ଆରସିବି ଆଇପିଏଲ-୨୦୨୬ ଚମ୍ପିଆନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) କ୍ରମାଗତ ଦ୍ବିତୀୟଥର ଆଇପିଏଲ୍‌ ଟ୍ରଫି ଜିତିଛି। ରବିବାର ଆଇପିଏଲ୍‌ର ୧୯ତମ ସଂସ୍କରଣର ଫାଇନାଲରେ ପେସ୍‌ ବୋଲରଙ୍କ ସଫଳତା ଓ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଗୁଜରାଟ ଟାଇଟାନ୍ସକୁ ୫ ୱିକେଟ୍‌ରେ ଗତବର୍ଷର ଚମ୍ପିଆନ୍‌ ଆର୍‌ସିବି ପରାସ୍ତ କରିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ୱାଶିଂଟନ ସୁନ୍ଦରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଗୁଜରାଟ ୮ ୱିକେଟ୍‌ରେ ୧୫୫ ରନ୍‌ କରିଥିଲା। ପରେ ବିରାଟ କୋହଲିଙ୍କ ଅପରାଜିତ ୭୫ ରନ୍‌ ବଳରେ ୧୨ଟି ବଲ୍‌ ବାକିଥାଇ ୫ ୱିକେଟ୍‌ ହରାଇ ବେଙ୍ଗାଲୁରୁ ଫାଇନାଲ ମ୍ୟାଚ୍ ଜିତି ନେଇଥିଲା।

       ଟାଇଟଲ ବଜାୟ ରଖିବା ସହ କ୍ରମାଗତ ୨ଟି ସଂସ୍କରଣରେ ଆଇପିଏଲ୍‌ ଚମ୍ପିଆନ୍‌ ହୋଇ ଚେନ୍ନଇ ସୁପର କିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍ସ ସହ ସମକକ୍ଷ ହୋଇଛି ଆର୍‌ସିବି। ଚେନ୍ନଇ ୨୦୧୦ ଓ ୨୦୧୧ରେ ଏବଂ ମୁମ୍ବଇ ଇଣ୍ଡିଆନ୍‌ସ ୨୦୧୯ ଓ ୨୦୨୦ରେ କ୍ରମାଗତ ଦୁଇଥର ଚମ୍ପିଆନ ହୋଇଥିଲେ। ଅଧିନାୟକ ଭାବେ କ୍ରମାଗତ ୨ଟି ଟ୍ରଫି ଜିତିବାରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ସହ ଆର୍‌ସିବିର ରଜତ ପଟିଦାର ସମକକ୍ଷ ହୋଇଛନ୍ତି।ଚମ୍ପିଆନ୍ ଆର୍‌ସିବି ୨୦ କୋଟି ଓ ରନର୍ସଅପ୍ ଗୁଜରାଟ ୧୩ କୋଟି ଟଙ୍କା ପୁରସ୍କାର ପାଇଛନ୍ତି।

       ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିସ୍ଫୋରକ ଢଙ୍ଗରେ ୧୫୬ ରନ୍‌ ସହଜ ବିଜୟ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ପ୍ରଥମ ଓଭରରେ ୫ ରନ୍‌ ହେବା ପରେ ପରବର୍ତ୍ତୀ ୩ ଓଭରରେ ଆର୍‌ସିବି ୫୫ ରନ୍‌ ମାରିଥିଲା। ମାତ୍ର  ୪.୩ ଓଭରରେ ୬୨ ରନ୍‌ର ଓପ୍‌ନିଂ ଭାଗୀଦାରି ପରେ ଭେଙ୍କଟେଶ ଆୟର ଆଉଟ୍‌ ହୋଇଥିଲେ। ବାମହାତି ଭେଙ୍କଟେଶ ବିଧ୍ବଂସୀ ବ୍ୟାଟିଂକରି ୧୬ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୨ ରନ୍‌ କରିଥିଲେ। ପରେ ଦେବଦତ୍ତ ପାଡିକଲ (୧)ଙ୍କୁ ଆଉଟ୍‌ କରି କାଗିସୋ ରବାଡା ପ୍ରତିଯୋଗିତାର ସର୍ବାଧିକ ୨୯ତମ ୱିକେଟ୍‌ ନେଇଥିଲେ।

