କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟର ଗରିବ ଓ ନିଷ୍ପେଷିତ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାରହଲ୍ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ଏହି ସାରସ୍ୱତ ସମାରୋହରେ ବର୍ତ୍ତମାନର ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ ଏବଂ ଡିଜିଟାଲାଇଜ୍ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ଅଙ୍ଗନବାଡ଼ିକର୍ମୀ ମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଛି । ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ କେନ୍ଦୁଝରଙ୍କ ତତ୍ତ୍ୱାବଧାନରେ ଏହି ସ୍ମାର୍ଟଫୋନ୍ ବଣ୍ଟନ ପ୍ରକ୍ରିୟା ଆୟୋଜିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ସଦର ବ୍ଲକ୍ ପ୍ରକଳ୍ପ ଅଧୀନରେ ଥିବା ବିଭିନ୍ନ ଅଙ୍ଗନବାଡ଼ିକେନ୍ଦ୍ରର କର୍ମୀମାନଙ୍କୁ ମନ୍ତ୍ରୀ ଓ ଅତିଥିମାନଙ୍କ ଦ୍ୱାରା ସ୍ମାର୍ଟଫୋନ୍ ହସ୍ତାନ୍ତର କରାଯାଇଛି ।
ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାଏକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
