କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆନନ୍ଦପୁର ଉପଖଣ୍ଡ ଘସିପୁରା ଓ ରାମଚନ୍ଦ୍ରପୁର ପୋଲିସ ୨୦ଜଣ ଚୋରା ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ଗଞ୍ଜେଇ ମାଫିଆଙ୍କ ପାଖରୁ ୧ କ୍ୟୁଣ୍ଟାଲ ୯ କି.ଗ୍ରା. ୪୫୦ ଗ୍ରାମ ଗଞ୍ଜେଇ ଓ ଗୋଟିଏ କାର ସହ ୨ ଟି ବାଇକ୍ ଜବତ କରିଛି ପୁଲିସ।
ଘସିପୁରା ପୁଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ସୂଚନା ଦିଆଯାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଚୋରା ନିଶା କାରବାର ରୋକିବା ପାଇଁ ସାରା ରାଜ୍ୟରେ ଅଭିଯାନ ଜୋରଦାର ଚାଲିଥିବା ବେଳେ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁରର ସମସ୍ତ ପୁଲିସ ବାହିନୀ ଚଢ଼ାଉ କରି ଏହି ସଫଳତା ହାସଲ କରିଥିବା ଜଣାପଡ଼ିଛି
ଗତ ୨୧ତାରିଖ ମଙ୍ଗଳବାର ରାତିରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ କୁମାର ସ୍ଵାଇଁଙ୍କ ନେତୃତ୍ୱରେ ପୁଲିସ ବାହିନୀ ଭଗାନଈ ଠାରେ କୋଡ଼ପଡ଼ାର ହରେକୃଷ୍ଣ ଓଝା ଓ ବୁଢିକୁଦର ଶୁକଦେବ ନାଇକକୁ ଗିରଫ କରି ତାଙ୍କ ଠାରୁ ୪୦ କେ.ଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ମୋଟରସାଇକେଲ ଓ ୩ ଟି ମୋବାଇଲ ଜବତ କରିଛନ୍ତି ।
ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୧୭ଜଣ ବ୍ୟକ୍ତିଙ୍କୁ ମଧ୍ଯ ଗିରଫ କରାଯାଇଛି । ରାମଚନ୍ଦ୍ରପୁର ଥାନା ପକ୍ଷରୁ ୧୩୦/୨୬ରେ ଏକ ମାମଲା ରୁଜୁ କରାଯାଇଛି । ସେହିପରି ଘସିପୁରା ଥାନା ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବୁଧବାର ପୋଲିସ ବାହିନୀ ବିଶ୍ଵସ୍ତ ସୂତ୍ରରୁ ଚୋରା ଗଞ୍ଜେଇ ଯାଜପୁରରୋଡରୁ ଆନନ୍ଦପୁର ଅଞ୍ଚଳକୁ ଆସୁଥିବା ଖବରପାଇ ବେଲବାହାଳିଛଳ ଠାରେ ଏକ ଗ୍ରାଣ୍ଡ ଭିଟାରା କାର (ଓଡି ୦୨ ସିଏସ-୪୧୫୩) ଯୋଗେ ଆସୁଥିବା ୬୯ କେ.ଜି ୪୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହ କୋରୋଇ ଥାନା ଅନ୍ତର୍ଗତ ଶୁଭ୍ରାଂଶୁ ରାଉତକୁ ଗିରଫ କରିଥିଲେ ।
ଘସିପୁରା ଥାନା କେଶ୍ ନମ୍ୱର୍୧୮୭/୨୬ରେ ଏକ ମାମଲା ରୂଜୁ କରାଯାଇ ଜଣକୁ ଗିରଫ କରାଯାଇଛି । ପୁଲିସ ୨୦ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଚୋରା ଗଞ୍ଜାଇ ଆଣୁଥିବା ବ୍ୟକ୍ତିମାନେ ଆନନ୍ଦପୁର ଉପଖଣ୍ଡର କେଉଁ କେଉଁ ବ୍ୟକ୍ତିମାନଙ୍କୁ ଚୋରା ଗଞ୍ଜେଇ ବିକ୍ରି କରୁଛନ୍ତି ତା’ର ତଦନ୍ତ କରାଯାଇ ସେମାନଙ୍କୁ ଗିରଫ କରିବା ପାଇଁ ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । କେନ୍ଦୁଝର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ କୁମାର ମହାପାତ୍ର, ଆନନ୍ଦପୁର ଥାନା ଅଧିକାରୀ ଫନୀନ୍ଦ୍ର ଭୂଷଣ ନାୟକ ଓ ପୋଲିସ ବାହିନୀ ଉପସ୍ଥିତ ଥିଲେ ।