        ଗୋଟିଏ ପଟେ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି
ଚମତ୍କାର ବ୍ୟାଟିଂ କରୁଥିଲେ। ରସିଦ୍‌ ଖାଁ ଗୋଟିଏ ଓଭର‌େ‌ର ୨ଟି ୱିକେଟ୍‌ ନେଇଥିଲେ। ଅଧିନାୟକ ରଜତ ପଟିଦାର ୧୫ ରନ୍‌ କରି ଆଉଟ୍‌ ହେବାର ୩ଟି ବଲ୍‌ ପରେ କ୍ରୁନାଲ ପାଣ୍ଡ୍ୟା ୧ ରନ୍‌କରି ବିଦାୟ ନେଇଥିଲେ। ବିରାଟ କୋହଲି ମାତ୍ର ୨୫ ବଲ୍‌ରୁ ତାଙ୍କର ଦ୍ରୁତତମ ଆଇପିଏଲ୍‌ ଅର୍ଦ୍ଧଶତକ ତଥା ଚଳିତବର୍ଷ ୫ମ ଅର୍ଦ୍ଧଶତକ ହାସଲ କରିଥିଲେ। ୯୧ ରନ୍‌ରେ ଆର୍‌ସିବି ୪ଟି ୱିକେଟ୍‌ ହରାଇବା ପରେ ବିରାଟ ଓ ଟିମ୍‌ ଡେଭିଡ୍‌ ୪୧ ରନ୍‌ ଯୋଡ଼ି ଦଳକୁ ଟ୍ରଫିର ନିକଟତର କରିଥିଲେ। ଡେଭିଡ୍‌ ୧୭ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଛକାମାରି ଦଳକୁ ଜିତାଇଥିବା ବିରାଟ କୋହଲି ୪୨ ବଲ୍‌ରୁ ୩ଟି ଛକା ଓ ୯ଟି ଚୌକା ସହ ୭୫ ରନ୍‌କରି ଅପରାଜିତ ରହିଥିଲେ। ଜିତେଶ ଶର୍ମା ୧୧ ରନ୍‌କରି ଅପରାଜିତ ଥିଲେ। ରସିଦ୍‌ ଖାଁ ୨ଟି ୱିକେଟ୍‌ ନେଇଥିଲେ। ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ବିରାଟ କୋହଲି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ ।

       ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଲକ୍ଷାଧିକ ଦର୍ଶକଙ୍କ ସମ୍ମୁଖରେ ଖେଳା ଯାଇଥିବା ଏହି ମେଗା ଫାଇନାଲରେ ଟସ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫିଲ୍‌ଡିଂ କରିଥିଲା। ଟୁର୍ଣ୍ଣାମେଣ୍ଟରେ ୭୦୦ରୁ ଅଧିକ ରନ୍‌ କରିଥିବା ଗୁଜରାଟ ଟାଇଟାନ୍ସର ଦୁଇ ଓପ୍‌ନର ଶୁଭମନ ଗିଲ୍‌ ଓ ସାଇ ସୁଦର୍ଶନ ସବୁଠାରୁ ବଡ଼ ମ୍ୟାଚ୍‌ରେ ଦଳକୁ ନିରାଶ କରିଥିଲେ। ୧୩ ବଲ୍‌ରୁ ୨୨ ରନ୍‌ ହେବା ପରେ ୧୦ ରନ୍‌ କରି ଗିଲ୍‌ ବିଦାୟ ନେଇଥିଲେ। ପରବର୍ତ୍ତୀ ଓଭରରେ ସାଇ ସୁଦର୍ଶନ ୧୨ ରନ୍‌କରି ଆଉଟ୍‌ ହେବା ଗୁଜରାଟ ପାଇଁ ଶକ୍ତ ଧକ୍କା ଥିଲା। ପାୱରପ୍ଲେରେ ଗୁଜରାଟ ମାତ୍ର ୪୫ ରନ୍‌ କରିଥିଲା। ମଝିରେ ଗୁଜରାଟ ୪୦ଟି ବଲ୍‌ରୁ ଗୋଟିଏ ବି ବାଉଣ୍ଡରୀ ମାରି ପାରିନଥିଲା। ନିଶାନ୍ତ ସିନ୍ଧୁ ୧୮ ବଲ୍‌ରୁ ୩ଟି ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ୧୨ ଓଭରରେ ମାତ୍ର ୭୩ ରନ୍‌ କରିଥିବା ଗୁଜରାଟ ଶେଷ ୮ ଓଭରରେ ୮୨ ରନ୍‌ ଯୋଡ଼ିଥିଲା। ଜୋସ୍‌ ବଟ୍‌ଲର ଜଗିରଖି ଖେଳି ୨୩ ବଲ୍‌ରୁ ମାତ୍ର ଗୋଟିଏ ଚୌକା ସହ ୧୯ ରନ୍‌ କରିଥିଲେ। ଅର୍ସଦ ଖାଁ ମାତ୍ର ୬ ବଲ୍‌ରୁ ୨ଟି ଛକା ସହ ୧୫ ରନ୍‌ କରିଥିଲେ। ୯୯ ରନ୍‌ରେ ୫ଟି ୱିକେଟ୍‌ ପଡ଼ିବା ପରେ ୱାଶିଂଟନ ଏକା ଲଢୁଆ ଇନିଂସ ଶେଷ ପର୍ଯ୍ୟନ୍ତ ରହିବାରୁ ଗୁଜରାଟ ଦେଢ଼ଶହ ରନ୍ ଅତିକ୍ରମ କରି ପାରିଥିଲା। ୱାସିଂଟନ ୩୭ ବଲ୍‌ରୁ ୫ଟି ଚୌକା ସହ ୫୦ ରନ୍‌କରି ଅପରାଜିତ ରହିଥିଲେ। ରସିଖ୍‌ ସଲାମ୍‌ ୩ଟି ଏବଂ ଭୁବନେଶ୍ବର କୁମାର ଓ ଜୋସ୍‌ ହାଜେଲ୍‌ଉଡ ୨ଟିି ଲେଖାଏଁ ୱିକେଟ୍‌ ନେଇଥିଲେ।

Leave a Reply

Your email address will not be published. Required fields are marked *