କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ମଙ୍ଗଳବାର ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ପାଳିତ ହୋଇଯାଇଛି । ଏଥିସହ ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣାସଂକ୍ରାନ୍ତି ଅବସରରେ ସହରର ପ୍ରମୁଖ ଦେବାଦେବୀ ପୀଠରେ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା ।
ପୁରୁଣାବଜାର ସିଦ୍ଧମଠସ୍ଥିତ ହନୁମାନ ମନ୍ଦିର, ରାଜଉଆସ ପରିସରସ୍ଥିତ ଗଡତାରିଣୀ ପୀଠ, ପାଓ୍ବାରହାଉସରୋଡସ୍ଥିତ ହନୁମାନ ମନ୍ଦିର, ଲାବଣ୍ୟଛକ, ଟେଲିଫୋନ ଏକ୍ସଚେଞ୍ଜଛକ, ନିୟୁ କଲୋନୀ, ମଣ୍ଡୁଆ, କାଶୀପୁରସ୍ଥିତ ପ୍ରଭୁ ମହାବୀରଙ୍କ ଜୟନ୍ତୀ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଲାବଣ୍ୟଛକ ଠାରେ ପ୍ରଭୁ ଶ୍ରୀ ଶ୍ରୀ ହନୁମାନଙ୍କ ୩୧ତମ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
କେନ୍ଦୁଝର ସହର ବଡଡେରାସ୍ଥିତ ତାରିଣୀ ମନ୍ଦିର ପରିସର ଏବଂ ମଣ୍ଡୁଆ ହନୁମାନ ମନ୍ଦିରରେ ପଣା ସଂକ୍ରାନ୍ତି ମହାସମାରୋହରେ ପାଳିତ ହେବା ସହ ସହସ୍ରାଧିକ ଭକ୍ତଙ୍କୁ ପଣା ଓ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ସହର ଉପକଣ୍ଠ ରାଇସୁଆଁ ହନୁମାନ କମିଟି ପକ୍ଷରୁ ହନୁମାନ ଜୟନ୍ତୀ ପାଳନ ଅବସରରେ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ମନ୍ଦିରରେ ପୁଜାର୍ଚ୍ଚନା କରାଯାଇଥିଲା ।
ସେହିପରି ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ ହନୁମାନ ମନ୍ଦିରରେ ମଧ୍ୟ ଧୁମଧାମରେ ହନୁମାନ ଜୟନ୍ତୀ ଉତ୍ସବ ପାଳିତ ହେବା ସହ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାରମ୍ପରିକ ନୃତ୍ୟ ଗୀତରେ ହନୁମାନ ଝଣ୍ଡା ସହର ଶୋଭାଯାତ୍ରାରେ ପରିକ୍ରମା କରିଥିଲା ।
