କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଥଯାତ୍ରା ପାଇଁ ଶୁକ୍ରବାର ଅପରାହ୍ନରେ ଦରବାରହଲ ଠାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସିଂହ ଉଦ୍ବୋଧନ ଦେଇ ସମସ୍ତେ ଆଗାମୀ ରଥଯାତ୍ରାକୁ ଆନନ୍ଦ ଉଲ୍ଲାସର ସହ ଶୃଙ୍ଖଳିତ ଭାବେ ପାଳନ କରିବାକୁ ନିବେଦନ କରିଥିଲେ । ରଥ ନିର୍ମାଣ ଓ ରଥଯାତ୍ରା ସହିତ ଜଡିତ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମ ଯେପରି ସଠିକ୍ ଭାବେ ପରିଚାଳିତ ହେବ ସେଥିପାଇଁ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିବା ସହ ସହଯୋଗ କାମନା କରିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବାକୁ ଜିଲ୍ଲାପାଳ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ ।
ସାଂସଦ ଅନନ୍ତ ନାୟକ ଯୋଗଦେଇ ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଜିଲ୍ଲାବାସୀଙ୍କର ଏକ ପ୍ରମୁଖ ପର୍ବ ବୋଲି କହିବା ସହିତ ଏହାର ସୁପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ରଥଯାତ୍ରା ଯେପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ସେଥିପାଇଁ ବିହିତ ପଦକ୍ଷେପ ନେବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ବିଶେଷକରି ଭିଡ ନିୟନ୍ତ୍ରଣ, ଟ୍ରାଫିକ୍ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ଶୃଙ୍ଖଳିତ ରଥଟଣା ପାଇଁ ସୁବ୍ୟବସ୍ଥିତ ପଦକ୍ଷେପ ପାଇଁ ଆଲୋଚନା କରାଯାଇଥିଲା ।

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ
ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡ଼ି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ସୁକାନ୍ତ କୁମାର ମାଝୀ, ଆଇଏଏସ ପ୍ରୋବେସନର ଜିତେନ୍ଦ୍ର କୁମାର, କେନ୍ଦୁଝର ସହରର ବୁଦ୍ଧିଜୀବୀ, ସେବାୟତ, ଜନସାଧାରଣ ବୈଠକରେ ଉପସ୍ଥିତ ଥିଲେ ।
ବୈଠକର ଆବାହକ କେନ୍ଦୁଝର ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ଉମାଶଙ୍କର ଦଳାଇ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ଆରମ୍ଭ କରି ଚଳିତବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଜୁନ ୨୯ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୧୪ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୫ରେ ଉଭା ଯାତ୍ରା ଓ ରଥ ଆଜ୍ଞାମାଳ ବିଜେ, ଜୁଲାଇ ୧୬ରେ ଶ୍ରୀଗୁଣ୍ଡିଚା ଯାତ୍ରା, ୧୭ ଜୁଲାଇ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ, ୨୦ ଜୁଲାଇରେ ହେରା ପଞ୍ଚମୀ, ୨୩ ଜୁଲାଇରେ ନବମୀ ସନ୍ଧ୍ୟା ଦର୍ଶନ, ୨୪ ଜୁଲାଇରେ ବାହୁଡା ଯାତ୍ରା, ୨୫ ଜୁଲାଇରେ ଠାକୁରଙ୍କ ସୁନାବେଶ, ୨୬ ଜୁଲାଇରେ ଶ୍ରୀମନ୍ଦିର ବିଜେ ସମ୍ପର୍କରେ ସୂଚନା ଦେବା ସହ ବିଭିନ୍ନ ଦିବସରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ବିଭିନ୍ନ ବେଶ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ବିଭିନ୍ନ କମିଟି ଗଠନ, ରଥ ନିର୍ମାଣ, ରଥ ଦଉଡି ଯୋଗାଣ, ପୂଜା ବ୍ୟବସ୍ଥା ଓ ପହଣ୍ଡି ସେବା, ଆଇନଶୃଙ୍ଖଳା, ସ୍ୱେଚ୍ଛାସେବୀ ନିୟୋଜନ, ସ୍ୱାସ୍ଥ୍ୟ ଓ ପରିମଳ ସେବା, ପାନୀୟଜଳ ଯୋଗାଣ, ବିଦ୍ୟୁତ୍ ସରବରାହ, ଅବକାରୀ ପଦକ୍ଷେପ, ଅଗ୍ନିଶମ ବ୍ୟବସ୍ଥା, ଉଠାଦୋକାନ ଓ ସରକାରୀ ଷ୍ଟଲ୍ ନିମନ୍ତେ ଭୂମି ଚିହ୍ନଟ ଓ ଆବଣ୍ଟନ, ବଡଦାଣ୍ଡର ପରିଷ୍କାର ଓ ପରିଚ୍ଛନ୍ନତା, ସାଜ୍ଜସଜ୍ଜା ଓ ଆଲୋକ ବ୍ୟବସ୍ଥା, ଶ୍ରୀଗୁଣ୍ଡିଚା ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାତ୍ରୀମାନଙ୍କର ଗମନାଗମନ ବ୍ୟବସ୍ଥା, ପ୍ରସାଦ ବଣ୍ଟନ, ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାର ମରାମତି ଓ ଉନ୍ନତିକରଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା ।
ମହାପ୍ରଭୁଙ୍କର ରଥଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଅର୍ଥ କମିଟି, ରଥନିର୍ମାଣ ଓ ରଥ ସରଞ୍ଜାମ ତଦାରଖ କମିଟି, ସ୍ୱାସ୍ଥ୍ୟ ଓ ପରିମଳ କମିଟି, ପାନୀୟଜଳ ଯୋଗାଣ କମିଟି, ଆଇନଶୃଙ୍ଖଳା, ପାସ୍ ପ୍ରଦାନ କମିଟି, ପୂଜା ନୀତି ତଥା ପହଣ୍ଡିସେବା କମିଟି, ଆଲୋକ ଓ ସାଜ୍ଜସଜ୍ଜା କମିଟି, ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି, ସୁନାବେଶ କମିଟି ଏବଂ ଶାନ୍ତିଶୃଙ୍ଖଳା କମିଟି ଗଠନ ପ୍ରସ୍ତାବ ଗୃହୀତ ହୋଇଥିଲା। ଏତଦ୍ବ୍ୟତୀତ ରଥଯାତ୍ରା ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ, ପୁରୁଣାସହର ପାରିପାର୍ଶ୍ଵର ଉନ୍ନତିକରଣ ସମ୍ପର୍କରେ ଆଲୋଚନା ହୋଇଥିଲା ।
