ଅଙ୍ଗନବାଡିକର୍ମୀଙ୍କୁ ବହିଷ୍କାର ପରେ ତାଲା

               ବାହାରେ ବସୁଛନ୍ତି କୋମଳମତି ଶିଶୁ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସାହାରପଡା ବ୍ଲକ କୁଣ୍ଡୁଳା ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି ଗୃହକୁ ଗ୍ରାମର କିଛି ଲୋକ ତାଲା ପକାଇ ଦେଇଛନ୍ତି। ଯାହାଫଳରେ ୫ ଦିନ ହେଲା ଏହି ଅଙ୍ଗନବାଡିକୁ ଆସୁଥିବା ୩୭ଜଣ ଶିଶୁ ଅଙ୍ଗନବାଡି ଗୃହ ଭିତରକୁ ଯାଇପାରୁ ନାହାଁନ୍ତି କି ତାଙ୍କୁ ଖାଦ୍ୟ ଓ ପାଠ ପଢ଼ିବାର ମଧ୍ୟ ସୁଯୋଗ ମିଳୁନାହିଁ।

       ଏପରି ଏକ ସ୍ପର୍ଶକାତର ଘଟଣା ପଛରେ ବଡ଼ ବିବାଦ ମଧ୍ୟ ରହିଛି। ଏଠାରେ ଦୀର୍ଘ ବର୍ଷ ହେଲା ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି ‘କ’ ଚାଲୁଥିବା ବେଳେ କିଛି ବର୍ଷ ତଳେ ଗ୍ରାମରେ ଅଙ୍ଗନବାଡି ‘ଖ’ ମଧ୍ୟ ସ୍ଥାପନ ହୋଇଥିଲା। ସେହି ସମୟରେ ଅଙ୍ଗନବାଡିକର୍ମୀ ନିଯୁକ୍ତିକୁ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାରୁ କେହି ଅଙ୍ଗନବାଡିକର୍ମୀ ମଧ୍ୟ ‘କ’ କେନ୍ଦ୍ରରେ ନଥିଲେ। ତେବେ ‘କ’ କେନ୍ଦ୍ରର ସହାୟିକା ନନ୍ଦିନୀ ନାଏକ ମାଟ୍ରିକ ପାସ କରିଥିବାରୁ ସେ ‘ଖ’ କେନ୍ଦ୍ରରେ ଅଙ୍ଗନବାଡିକର୍ମୀ ପାଇଁ ଆବେଦନ କରି ‘ଖ’ କେନ୍ଦ୍ରର ଆଞ୍ଚଳିକ ଯୋଗ୍ୟ ବାସିନ୍ଦା ଭାବେ କର୍ମୀ ଭାବେ ନିଯୁକ୍ତି ମଧ୍ୟ ପାଇଥିଲେ।

       ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ଅଧିକ ନମ୍ବର ରଖିଥିବା ଅନ୍ୟ ଜଣେ ପ୍ରାର୍ଥୀନୀ ଉଚ୍ଚ ନ୍ୟାୟାଳୟକୁ ଯିବା ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରି କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ସୂଚନାମତେ ସାହାରପଡା ସିଡିପିଓ ‘ଖ’ କେନ୍ଦ୍ରର କର୍ମୀ ନନ୍ଦିନୀଙ୍କୁ ମାସକ ତଳେ ଚାକିରୀରୁ ବହିଷ୍କାର କରିଥିଲେ। ଯାହାଫଳରେ କୁଣ୍ଡୁଳା ‘କ’ ଏବଂ ‘ଖ’ ଅଙ୍ଗନବାଡି ଉଭୟ ଏବେ କର୍ମୀ ଶୂନ୍ୟ ହୋଇ ଯାଇଛି। ସୂଚନାଯୋଗ୍ୟ ଯେ, ସାଉଁତି ସାହିର ‘ଖ’ କେନ୍ଦ୍ର ଟି ମଧ୍ୟ ‘କ’ କେନ୍ଦ୍ର ସହ ମିଶି ଚାଲୁଥିବାରୁ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି।

Leave a Reply

Your email address will not be published. Required fields are marked *