ବିସିସିଆଇ ଆରଟିଆଇ ଅର୍ନ୍ତଭୁକ୍ତ ନୁହେଁ: ସିଆଇସି

କେନ୍ଦୁଝର ସାଇନ (ଡି.କେ ନ୍ୟୁଜ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ପରିସରଭୁକ୍ତ ନୁହେଁ। ବିସିସିଆଇ ଏକ ପବ୍ଲିକ୍ ଅଥରିଟି ବା ସାର୍ବଜନୀନ କର୍ତ୍ତୃପକ୍ଷ ନୁହେଁ। କେନ୍ଦ୍ରୀୟ ସୂଚନା କମିସନ (ସିଆଇସି) ସୋମବାର ଏହି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ବିସିସିଆଇ ସରକାରଙ୍କ ମାଲିକାନା କିମ୍ବା ନିୟନ୍ତ୍ରଣରେ ନାହିଁ।

     ସରକାରଙ୍କଠାରୁ ବିସିସିଆଇକୁ ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘ ପରି ଆର୍ଥିକ ସହାୟତା ମଧ୍ୟ ମିଳେନାହିଁ। ବିସିସିଆଇ ସରକାରଙ୍କ ମାଲିକାନା, ନିୟନ୍ତ୍ରିତ କିମ୍ବା ଆର୍ଥିକ ଅନୁଦାନ ପାଉଥିବା ସଂସ୍ଥା ନୁହେଁ। ବିସିସିଆଇ କେଉଁ ବ୍ୟବସ୍ଥା ଓ କ୍ଷମତା ବଳରେ ଭାରତର ପ୍ରତିନିଧିତ୍ବ କରୁଛି ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଖେଳାଳି ମନୋନୟନ କରୁଛି ? ଏହି ସୂଚନା ମାଗିଥିବା ଏକ ଆବେଦନକୁ ଖାରଜକରି ସିଆଇସି ପି.ଆର. ରମେଶ ଏହା କହିଛନ୍ତି।

         ୨୦୧୮ରେ ତତ୍କାଳୀନ ଭାରତୀୟ ସୂଚନା କମିସନର ଏମ୍. ଶ୍ରୀଧର ଆଚାର୍ଯ୍ୟୁଲୁ ବିସିସିଆଇକୁ ଆରଟିଆଇ ନିୟମ ଧାରା ୨(ଏଚ୍) ଅଧୀନରେ ପବ୍ଲିକ୍ ଅଥରିଟି ବା ସାର୍ବଜନୀନ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ପୁଣି ବିସିସିଆଇକୁ ଜନ ସୂଚନା ଅଧିକାରୀ ନିଯୁକ୍ତ ପାଇଁ ମଧ୍ୟ କୁହା ଯାଇଥିଲା। ତେବେ ବିସିସିଆଇ ଏହି ଆଦେଶକୁ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ପରେ ଅଦାଲତ ମାମଲାର ପୁନଃ ଶୁଣାଣି ପାଇଁ ସିଆଇସିଙ୍କ ପାଖକୁ ପଠାଇ ଦେଇଥିଲେ। ଏବେ ସିଆଇସି ପି.ଆର୍. ରମେଶ ତାଙ୍କ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ, ବିସିସିଆଇ ଆର୍‌ଟିଆଇ ଆଇନ ଅଧୀନରେ ସାର୍ବଜନୀନ କର୍ତ୍ତୃପକ୍ଷ ଶ୍ରେଣୀଭୁକ୍ତ ନୁହେଁ। କମିସନ ପୁଣି କହିଛନ୍ତି, ବିସିସିଆଇ ତାମିଲନାଡୁ ସୋସାଇଟିଜ୍ ଆଇନ୍‌ ଅଧୀନରେ ପଞ୍ଜିକୃତ ଏକ ବେସରକାରୀ ସ୍ବୟଂଶାସିତ ସଂସ୍ଥା। ଏହା ସମ୍ବିଧାନ ଅଧୀନରେ ଗଠିତ ହୋଇନାହିଁ। ସଂସଦ, ବିଧାନସଭାର କୌଣସି ଆଇନ ମାଧ୍ୟମରେ କିମ୍ବା କୌଣସି ସରକାରୀ ବିଜ୍ଞପ୍ତି ଦ୍ୱାରା ଏହାର ସ୍ଥାପନା ହୋଇନାହିଁ।

     ବିସିସିଆଇ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଏହା ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭର। ପ୍ରସାରଣ ଅଧିକାର, ବିଜ୍ଞାପନ ଓ ଟିକଟ ବିକ୍ରିରୁ ଏହା କ୍ରିକେଟ୍‌ ପାଇଁ ଅର୍ଥ ଯୋଗାଡ଼ କରିଥାଏ। ତେଣୁ ବିସିସିଆଇକୁ ସୂଚନା ଅଧିକାର ଆଇନ ଅନ୍ତର୍ଗତ ତଥ୍ୟ ପ୍ରଦାନ କରିବାକୁ କୌଣସି ବାଧ୍ୟବାଧକତା ରହିବ ନାହିଁ। ବିସିସିଆଇ ଦେଶରେ କ୍ରିକେଟ୍‌ ପରିଚାଳନାର କାମ କରିଥାଏ।

Leave a Reply

Your email address will not be published. Required fields are marked *