ଶୁଦ୍ଧି ହେଲେ ଜିତୁ ମୁଣ୍ଡା ଓ ତାଙ୍କ ପରିବାର: ଯୋଗଦେଲେ ମନ୍ତ୍ରୀ, ବିଧାୟକ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପାଟଣା ବ୍ଲକ ଡିଆନାଳୀ ଗ୍ରାମର ବହୁଚର୍ଚ୍ଚିତ ଜିତୁ ମୁଣ୍ଡା କଙ୍କାଳ ବୋହି ବ୍ୟାଙ୍କକୁ ନେବା ଘଟଣାର ଆଜି ୧୦ ଦିନରେ ଜିତୁ ମୁଣ୍ଡା ଓ ତାଙ୍କ ପରିବାରରେ ଶୁଦ୍ଧିକ୍ରିୟା ସମ୍ପନ୍ନ ହୋଇଛନ୍ତି । ଏହା ଏଭଳି ଏକ ଶୁଦ୍ଧିକ୍ରିୟା ଯେ, ଏଠାରେ ଖୋଦ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ।

       ଶୁଦ୍ଧିକ୍ରିୟାର ପ୍ରଥମ ସୋପାନରେ ଜିତୁ, ତାଙ୍କ ଭାଇ ଶଙ୍କର୍ଷଣ ଓ ୫ ବର୍ଷର ନାତି ଲଣ୍ଡା ହେବା ସହ ନବନିର୍ମିତ ସ୍ବର୍ଗତା କାଲାରା ମୁଣ୍ଡାଙ୍କ ସମାଧିସ୍ଥଳରେ ପ୍ରସବ କରିନଥିବା ଏକ କଳା ଛେଳିକୁ ବଳି ଦେଇ ଏହାର ରକ୍ତକୁ ପୂର୍ବରୁ ମୃତ୍ୟୁବରଣ କରିଥିବା ପୂର୍ବ ପୁରୁଷଙ୍କ ଉଦେଶ୍ୟରେ ଅର୍ପଣ କରିଥିଲେ। ଏହାପରେ ଅନ୍ୟ ଏକ ପୂଜାରେ ଏକ ଧଳା, କଳା ଓ ରଙ୍ଗୁଆ କୁକୁଡ଼ା ଜିତୁ ମୁଣ୍ଡାଙ୍କ ଉପସ୍ଥିତିରେ ସାଲୁ ମୁଣ୍ଡା ପୂଜାର୍ଚ୍ଚନା କରି ୩ ଟି କୁକୁଡ଼ାକୁ ବଳି ଦେବା ସହ ଏହାର ରକ୍ତ ଜିତୁଙ୍କୁ ପିଆଇ ତାଙ୍କୁ ସୁଦ୍ଧି କରିବା ସହ ପ୍ରାୟଶ୍ଚିତ କରାଇଛନ୍ତି।

      ଶୁଦ୍ଧି କ୍ରିୟାରେ ଗ୍ରାମର ଜାତି ଭାଇଙ୍କ ସହ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ସାମିଲ ହୋଇଥିବାରୁ ସମସ୍ତଙ୍କ ପାଇଁ ସାମୁହିକ ଭୋଜିର ବ୍ୟବସ୍ଥା କରାଯାଇଥିଲା। ଶୁଦ୍ଧିକ୍ରିୟା ପର୍ବରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଙ୍କ ସହ ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, ବିଜେପି ଜିଲ୍ଲା ସଭାପତି ଶୁକଦେଵ ମହାନ୍ତ, ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ, ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟା ରୁନୁ ମହାନ୍ତ,ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ବିଜେପି ନେତ୍ରୀ ସୋମବାରି ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *