ମା’ତାରିଣୀ ପୀଠରେ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ପାଳନ


ସୁନାବେଶରେ ମା’ଙ୍କ ଦର୍ଶନ ପାଇ ଭକ୍ତ ଅଭିଭୂତ


ମା’ଙ୍କ ପୀଠରେ ପୂଜାର୍ଚ୍ଚନା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା ଓ ଓଡ଼ିଆ ନବବର୍ଷର ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝ ସାଇନ (ଜ୍ଞାନରଞ୍ଜନ ମିଶ୍ର): ଘଟଗାଁସ୍ଥିତ ମା’ତାରିଣୀ ପୀଠରେ ମା’ଙ୍କ ୯୦ତମ ଚଇତିପର୍ବର ଷଷ୍ଠଦିନରେ ମଙ୍ଗଳବାର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଧୂମଧାମରେ ପାଳିତ ହୋଇଛି ।
    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଠାରୁ ୪ଦିନିଆ କେନ୍ଦୁଝର ଗସ୍ତରେ ଥିବାବେଳେ ଗସ୍ତର ଅନ୍ତିମ ଦିବସ ମଙ୍ଗଳବାର ପୂର୍ବାହ୍ନରେ ଘଟଗାଁ ଗସ୍ତରେ ଆସି ମା’ ତାରିଣୀଙ୍କ ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି । ଏଥିସହ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଅବସରରେ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
    ଚଳିତମାସ ୯ ତାରିଖରୁ ମା’ଙ୍କ ପ୍ରସିଦ୍ଧ ଚଇତିପର୍ବ ଆରମ୍ଭ ହୋଇଥିବା ବେଳେ ଏହି ପର୍ବରେ ୭ଦିନବ୍ୟାପୀ ମା’ ଭକ୍ତଙ୍କୁ ପ୍ରତ୍ୟହ ସୁନାବେଶରେ ଦର୍ଶନ ଦେଉଥ‌ିବାରୁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଓଡିଆ ନବବର୍ଷରେ ୩ରୁ ୪ଗୁଣା ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ମା’ଙ୍କ ସୁନାବେଶ ଦେଖି ଭକ୍ତଗଣ ଅଭିଭୂତ ହେବାସହ ଏହି ଦର୍ଶନ ପାଇଲେ କୋଟି ପୁଣ୍ୟର ଫଳ ମିଳିଥାଏ ବୋଲି ଲୋକବିଶ୍ବାସ ରହିଆସିଛି ।

       ପବିତ୍ର ପଣାସଂକ୍ରାନ୍ତିରେ ମା’ଙ୍କ ସାନିଧ୍ୟ ଲାଭ କଲେ ବହୁ ପୂଣ୍ୟ ମିଳିବା ସହ ସକଳ ଦୁଃଖ ଦୂର ହୋଇଥାଏ । ଏହି ବିଶ୍ବାସରେ ଜିଲା ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ମଙ୍ଗଳବାର ଭୋରରୁ ଧାଡି ବାନ୍ଧି ଶୃଙ୍ଖଳାର ସହ ମା’ଙ୍କୁ ଦର୍ଶନ ସହ ଭୋଗଲାଗି କରିଛନ୍ତି । ମା’ତାରିଣୀଙ୍କ ପ୍ରସିଦ୍ଧ ଚଇତିପର୍ବ ସାଙ୍ଗକୁ ପଣାସଂକ୍ରାନ୍ତି ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଭିଡକୁ ଆଖି ଆଗରେ ରଖି ଭୋର ୪ଟାରୁ ମା’ଙ୍କ ସକାଳ ନୀତି ଶେଷ ପରେ ୫ଟାରୁ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଉନ୍ମୁକ୍ତ ରଖାଯାଇଥିଲା ।

    ଶୃଙ୍ଖଳିତ ଭାବେ ଭକ୍ତଗଣ କିଭଳି ମା’ଙ୍କ ସୁନାବେଶ ଦର୍ଶନ କରିବେ ସେ ନେଇ ମନ୍ଦିର ବେଢା଼ ଭିତରେ ଓ ବାହାରେ ବ୍ୟାରିକେଡ ନିର୍ମାଣ କରାଯାଇ ପୁଲିସ ବାହିନୀ ସହ ସ୍ଵେଚ୍ଛାସେବୀ ମୁତୟନ କରାଯାଇ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନରେ ସହାୟତା କରିଥିଲେ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାରିକେଡକୁ ଶୀତତାପ ନିୟନ୍ତ୍ରୀତ ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ଭକ୍ତ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

     ମନ୍ଦିର ପରିସରରେ ଭିଡକୁ ଏଡାଇବା ପାଇଁ ଜଣପ୍ରତି ଭକ୍ତଙ୍କୁ ସର୍ବାଧ‌ିକ ୨ଟି ନଡିଆ ମା’ଙ୍କ ନିକଟରେ ଭୋଗଲାଗି ପଦକ୍ଷେପ କିଛି ମାତ୍ରାରେ ଭିଡକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିବା ଦେଖିବାକୁ ମିଳିଥିଲା । ପଣାସଂକ୍ରାନ୍ତି ଅବସରରେ ମା’ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା ।

     ସେହିଭଳି ପ୍ରତିବର୍ଷ ଭଳି ତାରିଣୀ ସେବା ସମିତି ବଣିକ ସଂଘ କେନ୍ଦୁଝର ପକ୍ଷରୁ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଶ୍ରୀ ସତ୍ୟସାଇ ସେବା ସମିତି ଓ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ଗଠିତ ଆଦିତ୍ୟ ବାହିନୀ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଧାଡିରେ ଶୃଙ୍ଖଳିତ ଭାବେ ଯାତାୟାତ ତଦାରଖ ବ୍ୟବସ୍ଥା ସହ ମନ୍ଦିର ବେଢା଼ ଭିତରେ ଓ ବାହାରେ ସ୍ଵଛତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।

    ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ବବିଦ୍ୟାଳୟ ଘଟଗାଁ କେନ୍ଦ୍ର ପକ୍ଷରୁ ଚୈତନ୍ୟ ଝାଙ୍କି ପ୍ରଦର୍ଶନ ଏବଂ ଟ୍ରଷ୍ଟ ପକ୍ଷରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଖଣ୍ଡ ଭଜନ ସମାରୋହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇ ମା’ଙ୍କ ଦର୍ଶନ ପାଇଁ ଦୁରଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ଯାନକୁ ୨୦ନଂ ଜାତୀୟ ରାଜପଥର ଉଭୟ ଦିଗରେ ମନ୍ଦିର ପୁର୍ବରୁ ପାର୍କିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା ।

Leave a Reply

Your email address will not be published. Required fields are marked *