କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟ ତଥା ଦେଶରେ ଅନଲାଇନ ଜରିଆରେ ଔଷଧ ବିକ୍ରିକୁ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ୍ସ ଆସୋସିଏସନ ବିରୋଧ କରିଛି। ପ୍ରତିବାଦରେ ବୁଧବାର ରାଜ୍ୟ ତଥା ଦେଶର ସମସ୍ତ ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା କେବଳ ରୋଗୀ ହଟହଟା ହେବେ ନାହିଁ ବରଂ ଔଷଧ ବ୍ୟବସାୟ ମଧ୍ୟ ପ୍ରଭାବିତ ହେବ।
ଯଦି ସରକାର କୌଣସି ନିଷ୍ପତ୍ତି ନ ନେବେ ତେବେ ସାରା ଦେଶର ୭୦୦ ଜିଲାରୁ ସମ୍ପୃକ୍ତ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ସହ ଦାବି ପୂରଣ ପାଇଁ ମାସେ ମହଲତ ଦିଆଯିବ। ଏହାସତ୍ତ୍ବେ ଯଦି ସରକାର କୌଣସି ନିଷ୍ପତ୍ତି ନ ନିଅନ୍ତି ତେବେ ସର୍ବଭାରତୀୟସ୍ତରରେ ବୈଠକ କରାଯାଇ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟ ତଥା ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ କରାଯିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି।
.

ଅନଲାଇନ ଔଷଧ ବ୍ୟବସାୟ ଅନୁମତିକୁ ପ୍ରତ୍ୟାହାର କରିବା ନେଇ ଗତ ସପ୍ତାହରେ ସରକାରଙ୍କୁ ସଂଘ ଦାବି ଜଣାଇବା ସହ ୨୦ ତାରିଖରେ ରାଜ୍ୟରେ ଥିବା ୩୦,୦୦୦ରୁ ଅଧିକ ଔଷଧ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ସରକାର ଆସୋସିଏସନକୁ ଆଲୋଚନାକୁ ଡାକିଲେ ନାହିଁ କିମ୍ବା ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ। ଶେଷରେ ବାଧ୍ୟ ହୋଇ ବୁଧବାର ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଡାକ୍ତରଖାନାରେ ଡାକ୍ତର ଯେଉଁ କେତୋଟି ଔଷଧ ଲେଖୁଛନ୍ତି ସେଥିରୁ ପ୍ରାୟ ଔଷଧ ନିରାମୟରେ ଉପଲବ୍ଧ ହେଉନାହିଁ। ଯାହାଦ୍ବାରା ଘରୋଇ ଔଷଧ ଦୋକାନରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଔଷଧ ନେଇଥାନ୍ତି। ଏତଦବ୍ୟତୀତ ଅନେକ ଘରୋଇ ଡାକ୍ତରଖାନାରେ ଗୁରୁତର ରୋଗୀ ଚିକିତ୍ସିତ ହେଉଛନ୍ତି। ଔଷଧ ଦୋକାନ ବନ୍ଦ ଯୋଗୁଁଁ ସମସ୍ୟା ଦେଖାଦେବା ଆଶଙ୍କା ରହିଛି। ସରକାରଙ୍କ ଅବହେଳା ଯୋଗୁଁଁ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
