦେବ ମହାନ୍ତ ଏବଂ ଫେମସ କ୍ଲବ ସଭାପତି ବିଶ୍ବଜିତ ତ୍ରିପାଠୀ ଉପସ୍ଥିତ ଥିଲେ।
